ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ନକଲି ଡାକ୍ତର ଚିହ୍ନଟ ବ୍ୟବସ୍ଥା ସଂପର୍କରେ ଜଣାଅ

କଟକ : ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ କଣ ବ୍ୟବସ୍ଥା ରହିଛି? ଏ ଦିଗରେ ସରକାର ଏ ଯାଏ କି ପଦକ୍ଷେପ ଗ୍ରହଣ କରିଛନ୍ତି? ଏ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଭଳି କିଛି ବ୍ୟବସ୍ଥା ନାହିଁ ତେବେ ରାଜ୍ୟ ସରକାର ଏହି ପ୍ରସଂଗରେ କୌଣସି ନୂଆ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିନ୍ତା କରୁଛନ୍ତି କି ନାହିଁ ସେ ସଂପର୍କରେ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଛନ୍ତି। ପୂର୍ବରୁ ରାଜ୍ୟ ସରକାର ନକଲି ଡାକ୍ତର ଓ ବେଆଇନ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ପ୍ରସଂଗରେ ଏଯାଏ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି।

୨୦୨୩, ଜାନୁଆରି ୨୫ରେ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ସରକାରୀ ମେଡିକାଲ କଲେଜ ଓ ସରକାରୀ ଡାକ୍ତରଖାନା ଗୁଡିକରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ପଞ୍ଜୀକରଣର ସ୍ଥିତି ଓ ନବୀକରଣ ପ୍ରସଂଗ ଯାଞ୍ଚ ପାଇଁ ଓଡ଼ିଶା କାଉନସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ ପକ୍ଷରୁ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଡିଏମଇଟି, କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ଆରଜିଏଚ୍‌ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଥିଲା। ସେହିଭଳି ଭାବେ ଘରୋଇ ଡାକ୍ତରଖାନା ଗୁଡିକରେ କାର୍ଯ୍ୟରତ ଡାକ୍ତରଙ୍କ ପଞ୍ଜୀକରଣ ଯାଞ୍ଚ ପ୍ରସଂଗରେ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ସମସ୍ତ ସିଡିଏମଓ, ଡିଏମଇଟିଙ୍କୁ ୨୦୨୨, ଡିସେମ୍ବର ୨୬ରେ ଚିଠି ଲେଖା ଯାଇଥିଲା। ଏଥି ସହିତ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁସାରେ ରାଜ୍ୟରେ ଡାକ୍ତରୀପେସାରେ ଥିବା ସବୁ ଏଲୋପାଥିକ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟ ପ୍ରମାଣପତ୍ର ଯାଞ୍ଚ ସବୁ ଜିଲ୍ଲା ସିଡିଏମଓ କରିବେ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।

ସବୁ ଘରୋଇ ହସ୍ପିଟାଲକୁ ସିଡିଏମଓ ନୋଟିସ୍ ଜାରି କରି ସେମାନଙ୍କ ଅନୁଷ୍ଠାନରେ କାର୍ଯ୍ୟରତ ଏଲୋପାଥିକ ଡାକ୍ତରଙ୍କ ତାଲିକା ସହିତ ପଞ୍ଜୀକରଣ ଓ ଅନ୍ୟ ପ୍ରମାଣପତ୍ର ଦାଖଲ କରିବାକୁ କହିବେ। ଏ ସଂପର୍କିତ ରିପୋର୍ଟ ସିଡିଏମଓଙ୍କ ତରଫରୁ ଓଡ଼ିଶା କାଉନସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନର ରେଜିଷ୍ଟ୍ରାରଙ୍କ ନିକଟରେ ଅଧିକ ଯାଞ୍ଚ ପାଇଁ ଦାଖଲ କରାଯିବ। ‌ଏହାପରେ ସ୍ବତନ୍ତ୍ର ସଚିବ ଓ ଡିଏମଇଟିଙ୍କୁ ନେଇ ଗଠିତ କମିଟି ନିକଟରେ ରେଜିଷ୍ଟ୍ରାରଙ୍କ ତରଫରୁ ରିପୋର୍ଟ ଦାଖଲ କରାଯିବ। ଏହି ପ୍ରକ୍ରିୟା ୬ ମାସ ଭିତରେ ଶେଷ ହେବ ବୋଲି ସରକାର ପୂର୍ବ ସତ୍ୟପାଠରେ ଦର୍ଶାଇଥିଲେ। ଏଥି ସହିତ ଯାଞ୍ଚ ପ୍ରକ୍ରିୟା ଅବଧି ପରେ ଯଦି କୌଣସି ଡାକ୍ତର ବୈଧ ପଞ୍ଜୀକରଣ ବିନା କାର୍ଯ୍ୟ କରୁଥିବା ଜଣାପଡିବ ତେବେ ସଂପୃକ୍ତ ଜିଲ୍ଲାର ସିଡିଏମଓ ଏ ନେଇ ଏତଲା ଦାୟର କରିବେ ବୋଲି ସରକାର ସତ୍ୟପାଠରେ ପ୍ରତିଶ୍ରୁତି ଦେଇଥିଲେ। ସତ୍ୟପାଠରେ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ କଣ ସବୁ ନିର୍ଦ୍ଦିଷ୍ଟ ଭାବେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି ସେ ନେଇ ଅଗଷ୍ଟ ୩ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆମିକସକ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଦର୍ଶାଇଥିଲେ ଯେ ପୂର୍ବରୁ ସରକାର ଯେଉଁ ସବୁ ପଦକ୍ଷେପ ନେବେ ବୋଲି ସତ୍ୟପାଠରେ କହିଥିଲେ ତାହା ବାସ୍ତବ କ୍ଷେତ୍ରରେ ଗ୍ରହଣ କରାଯାଇଛି କି ନାହିଁ ସେ ନେଇ ଜବାବ ତଲବ କରାଯାଉ। ନକଲି ଡାକ୍ତରଙ୍କୁ ଚିହ୍ନଟ କରିବାକୁ ଓ ଏହି ପ୍ରସଂଗରେ ତଦାରଖ କରିବାକୁ କଣ କୌଶଳ ସରକାର ଅନୁସରଣ କରୁଛନ୍ତି ଓ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ସେ ନେଇ ସ୍ପଷ୍ଟ ହେବା ଉଚିତ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବିଶ୍ବବ୍ୟାଙ୍କ ସର୍ଭେ ରିପୋର୍ଟରୁ ଜଣା ପଡିଥିଲା। ଫଳରେ ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସବୁ ଡାକ୍ତରଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ୨୦୨୨, ଡିସେମ୍ବର ୨୧ରେ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର