ରାଇରଂଗପୁରରେ ଔଷଧ ବୋଳା ମଶାରି ବଣ୍ଟନ କେବେ? ବୃଦ୍ଧି ପାଉଛି ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଗଣିତ ହୁଏ। ଅଞ୍ଚଳର ଗ୍ରାମବାସୀ ମ୍ୟାଲେରିଆ ଜ୍ଵର ତଥା ବ୍ରେନ ମ୍ୟାଲେରିଆ ଆଦିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାର ନଜିର ରହିଛି। ମ୍ୟାଲେରିଆ ଜ୍ଵରର ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବୋଳା ମଶାରି ବଣ୍ଟନ କରାଯାଉଥିଲା ଏବଂ ଏହାର ଔଷଧୀୟ ଗୁଣ ସ୍ବରୂପ ଉକ୍ତ ମଶାରୀରେ ମଶା ବସି ପାରୁ ନ ଥିଲେ, ଯାହାଫଳରେ ଜନସାଧାରଣ ନିରାପଦରେ ମଶାରୀ ଭିତରେ ଶୋଇ ପାରୁଥିଲେ।
ସରକାରଙ୍କ ଉକ୍ତ ଯୋଜନା ରାଇରଙ୍ଗପୁର ବ୍ଲକରେ ଅନେକ ବାଧାବିଘ୍ନରେ ଆରମ୍ଭ ହୋଇଥିବା ତଥ୍ୟ କହେ। ଅନେକ ଅଭ୍ୟନ୍ତରୀଣ ଗ୍ରାମରେ ମଶାରି ଗୁଡିକର ଦୂରପାଯୋଗ କରାଯିବାର ଅନେକ ଉଦାହରଣ ରହିଛି। ସଚେତନତା ଅଭାବରୁ ଅନେକ ଭକ୍ତ ମଶାରିକୁ ମାଛ ଧରିବା, କଲେଇ ଧରିବା ଇତ୍ୟାଦିରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ମାତ୍ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ସ୍ଵରୂପ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ଅଭ୍ୟନ୍ତରୀଣ ଗ୍ରାମଗୁଡିକରେ ଲୋକମାନେ ମଶାରୀ ବ୍ୟବହାର କଲେ। ଫଳ ସ୍ଵରୂପ ମ୍ୟାଲେରିଆ ଜ୍ଵର ରୋକିବାରେ ସହାୟକ ହେଲା। ଇତି ମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହେବାକୁ ବସିଲାଣି। ମାତ୍ର ସରକାରଙ୍କ ପକ୍ଷରୁ ଔଷଧ ବୋଳା ମଶାରି ବଣ୍ଟନ ହୋଇନି। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି।
ସରକାରୀ ତଥ୍ୟ ଅଧାରରେ ଚଳିତ ବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଆକଳନର ତଥ୍ୟ ଆଧାରରେ ଜୁଲାଇ ମାସରେ ୧୪୬୫ ଜଣ ଜ୍ଵର ପରୀକ୍ଷା କରି ୨୫ଜଣ, ଅଗଷ୍ଟ ମାସରେ ୧୫୬୫ଜଣଙ୍କ ମଧ୍ୟରେ ୨୫ ଜଣ ଓ ସେପ୍ଟେମ୍ବର ମାସରେ ୧୭୮୧ ଜଣଙ୍କ ମଧ୍ୟରେ ୭ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସେହିପରି ଟାଇଫାଏଡ଼ ଜ୍ଵର ନିମନ୍ତେ ଜୁଲାଇ ମାସରେ ୧୨୨, ଅଗଷ୍ଟ ମାସରେ ୧୭୮ ଓ ସେପ୍ଟେମ୍ବର ମାସରେ ୨୦୭ ଜଣ ରକ୍ତ ପରୀକ୍ଷା କରିଥିଲେ । ମାତ୍ର ସୌଭାଗ୍ୟ ବଶତଃ ମାତ୍ର ଜଣେ ଉକ୍ତ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ। ଏତଗଲା ସରକାରୀ ତଥ୍ୟ ମାତ୍ର ବେସରକାରୀ ତଥ୍ୟ ଅଧାରରେ ବିଭିନ୍ନ ବେସରକାରୀ ପାଥୋଲୋଜିରେ ଶତାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଠାରେ ପ୍ରକାଶ ଥାଉ କି ଗତ ୨୦୧୯-୨୦ ମସିହାରେ ସରକାରଙ୍କ ପକ୍ଷରୁ ଔଷଧ ବୋଳା ମଶାରୀ ବଣ୍ଟନ କରାଯାଇଥିଲା।
ତେବେ ତିନି ବର୍ଷ ହେବାକୁ ବସିଲାଣି ମଶାରି ବଣ୍ଟନ ହୋଇଥିଲା ଏବଂ ୩ ବର୍ଷ ତଳର ମଶାରି ନଷ୍ଟ ହୋଇଯିବା ଫଳରେ ମ୍ୟାଲେରିଆ ପ୍ରାଦୂର୍ଭାବ ବୃଦ୍ଧି ପାଇବାରେ ଆଶଙ୍କା ପ୍ରକାଶ ପାଇଛି। ପରେ କେନ୍ଦୁଝରର ଅନେକ ସ୍ଥାନରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ମାତ୍ର ବ୍ଳକରେ ଏ ପର୍ଯ୍ୟନ୍ତ ମଶାରୀ ବଣ୍ଟନ ନ ହେବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଜିଲ୍ଲାରେ ରାଜ୍ୟ ଔଷଧ ନିଗମ (ଓଏସଏମସି )ପକ୍ଷରୁ ମଶାରୀ ବଣ୍ଟନ କରାଯାଇଥାଏ। ତେବେ ବର୍ତମାନ ପର୍ଯ୍ୟନ୍ତ ମଶାରୀ ବଣ୍ଟନ ନ ହେବା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଏ ସମ୍ବନ୍ଧରେ ଆଲୋଚନା ଲାଗି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡ. ରବୀନ୍ଦ୍ର ମାରାଣ୍ଡିଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା।
ସମ୍ବନ୍ଧିତ ଖବର