ଓଡ଼ିଶାକୁ ଉତ୍କର୍ଷ କେନ୍ଦ୍ର କର: ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତିକ ମିଲେଟ୍‌ ସମ୍ମେଳନ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ୨୦୨୩କୁ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଛି। ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଆନ୍ତର୍ଜାତିକ ମିଲେଟ୍‌ ସମ୍ମେଳନ ଆୟୋଜନ କରୁଛି। ଏଥି ପାଇଁ ଶୀର୍ଷ କମିଟିର ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଆସନ୍ତା ଏକ ଦଶନ୍ଧି ପାଇଁ ମିଲେଟ୍‌ ନିମନ୍ତେ ରୋଡ୍‌ମ୍ୟାପ୍‌ ବିକଶିତ କରିବାରେ ଓଡ଼ିଶା ବାଟ ଦେଖାଇବ। ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଉତ୍କର୍ଷ କେନ୍ଦ୍ର ହେବାକୁ ଓଡ଼ିଶା ଲକ୍ଷ୍ୟ ରଖିବା ଉଚିତ। ଏହି ସମ୍ମେଳନକୁ ସଫଳ କରିବା ପାଇଁ ସବୁ ପ୍ରକାର ସମର୍ଥନ ଯୋଗାଇ ଦେବାକୁ ସେ କହିଥିଲେ।

ଆନ୍ତର୍ଜାତିକ ମିଲେଟ୍‌ ସମ୍ମେଳନ ପାଇଁ ପ୍ରସ୍ତୁତି
ଶୀର୍ଷ କମିଟି ବୈଠକରେ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଏହି ଆନ୍ତର୍ଜାତିକ ସ‌ମ୍ମେଳନ ଓଡ଼ିଶା ଆଦିବାସୀ ସମ୍ପ୍ରଦାୟର ମିଲେଟ୍‌ ଖାଦ୍ୟ ସଂସ୍କୃତିକୁ ପ୍ରଦର୍ଶନ କରିବା ସହ ଆମ ଚାଷୀ ଓ ମିସନ୍ ଶକ୍ତି ଗୋଷ୍ଠୀଙ୍କ ସଫଳତା କାହାଣୀକୁ ଦେଖାଇବ। ଆଦିମ କାଳରୁ ଆଦିବାସୀ ଚାଷୀଙ୍କ ପାଇଁ ମିଲେଟ୍‌ ଏକ ପାରମ୍ପରିକ ଶସ୍ୟ ଥିଲା। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଆହ୍ବାନ ସୃଷ୍ଟି କରିଥିଲା ବେଳେ ଏହି ମିଲେଟ୍‌ ଶସ୍ୟ ଭବିଷ୍ୟତ ପାଇଁ ଆଶା ସୃଷ୍ଟି କରିଛି। ଏ ଦିଗରେ ଓଡ଼ିଶା ମିଲେଟ୍‌ ମିସନ୍‌ର ଉଦ୍ୟମ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେୁ ସ୍ବୀକୃତି ଲାଭ କରିଛି। ମିସନ୍ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, ମୁଖ୍ୟ ଶାସନ ସଚିବ ପି କେ ଜେନା ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମ୍ମେଳନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମ୍ମେଳନର ଥିମ୍‌ ରହିଛି, ‘ମିଲେଟ୍‌- ଆଧୁନିକ ଆହ୍ବାନ ପାଇଁ ପୁରାତନ ଶସ୍ୟ’। ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ଓ ମିଲେଟ୍‌ର ବିଭିନ୍ନ ଦିଗ ଉପରେ ଏହି ସ‌ମ୍ମେଳନ ଫୋକସ୍‌ କରିବ। ଏଥିରେ ୪ ହଜାରରୁ ଅଧିକ ଚାଷୀ, ମହିଳା ଏସ୍‌ଏଚ୍‌ଜି ଯୋଗ ଦେବେ। ପ୍ରସ୍ତୁତି ବୈଠକରେ ଉନ୍ନୟନ କମିସନର୍‌, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର