ଦୋଳରେ ବାହୁଡ଼ା

ପରଲୋକରେ ଅରବିନ୍ଦ ମୁଦୁଲି

ଆଉ ଜଣେ ଭଜନ ସମ୍ରାଟଙ୍କ ବିୟୋଗ
ସାରା ରାଜ୍ୟରେ ସଂଗୀତପ୍ରେମୀ ସ୍ତବ୍ଧ
୮ ତାରିଖରେ କରିଥାନ୍ତେ ପୁଅ ବାହାଘର

ଭୁବନେଶ୍ୱର : ନିରବି ଯାଇଛି ସ୍ୱରାରବିନ୍ଦଙ୍କ ସ୍ୱର। ପବିତ୍ର ଜନ୍ମାଷ୍ଟମୀରେ ଜନ୍ମ ହୋଇଥିଲେ, ଦୋଳପୂର୍ଣ୍ଣମୀରେ ବାହୁଡ଼ି ଯାଇଛନ୍ତି। ମାତ୍ର ୫୬ ବର୍ଷ ବୟସରେ ଇହ ଜଗତରୁ ବିଦାୟ ନେଇଛନ୍ତି ସ୍ୱରସମ୍ରାଟ ଅରବିନ୍ଦ ମୁଦୁଲି। ସାରା ଜୀବନ ଭଜନ ଗାଇବାର ପଣ କରିଥିବା ସ୍ୱର-ଶ୍ରୀକ୍ଷେତ୍ର ଅରବିନ୍ଦଙ୍କ ଚିତା ବି ଜଳିଛି ଶ୍ରୀକ୍ଷେତ୍ରସ୍ଥିତ ସ୍ୱର୍ଗଦ୍ୱାରରେ। ତାଙ୍କର ଅକାଳ ବିୟୋଗ ସଂଗୀତ ଓ ଶ୍ରୋତାପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳାଇଦେଇଛି।

ମାର୍ଚ ୨୮ ତାରିଖ ସନ୍ଧ୍ୟାରେ ନିଜର ଜଣେ ସମ୍ପର୍କୀୟଙ୍କ ବାହାଘର ଭୋଜିରେ ଯୋଗଦେଇ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଛକ ନିକଟସ୍ଥ ବାସଭବନକୁ ଫେରିଥିଲେ। ତେବେ ସାଢ଼େ ୧୨ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଆଦିତ୍ୟ କେୟାର ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତର ରାତି ସାଢ଼େ ୨ଟାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ବାହାଘର ମାର୍ଚ ୮ ତାରିଖରେ ଥିବାରୁ ଅନେକ ସମ୍ପର୍କୀୟଙ୍କୁ ନିଜେ ନିମନ୍ତ୍ରଣ କାର୍ଡ ବାଣ୍ଟିଥିବା ବେଳେ ବହୁ ସମ୍ପର୍କୀୟଙ୍କୁ ଫୋନ୍‌ରେ ଯୋଗାଯୋଗ କରୁଥିଲେ। ହେଲେ ସେ ଖୁସିର ମୁହୂର୍ତ ଆସିବା ପୂର୍ବରୁ ସେ ବିଦାୟ ନେଇଗଲେ।

