ଅପପୁଷ୍ଟି ଅଞ୍ଚଳ ରଣାଗୁଣ୍ଡି: ଆଧାର ନଥିବାରୁ ଆହାରରୁ ବଞ୍ଚିତ ଶତାଧିକ ଲୋକ

୭ ବଦଳରେ ୫ ଅପପୁଷ୍ଟି ଶିଶୁ ଉଦ୍ଧାର

ଯାଜପୁର : ଇସ୍ପାତ ରାଜଧାନୀ କଳିଙ୍ଗନଗରର ଛାତି ଉପରେ ଦାନଗଦି ବ୍ଲକ୍‌ର ରଣାଗୁଣ୍ଡି ଏବେ ଅପପୁଷ୍ଟି ପାଇଁ ଅପଖ୍ୟାତି ମୁଣ୍ଡାଇଛି। ପ୍ରାଚୁର୍ଯ୍ୟଭରା ଅଞ୍ଚଳର ଲୋକଙ୍କ ସଙ୍ଗିନ ସ୍ଥିତି ସମ୍ପର୍କରେ ‘ସମ୍ବାଦ ରେ ଖବର ପ୍ରକାଶନ ପରେ ପ୍ରଶାସନ ପକ୍ଷରୁ ରଣାଗୁଣ୍ଡି ପଞ୍ଚାୟତରେ ଅପପୁଷ୍ଟି ଚିହ୍ନଟ ଆରମ୍ଭ ହୋଇଛି। ଗତକାଲି ଏଠାରୁ ୭ଜଣ ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କୁ ଉଦ୍ଧାର କରି ପୁଷ୍ଟି ସାଧନ କେନ୍ଦ୍ରକୁ ପଠାଯାଇଛି। ସରକାରୀ କଳ ଚାପରେ ଥିବାରୁ ଅନ୍ୟ ୨ଶିଶୁଙ୍କ ନାମ ଗୋପନ ରଖାଯାଇଥିବା କୁହାଯାଉଛି।

ରଣାଗୁଣ୍ଡି ପଞ୍ଚାୟତର ରଗଡା-ଘାଟିସାହିର ଅପପୁଷ୍ଟି ସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେ‌ଳେ ଏହି ସାହିର ଶତାଧିକ ଆଦିବାସୀ ପରିବାର ରାସନରୁ ବଞ୍ଚିତ। ଖାଦ୍ୟ ସୁରକ୍ଷା ଆଇନ୍ ଏଠାରେ ବାଟବଣା ହୋଇଯାଇଛି। ଆଦିବାସୀ ବହୁଳ ଗ୍ରାମ ହୋଇଥିବା ବେଳେ ଅଧିକାଂଶ ନିରକ୍ଷର ଏବଂ ଦିନ ମଜୁରିଆ ଶ୍ରେଣୀର। ଗ୍ରାମର ମୋଟ ଜନସଂଖ୍ୟା ୨୪୦ ଜଣ। ସେମାନଙ୍କ ମଧ୍ୟରୁ ୧୫୦ରୁ ଅଧିକ ରାସନରୁ ବଞ୍ଚିତ। ଏତେ ସଂଖ୍ୟକ ଲୋକେ ଖାଦ୍ୟ ଅଧିକାରରୁ ବଞ୍ଚିତ ହେଉଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ବେଫିକର। ଆଧାର କାର୍ଡ ନଥିବାରୁ ଅଧିକାଂଶ ଆହାରରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ଗ୍ରାମର ମଙ୍ଗୁଳି ସିଙ୍କୁଙ୍କ ପରିବାରର ୧୦ଜଣ, ଗୁରୁବାରୀ ଚତରଙ୍କ ପରିବାରର ୧୧ଜଣ, ଡୁକୁର ସିଙ୍କୁଙ୍କ ପରିବାରର ୫ଜଣ, ହାରାମଣୀ ପୂର୍ତ୍ତିଙ୍କ ପରିବାରର ୪ଜଣ, ସାରତି ପୂର୍ତ୍ତିଙ୍କ ପରିବାରର ୯ଜଣ, ଜେମା ମୁଣ୍ଡାଙ୍କ ପରିବାର ୬ଜଣ, ସମ୍ଭାରୀ ମୁଣ୍ଡାଙ୍କ ପରିବାରର ୬ଜଣ, କାମଳୀ ମୁଣ୍ଡାଙ୍କ ପରିବାରର ୫ଜଣ, ଚମ୍ପା ସିଙ୍କୁଙ୍କ ପରିବାରର ୪ଜଣ, ସୂର୍ଯ୍ୟକାନ୍ତ ତିରିଆଙ୍କ ପରିବାରର ୫ଜଣଙ୍କ ସମେତ ଅନେକ ପରିବାରର ରାସନକାର୍ଡ ନାହିଁ।

ସୂଚନାଯୋଗ୍ୟ ବାଙ୍କୁ ହେମ୍ବ୍ରମ ପରିବାର ଅପପୁଷ୍ଟିର ଶିକାର ହୋଇ ଜଣେ ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଜଣ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏପରିକି ଖାଦ୍ୟ ଆୟୋଗ ପ୍ରତିନିଧି ଏହି ଗ୍ରାମକୁ ଗସ୍ତ କରିବା ଦିନ ବାଙ୍କୁ ପରିବାରକୁ ରାସନ କାର୍ଡ ଦେବା ସହିତ ୫୦କେଜି ଚାଉଳ ଦେଲେ। ଅଥଚ ଅନ୍ୟମାନଙ୍କୁ ଆଜି ପର୍ଯ୍ୟନ୍ତ ରାସନ ମିଳିଛି ନା ରାସନ କାର୍ଡ। ଏଭଳି ସ୍ଥିତକୁ ନେଇ ସାମାଜିକ କର୍ମୀ ମଣ୍ଟୁଦାସ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶାସନ କେବେ ଭୋକିଲା ପରିବାରକୁ ରାସନ ଯୋଗାଉଛି ତା ଉପର ସମସ୍ତଙ୍କର ନଜର।

ସମ୍ବନ୍ଧିତ ଖବର