ମାଲକାନଗିରି ଜିଲ୍ଲାରେ ଖଣି ଖନନକୁ ବନ୍ଦ କର: ମାଓ ସଂଗଠନ

ନବୀନ ସରକାର ଜନ ବିରୋଧୀ, ଜଳ, ଜଂଗଲ, ଜମି ଆମର: ମାଓ ସଚିବ ଗଣେଶ

ମାଲକାନଗିରି: ଦୀର୍ଘ ଦିନର ନୀରବତା ପରେ ନକ୍ସଲ ପ୍ରେସ ବିଜ୍ଞପ୍ତି ଜରିଆରେ ନିଜର ଦାବି ରଖିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ନକ୍ସଲଙ୍କ ଏଭଳି ପ୍ରେସ ବିଜ୍ଞପ୍ତି ବାରମ୍ବାର ଗଣମାଧ୍ୟମକୁ ଆସିବ ବୋଲି କୁହାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାର ଡିଭିଜନର ସଚିବ ଗଣେଶ ଆଜି ପ୍ରେସ ବିଜ୍ଞପ୍ତିରେ ନବୀନ ସରକାର ଜନବିରୋଧ ବୋଲି କହିବା ସହ ୨୫ ବର୍ଷର ଶାସନ କାଳରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା କୁହାଯାଇଛି।

ସାମ୍ରାଜ୍ୟବାଦ ନୀତି ପ୍ରଣୟନ କରି ରାଜ୍ୟବାସୀଙ୍କ ସମ୍ପତ୍ତି ଲୁଟ କରିବାରେ ଏମାନେ ସଫଳ ହୋଇଛନ୍ତି ବୋଲି କୁହାଯାଇଛି। ରାଜ୍ୟର ମୂଲ୍ୟବାନ ଖଣିଜ ସଂପଦକୁ ବିଦେଶୀ ହାତରେ ଟେକି ଦେଇଛନ୍ତି। ଖଣି ଖନନକୁ ମାଓ ସଂଗଠନ ବିରୋଧ କରିଛି। ପୂର୍ବରୁ ପୋସ୍କୋ, ଜିନ୍ଦଲ, ଦେଓମାଳି, କୋଣ୍ଡାଙ୍କିମାଳି, କାଶୀପୁର, ନାନଗିରି, ଗନ୍ଧମାର୍ଧନ ସମେତ ବହୁ ଅଂଚଳରେ ବକ୍ସାଇଟ ଖଣି ଖନନକୁ ଅନୁମତି ଦେଇଥିଲେ। ଏବେ ମାଲକାନଗିରି ଜିଲ୍ଲାର ମହୁପଦର ଏବଂ କମାରପାଲ୍ଲୀ ଠାରେ ଖଣି ଖନନକୁ ଅନୁମତି ଦିଆଯାଇଛି। ଏହି ଅଂଚଳର ଆଦିବାସୀ ଗାଁର ଲୋକଙ୍କ ସଂପତ୍ତିକୁ ହସ୍ତାନ୍ତର କରି ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଦୀର୍ଘ ବର୍ଷ ଧରି ଏହି ଅଂଚଳରେ ନିଜର ଭିଟ୍ଟାମାଟିକୁ ଛାଡିବାକୁ ବାଧ୍ୟ ହେବେ। ଲୋକେ ବିସ୍ଥାପିତ ହେଲେ ରୋଜଗାର ହରାଇବେ। ଏହି ଅଂଚଳର ଜଂଗଲ, ଜମି, ଜଳ ନଷ୍ଟ ହେବ ବୋଲି କୁହାଯାଇଛି। ଲୋକେ ପାନୀୟ ଜଳ ଓ ଜଳସେଚନର ସୁବିଧା ପାଇବେ ନାହିଁ। ବହୁ ସମସ୍ୟାର ସମ୍ମୁଖୀନ ହେବୋ। ଜଂଗଲରେ ଥିବା ବହୁ ଔଷଧୀୟ ଉଦ୍ଭିଦ ନଷ୍ଟ ହୋଇଯିବ। ଲୋକଙ୍କ ଜୀବନ ଅପେକ୍ଷା ଖଣି ମୂଲ୍ୟବାନ ଅଟେ। ସରକାରଙ୍କର ଜନବିରୋଧୀ ନୀତିକୁ ବିରୋଧ କରିବା ସହ ଜଳ, ଜଂଗଲ ଓ ଜମି ଆମର ବୋଲି ସ୍ଲୋଗାନ ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ଖଣି ଖନନକୁ ବନ୍ଦ କରାନଗଲେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର