ଗଛ କାଟି ବେଆଇନ ଖଣି ସର୍ଭେକୁ ବିରୋଧ: ପ୍ରଶାସନ ଓ ଗ୍ରାମବାସୀଙ୍କ ଆଲୋଚନା ବିଫଳ

ମ. ରାମପୁର: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଲାମେର୍ ଗ୍ରାମସଭା ତରଫରୁ ସେଠାରେ କରାଯାଉଥିବା ଖଣି ସର୍ଭେକୁ ବିରୋଧ କରାଯାଇଛି। ଏହା ସହିତ ଜଙ୍ଗଲ ସୁରକ୍ଷା ଦାବି କରାଯାଇଛି। ଏ ନେଇ ଗତ ୮ତାରିଖ ଦିନ କଳାହାଣ୍ଡି ଉପଜିଲ୍ଲାପାଳ, କେସିଙ୍ଗା ପୁଲିସ ଏସ୍‌ଡିପିଓ, ନର୍ଲା ବନ ବିଭାଗ ରେଞ୍ଜ ଅଧିକାରୀ, ମ.ରାମପୁର ବିଡ଼ିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀ ଓ ସେହି ଗ୍ରାମର ସମସ୍ତ ଜନସାଧାରଣଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ଅଧିକାରୀମାନେ ବର୍ତ୍ତମାନ ଖଣି ଖନନ କରାଯାଉ ନାହିଁ, ସର୍ଭେ କାମ ଚାଲୁଥିବା ବେଳେ ଜଙ୍ଗଲର ଯେଉଁ ଗଛ ନଷ୍ଟ ହେବ ତାର କ୍ଷତିପୂରଣ ଦିଆଯିବ ବୋଲି କହି ସର୍ଭେ କାମରେ ସହଯୋଗ କରିବାକୁ ନିବେଦନ କରିଥିଲେ। ହେଲେ ଉପସ୍ଥିତ ସମସ୍ତ ଗ୍ରାମବାସୀ ତାକୁ ବିରୋଧ କରିବା ସହ କୌଣସିମତେ ଜଙ୍ଗଲରେ ସର୍ଭେ କାମ କରାଇ ଦେବେ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଥିଲେ।

ସର୍ଭେ ନାଁରେ ଜଙ୍ଗଲ ନଷ୍ଟ ହେବାକୁ ଦେବ‌େନାହିଁ ବୋଲି କହିଥିଲେ। ଫଳରେ ଆଲୋଚନା ବିଫଳ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ୫ ଅନୁସାରେ ଗ୍ରାମର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଖାଦ୍ୟ ନିରାପତ୍ତା ଓ ଜୀବିକାକୁ ସୁନିଶ୍ଚିତ କରିବା ସହିତ ଜଙ୍ଗଲ, ବନ୍ୟପ୍ରାଣୀ ଓ ଜୈବ ବିବିଧତାକୁ ପ୍ରଭାବିତ କରୁଥିବା କାଯ୍ୟକୁ ବନ୍ଦକରି ତାକୁ ସୁରକ୍ଷା ସୁନିଶ୍ଚିତ କରିବା ଲାମେର ଗ୍ରାମସଭାର ଆଇନଗତ କ୍ଷମତା ରହିଛି। ଏଣୁ ଏହି କ୍ଷମତା ବଳରେ ଉପରୋକ୍ତ ବେଆଇନ ଅନୁମତିକୁ ରଦ୍ଦ କରି ଜଙ୍ଗଲକୁ ନଷ୍ଟ କରାଯାଉଥିବା ବେଆଇନ ସର୍ଭେକୁ ବନ୍ଦ କରାଯାଉ ବୋଲି ଲାମେର ଗ୍ରାମସଭା ସଭାପତି ପ୍ରଫୁଲ୍ଲ ମାଝୀ, ସଂପାଦକ ବିନୋଦ ବିହାରୀ ମାଝୀ, ଜିଲ୍ଲା ଗ୍ରାମସଭା ମହାସଂଘ ସଂପାଦକ ବ୍ୟାସଦେବ ମାଝୀ, ବ୍ଲକ୍‌ ଗ୍ରାମସଭା ମହାସଂଘ ସଭାପତି କରୁଣା ହରିଜନ, ଜାମଗୁଡ଼ା ଗ୍ରାମସଭା ସଭାପତି ଜୟସିଂ ପାତ୍ର, ୱାର୍ଡସଭ୍ୟ ଜଳଧର ମାଝୀ, ଲାମେର ମହିଳା ସଂଘର ସମସ୍ତ ସଭ୍ୟା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର