ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ : କେନ୍ଦ୍ରୀୟ ଅବହେଳା ହିଁ ପ୍ରସଙ୍ଗ

ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ବିଧାନସଭାରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବୁ, ଯେଉଁଥିରେ କେନ୍ଦ୍ର ସରକାର ଆଶାନୁଯାୟୀ ପଦକ୍ଷେପ ନେଇ ନାହାନ୍ତି। ବିରୋଧୀ ବି ଯେଉଁ ପ୍ରସଙ୍ଗ ଉଠାଇବେ, ଆମେ ସେଥିରେ ଗଠନମୂଳକ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ।

ବିଜେଡି ବିଧାୟକ ଦଳ ବୈଠକ ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏହି ଦୁଇ ଧାଡ଼ିଆ ସୂଚନା ଦେଇଥିଲେ। ବିଜେଡି ରଣନୀତି ଯେ କେନ୍ଦ୍ରକୁ ଟାର୍ଗେଟ୍‌ କରି ପ୍ରସ୍ତୁତ କରାଯାଇଛି, ତାହା ସ୍ପଷ୍ଟ ହୋଇଯାଇଛି। ସରକାରଙ୍କୁ ଅକଳରେ ପକାଇବାକୁ ବିରୋଧୀ ଅଣ୍ଟା ଭିଡ଼ିଥିଲା ବେଳେ ବିଜେଡି ରାଜ୍ୟର ସ୍ୱାର୍ଥକୁ ପ୍ରସଙ୍ଗ କରି ମୁକାବିଲା କରିବ।

ଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ସନ୍ଧ୍ୟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଦଳର ୧୦୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେ। ସଭାପତି କହିଥିଲେ, ଆମେ ରାଜ୍ୟବାସୀଙ୍କୁ ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରିଛୁ। ଇସ୍ତାହାରରେ ଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବାକୁ ଉଦ୍ୟମ କରାଯାଇଛି। ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ଗୃହ ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ସଫଳତା ପାଇଛନ୍ତି।

ବିଜେପି ଇସ୍ତାହାରରେ ଦେଇଥିବା କେଉଁ କେଉଁ ପ୍ରତିଶ୍ରୁତିକୁ ପାଳନ କରିନି ବୋଲି ଶ୍ରୀ ପଟ୍ଟନାୟକଙ୍କ ବିଧାୟକଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। କିଏ କହିଲେ ରୋଜଗାର ଦେଇନି କିଏ କହିଲେ ତେଲ ଦର କମାଇନି। ପୁଣି କିଏ କହିଲେ କଳାଧନ ବିଦେଶରୁ ଆଣିନି। ସବୁ ଶୁଣିଲା ପରେ ସଭାପତି ତିନିଟି ପ୍ରସଙ୍ଗ କହିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବି ବିଜେପି ତାହା ପାଳନ କରିନି। ପେଟ୍ରୋଲ୍‌, ଡିଜେଲ୍‌ ଦର କମାଇନି କି ଧାନର ଏମ୍‌ଏସ୍‌ପି ବୃଦ୍ଧି କରି ନାହିଁ। ଏହା ପରେ ସବୁ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ କହିଥିଲେ।

ଏହା ପରେ ମହାନଦୀ, ପୋଲାଭରମ୍‌, ଛତିଶଗଡ଼ ଯୋଗୁଁ ରାଜ୍ୟରେ ବନ୍ୟା ସୃଷ୍ଟି ହେବା ପ୍ରସଙ୍ଗରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ୬ ତାରିଖରେ ବିଧାନ ପରିଷଦ ନେଇ ସଂକଳ୍ପ ଆସିବ। ତାହାକୁ ବିରୋଧ ହେବାର ଆଶଙ୍କା ଥିବାରୁ ସେହିଦିନ ସମସ୍ତେ ଉପସ୍ଥିତ ରହିବାକୁ ପଡ଼ିବ। ପ୍ରାୟ ୨୫ ମିନିଟ୍‌ ପରେ ବୈଠକ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର