ବାହାର ବ୍ୟବସାୟୀଙ୍କ ପସନ୍ଦ ନୂଆଗାଁ ପରିବା: ଯାଉଛି ଝାଡ଼ଖଣ୍ଡ, କୋଲକାତା ଓ ଛତିଶଗଡ

୪ମାସରେ ଉତ୍ପାଦନ ୧୨ ହଜାର ଟନ୍‌ରୁ ଅଧିକ

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ। ପନିପରିବା ଚାଷ ପାଇଁ କେବଳ ଓଡ଼ିଶା ନୁହେଁ, ବାହାର ରାଜ୍ୟରେ ବେଶ୍‌ ଚାହିଦା। କୋଲକାତା, ଛତିଶଗଡ ଓ ଝାଡ଼ଖଣ୍ଡ ପ୍ରମୁଖ ସହର ପରିବାବେପାରୀ ଗାଡ଼ି ଧରି ପହଞ୍ଚିଯାଆନ୍ତି ନୂଆଗାଁ ବିଭିନ୍ନ ପଞ୍ଚାୟତରେ। ପ୍ରତିବର୍ଷ ନଭେମ୍ବରରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ୍‌ ସାଢ଼େ ୪ ମାସ ରାଜ୍ୟର କେନ୍ଦୁଝର, ବଡ଼ବିଲ, କୋଇଡା, ଆନନ୍ଦପୁର, କିରିବୁରୁ, ଚାଇଁବସା, ମୋନହରପୁର, ଖଡ଼ଗପୁର, ରାଞ୍ଚି, କୋଲକାତାର ପ୍ରମୁଖ ପରିବା ବଜାର ବ୍ୟବସାୟୀଙ୍କ ଭିଡ଼ ଜମିଥାଏ। କେବଳ ଏତିକି ନୁହେଁ ନୂଆଗାଁରୁ ଉତ୍ପାଦିତ କାପ୍‌ସିକମ୍‌ ବିଦେଶକୁ ମଧ୍ୟ ପଠାଯାଇଥାଏ।

ବ୍ଲକର ୨୦ଟି ବ୍ଲକ ମଧ୍ୟରୁ ଅଙ୍କୁରପାଲି, ବାଗଡେଗା, ବାରିଲେପ୍‌ଟା, ନୂଆଗାଁ, ଲୁକୁମବେଡ଼ା, କାତେପୁର, ଉର୍ମେଇ, କୋକେରମା, ହାତୀବାରି ଓ କର୍କଟନାସା ଆଦି ପଞ୍ଚାୟତରେ ସର୍ବାଧିକ ପନିପରିବା ଚାଷ ହୋଇଥାଏ। ଫୁଲକୋବି, ବନ୍ଧାକୋବି, ବାଇଗଣ, କଲରା, ବିଲାତି, ଲାଉ, ଟମ‌ୋଟୋ, କାପ୍‌ସିକମ୍‌, ଭେଣ୍ଡି, ଜହ୍ନି, ଲଙ୍କା, ପୋଟଳ ଆଦି ପନିପରିବା ଚାଷ ବହୁଳ ଭାବେ ହୋଇଥାଏ। ଧାନଚାଷ ବ୍ୟତୀତ ବର୍ଷତମାମ ପନିପରିବା ଚା‌ଷ ହୋଇଥାଏ। ବିଶେ‌ଷ କରି ନଭେମ୍ବର ଓ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ମଧ୍ୟରେ ସର୍ବାଧିକ ପନିପରିବା ଚାଷ ହୋଇଥାଏ। ପ୍ରାୟ ୨ ହଜାରରୁ ଅଧିକ ହେକ୍ଟର ଜମିରେ ପନିପରିବା ଚାଷ ହୋଇଥାଏ। ୧୦ ହଜାର କ୍ବିଣ୍ଟାଲରୁ ଅଧିକ ପନିପରିବା ଉତ୍ପାଦନ ହୋଇଥାଏ। ଉତ୍ପାଦିତ ପନିପରିବାରୁ ୪୦ ପ୍ରତିଶତ ସ୍ଥାନୀୟ ମାର୍କେଟରେ ବିକ୍ରି ହୋଇଥାଏ।

ଅବଶିଷ୍ଟ ୬୦% ପନିପରିବା ବାହାର ରାଜ୍ୟକୁ ଚାଷୀମାନେ ପଠାଇଥାନ୍ତି। ଧାନଚାଷ ବ୍ୟତୀତ ଚାଷୀମାନେ ପନିପରିବାରୁ ବେଶ୍‌ ଭଲ ଦି ପଇସା ରୋଜଗାର କରିଥାନ୍ତି। ଅଧିକାଂଶ ସମୟରେ ପରିବାଚାଷୀ ପନିପରିବାର ଉଚିତ ମୂଲ୍ୟ ପାଇନଥାନ୍ତି। ଉଚିତ ମୂଲ୍ୟ ମିଳୁ ନଥିବାରୁ ଟମୋଟା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। କାରଣ ପନିପରିବା ଓ ଟମୋଟା ରଖିବାକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶୀତଳଭଣ୍ଡାର କରାଯାଇପାରିନି। ରାଜନୈତିକ ଦଳ ଓ ଚାଷୀସଙ୍ଗଠନ ପକ୍ଷରୁ ଏକାଧିକବାର ଦାବି ହୋଇଛି। ଫଳ ଶୂନ୍‌। ନୂଆଗାଁରେ ଗତ ପ୍ରାୟ ୪ ବର୍ଷ ତଳେ ଶୀତଳଭଣ୍ଡାର ପାଇଁ ପାଚେରୀ ନିର୍ମାଣ ହୋଇଛି। ତାହା ସେମିତି ପାଚେରୀ ସୀମିତ ରହିଛି। କେବେ ଶୀତଳଭଣ୍ଡାର ନିର୍ମାଣ ହେବ ? ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବା ରଖିବେ ? କାହାରି ପାଖରେ ଉତ୍ତର ନାହିଁ। ଅନ୍ୟପଟେ ପନିପରିବା ଦ୍ବାରା ପ୍ରସ୍ତୁତ ଖାଦ୍ୟସାମଗ୍ରୀ ପାଇଁ ଛୋଟ ଛୋଟ ଉଦ୍ୟୋଗ ସ୍ଥାପନ କରାଗଲେ, ଚାଷୀମାନେ ଅଭାବୀ ବିକ୍ରିରୁ ମୁକ୍ତି ପାଆନ୍ତେ। ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଅନ୍ତା। ଏଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ନ ହେଲେ ପନିପରିବା ଉତ୍ପାଦନରୁ ନୂଆଗାଁ ନିଜର ପରିଚୟ ହରାଇବ, ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧିତ ଖବର