ସମ୍ବଲପୁର: ଜିଲ୍ଲା ଶିକ୍ଷା ବିଭାଗରେ ଏବେ ସବୁକିଛି ଠିକ୍ ଚାଲି ନାହିଁ। କେତେବେଳେ କର୍ତ୍ତବ୍ୟରେ ଅବହେଳା କରୁଥିବା ଶିକ୍ଷକ ଓ ଶିୟକ୍ଷିତ୍ରୀମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ଆଉ କେତେବେଳେ ପୁଣି ନିଷ୍ଠାର ସହିତ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆସିଛି। ୨୦୧୯ ମସିହାରେ ହାଇସ୍କୁଲରେ ନିଯୁକ୍ତି ‌ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଏବେ ନିୟମ ଅନୁଯାୟୀ ଦରମା ବଢ଼ିବ। ଏହି ‘ଇନ୍‌କ୍ରିମେଣ୍ଟ’ ବାବଦ କାମ ପାଇଁ ଜଣକ ପିଛା ୩୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନାମ ଗୋପନରେ ରଖିବା ସର୍ତ୍ତରେ ଅଭିଯୋଗ କରିଛନ୍ତି।

Advertisment

ଏହି ଟଙ୍କା ଆଦାୟ ପାଇଁ କେତେକ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ସଂପୃକ୍ତ ଶିକ୍ଷକଙ୍କ ଜରିଆରେ ଟଙ୍କା ଆଦାୟ କରି ନିର୍ଦ୍ଦିଷ୍ଟ ଅଧିକାରୀ ଓ କର୍ମଚାରୀଙ୍କ ପାଖରେ ଜମା ଦେବାକୁ ଆଘୋଷିତ ଆଦେଶ ଦିଆଯାଇଛି। ବାଧ୍ୟ ବାଧକତାରେ କେତେକ ଶିକ୍ଷକ ଏବାବଦ ଅର୍ଥ ଦେଇସାରିଥିବା ବେଳେ ଅନ୍ୟମାନେ ଏଥିରେ ବିଳମ୍ବ କରି ନିରବ ପ୍ରତିବାଦ କରୁଥିବା ଜଣପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ସହରର କ୍ଷେତରାଜପୁର ଅଂଚଳରେ ଥିବା ଏକ ହାଇସ୍କୁଲରେ କେତେକ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ବିଳମ୍ବରେ କାର୍ଯ୍ୟରେ ଆସୁଥିଲେ। ପ୍ରଧାନ ଶିକ୍ଷକ ସେମାନଙ୍କୁ ତାଗିଦ କରିବା ପରେ ବି ସେମାନେ ଶୁଣିନଥିଲେ।

ଏଥିରେ ପ୍ରଧାନ ଶିକ୍ଷକ ଶିକ୍ଷାଦେବା ପାଇଁ ସେମାନଙ୍କ ଗୋଟିଏ ଦିନର ଦରମା ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ହେଲେ, ପ୍ରଧାନ ଶିକ୍ଷକଙ୍କ ଚିଠିକୁ ଅଣଦେଖା କରି ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦରମା ଦିଆଯାଉଛି। ଏହା ନିୟମର ଖିଲାଫ କରୁଥିଲେହେଁ ବିଭାଗୀୟ ଅଧିକାରୀ ସେଥିପ୍ରତି ଅଣଦେଖା କରିଛନ୍ତି। ଏଭଳି କରି କାର୍ଯ୍ୟରେ ଅବହେଳା କରୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରୁଥିବା ବେଳେ ନିଷ୍ଠାର ସହିତ ଦାୟିତ୍ବ ନିର୍ବାହ କରୁଥିବା ବ୍ୟକ୍ତିଙ୍କୁ ଶୋଷଣ କରାଯାଉଛି। ସେମାନଙ୍କ ନ୍ୟାୟ ସଂଗତ ଅଧିକାର ପାଇଁ ଟଙ୍କା ନିଆଯାଉଛି। ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।