ବିପଦରେ ଅଠରନଳା, ଫଳକରେ ସୀମିତ ଐତିହ୍ୟ: ବିରଜାଙ୍କ ପାଦ ଧୋଉଥିଲା ମନ୍ଦାକିନୀ, ଏବେ ଆବର୍ଜନା କୁଣ୍ଡ

ଯାଜପୁରସଦର: ପୁରୀ ପରେ ଏବେ ବିପଦରେ ଯାଜପୁରର ଐତିହ୍ୟ ‘ଅଠରନଳା’। ପ୍ରକୃତି ଓ ପୁରୁଷର ମିଳନସ୍ଥଳରେ ଅଠରନଳାର ଉତ୍ପତ୍ତି। ଉଭୟଙ୍କର ୯ଟି ଦ୍ବାରର ମିଳନ ହୋଇ ୧୮ଟି ଦ୍ବାର ସୃଷ୍ଟି ହୋଇଛି, ଯାହାକି ଅଠରନଳା ନାମରେ ନାମିତ। ପୂର୍ବରୁ ବୈତରଣୀର ଅଂଶ ମନ୍ଦାକିନୀ ଏହି ଅଠରନଳା ଦେଇ ମା’ ବିରଜାଙ୍କ ପାଦ ଧୋଇବାର ତଥ୍ୟ ରହିଛି। କାଳକ୍ରମେ ମନ୍ଦାକିନୀ ପୋତି ହୋଇଯାଇଥିବା ବେଳେ ୧୮ଟି ନଳାର କିଛି ଅଂଶ ଆଉ ଦେଖିବାକୁ ମିଳୁନାହିଁ। ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଥିବା ଏହି ଐହିତ୍ୟ ଏବେ ବିନାଶମୁଖୀ ହୋଇଛି।

ଯାଜପୁର ‘ଅଠରନଳା’ର ପୁରୀ ସହ ସାମଞ୍ଜସ୍ୟ ରହିଛି। କାରଣ ପୁରୀ ବ୍ୟତୀତ ଅଠରନଳା କେବଳ ଯାଜପୁରରେ ଦେଖିବାକୁ ମିଳିଥାଏ। ପୁରୀର ପ୍ରଭୁ ଶ୍ରୀକ୍ଷେତ୍ରଙ୍କ ସହ ଅଠରନଳାର ସଂଯୋଗ ରହିଥିବାବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରାସ୍ତାରେ ଅଠରନଳା ପବିତ୍ରତାର ପ୍ରତୀକ ଭାବେ ରହିଛି। ଆଜି ସେହି ଅଠରନଳା ପର୍ଯ୍ୟଟକଙ୍କ ମନରୁ ଲିଭିଗଲଣି। ଶ୍ରଦ୍ଧାଳୁ ଆସି ମା’ ବିରଜାଙ୍କୁ ଦର୍ଶନ କରୁଛନ୍ତି କିନ୍ତୁ ଅଠରନଳା ବିଷୟରେ କାହା ପାଖରେ ସୂଚନା ନାହିଁ। ଏହାର ଅଧିଂକାଶ ଅଞ୍ଚଳ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ବର୍ତ୍ତମାନ ମାତ୍ର ୭ଟି ନଳା ଦେଖିବାକୁ ମିଳୁଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହ୍ୟ ଏବେ ମାଟିରେ ମିଶିବାକୁ ଯାଉଛି। ଏହି ଅରଠନଳା ଉପରେ ଥିବା ପୋଲ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିଲେ ହେଁ ବିଭାଗର ଆଦୌ ଦୃଷ୍ଟି ପଡୁନାହିଁ। ଏଥିରେ ଗଛଲତା ମାଡ଼ି ଯାଇଛି। ଦୃଶ୍ୟମାନ ୭ଟି ଦ୍ବାର ବି ପୋତି ହେବାକୁ ବସିଲାଣି। ମରାମତି ଅଭାବରୁ ଅବସ୍ଥା ଆହୁରି ଶୋଚନୀୟ। ଏହି ପୋଲ ଉପ‌ର ଦେଇ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ବିଂଝାରପୁର, ବରୀ ଓ ଦଶରଥପୁର ବ୍ଲକ୍‌କୁ ଦୈନିକ ହଜାର ସଂଖ୍ୟାର ଗାଡ଼ି ଚଳାଚଳ କରୁଛି। ବହୁସଂଖ୍ୟାରେ ଗାଡ଼ି ଚଳାଚଳ ଯୋଗୁଁ ପୋଲଟି ଦୁର୍ବଳ ହୋଇ ପଡ଼ିଲାଣି।

ବଡ଼କଥା ହେଉଛି ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଏହାକୁ ଆବର୍ଜନା କୁଣ୍ଡରେ ପରିଣତ କରି ଦେଇଛନ୍ତି। ଅଠରନଳା ପୋଲ ତଳେ ବହୁ ପ୍ରାଚୀନ ମୂର୍ତ୍ତି ପଡ଼ି ରହିଥିଲେ ବି ଏହାର ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହି ପୋଲ ତଳ ଦେଇ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ପାଣି ଜମି ରହୁଛି। ପୋଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ପୋଲ ନିର୍ମାଣ ଓ ଏହା ଉପରେ କୌଣସି କ୍ଷତି ନପହଞ୍ଚାଇବାକୁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏଠାରେ ଫଳକ ଲଗାଇ ଦାୟିତ୍ବ ସାରି ଦିଆଯାଇଛି। ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଜରୁରି ହୋଇପଡ଼ିଛି।

ସମ୍ବନ୍ଧିତ ଖବର