୧୯୬୧ ମସିହା ସେପ୍ଟେମ୍ବର ୧ ତାରିଖରେ ଖୋର୍ଧା ଜିଲ୍ଲା ଖଣତି ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅରବିନ୍ଦ ପିଲାଦିନରୁ ଭିକାରୀ ବଳଙ୍କ ଭଜନ ଶୁଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେ ନିଜ ଗାଁ’ରୁ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ଭିକାରୀ ବଳଙ୍କ ନିକଟକୁ ଯାଇ ନିଜ ସ୍ୱରର ପରୀକ୍ଷା ଦେଇଥିଲେ। ସେଇଠୁ ସେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଶିଷ୍ୟ ପାଲଟି ଯାଇଥିଲେ। ୧୯୮୪ ମସିହାରେ ସନ୍ଧ୍ୟାଦର୍ଶନ ଦିନ ଶରଧାବାଲିରେ ଆୟୋଜିତ ଭଜନ ସମାରୋହରେ ‘ବାଲି ଖେଳୁଥିଲେ ନନ୍ଦ ସୂତ କଳା କହ୍ନେଇ…ଗୀତରୁ ସେ ନିଜର ସଂଗୀତ ଜୀବନର ଜୟଯାତ୍ରା ଆରମ୍ଭ କରିଥିଲେ। ଏଇ ଗୀତ ତାଙ୍କୁ ଏତେ ଲୋକପ୍ରିୟ କରିଥିଲା ଯେ, ପ୍ରତିଟି ଭଜନ ପେଣ୍ଡାଲ୍‌ରେ ସେ ନିଶ୍ଚେ ଲୋଡ଼ା ପଡ଼ୁଥିଲେ। ପରେ ସେ ‘ଆସିଥିଲି ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗଦ୍ୱାର.., ସୁଭଦ୍ରାର ଭାଇ ତୁ ବଳିଆର ଭାଇ.., ପିଞ୍ଜିରି ପିଞ୍ଜା…, କର୍ମଫଳ ଯଦି ଭୋଗିବାକୁ ହୁଏ.., କଳା ସାଅନ୍ତେ ଅଛ କେମନ୍ତେ.., ଚାଳରେ ମୋ’ ବସୁ ପଛେ ଶାଗୁଣା ପକ୍ଷୀ.., ଓଡ଼ିଆର ଗେହ୍ଲାପୁଅ ତୁ କାଳିଆ.. ଭଳି ୩ହଜାରରୁ ଊର୍ଧ୍ୱ ଗୀତ ଗାଇ ଓଡ଼ିଆ ଜନମାନସରେ ପାଲଟି ଯାଇଥିଲେ ଆଉ ଜଣେ ଭଜନ ସମ୍ରାଟ। କେବଳ ‘ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର’ ଚଳଚ୍ଚିତ୍ରର ‘ଶିବ ଶଙ୍କର…ଗୀତକୁ ଛାଡ଼ି ଦେଲେ ସେ ଆଉ କୌଣସି ଚଳଚ୍ଚିତ୍ରରେ ଗାଇ ନଥିଲେ। ସୁଯୋଗ ମିଳିଥିଲେ ହେଁ କେବଳ ଭଜନରେ ସୀମିତ ରହିବାର ଝୁଙ୍କ୍‌ ଯୋଗୁଁ ସେ ଚଳଚ୍ଚିତ୍ରରେ ସୁଯୋଗକୁ ଅଗ୍ରାହ୍ୟ କରିଥିଲେ। ୧୯୮୫ରୁ ଏଯାବତ୍‌ ସେ ଓଡ଼ିଶାର ପୁରପଲ୍ଲୀରେ ଭଜନ ଗାଇ ଚାଲିଥିଲେ। ସ୍ୱର ଥମିନଥିଲା। ତାଙ୍କ କଣ୍ଠ ନିଃସୃତ ‘ସଂସାର ବନ୍ଧନ ଆସିଛି ଛିଣ୍ଡେଇ… ମୋ କାଳିଆରେ…ଗୀତ ଭଳି ଶେଷରେ ସଂସାର ବନ୍ଧନ ଛିଣ୍ଡେଇ ଅକସ୍ମାତ ଆରପୁରକୁ ଚାଲିଗଲେ।

ଜୀବନ କାଳ ମଧ୍ୟରେ ସେ ଅନେକ ପୁରସ୍କାର ଲାଭ କରିଥିବା ବେଳେ ପୁରୀର ଗଜପତିଙ୍କଠାରୁ ୧୯୯୪ରେ ପାଇଥିବା ସ୍ୱର ଶ୍ରୀକ୍ଷେତ୍ର ସମ୍ମାନ, ମହାପୁରୁଷ ଅରକ୍ଷିତ ଦାଶ ସମ୍ମାନ, କୈବଲ୍ୟ କଣ୍ଠ ସମ୍ମାନ, ସ୍ୱର୍ଣ୍ଣଶ୍ରୀ ସମ୍ମାନ, ଉତ୍କଳ ସମ୍ମାନ, ବୋଲଗଡ଼ ରତ୍ନ, ସଂଗୀତ ସୁଧାକର, ଶ୍ରୀଜଗନ୍ନାଥ ସମ୍ମାନ, କାଞ୍ଚି କାବେରୀ ସମ୍ମାନ, ଭଜନ ରତ୍ନ ଭଳି ଅଜସ୍ର ସମ୍ମାନ ଲାଭ କରିଥିଲେ। ତାଙ୍କର ଜଗନ୍ନାଥ ପ୍ରେମ ଏମିତି ଥିଲା ଯେ, ନିଜ ଘରର ଫାଟକ, ଗାଡ଼ି ସବୁଥିରେ ଜୟ ଜଗନ୍ନାଥ ଲେଖିଥିଲେ। ଫୋନ୍‌ରେ ହାଲୋ ନକହି ଜୟ ଜଗନ୍ନାଥ କୁହ ବୋଲି ପ୍ରଚାର ବି କରୁଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ବାସଭବନ ନିକଟରେ ପ୍ରଣବ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଲିତ୍‌, ମନ୍ମଥ ମିଶ୍ର, ଶାନ୍ତିଲତା ଛୋଟରାୟ, ବସନ୍ତ ପାତ୍ର, ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ମର ଶରୀର ନିକଟରେ ପତ୍ନୀ ସଂଯୁକ୍ତା ମୁଦୁଲି, ପୁଅ ଜଗବନ୍ଧୁ ମୁଦୁଲି, କୃପାସିନ୍ଧୁ ମୁଦୁଲି ଏବଂ ଝିଅ ସଂଗୀତା ମୁଦୁଲିଙ୍କ ସମେତ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ଅରବିନ୍ଦଙ୍କ ମର ଶରୀରକୁ ପୁରୁଣା ଭୁବନେଶ୍ୱରରୁ ଖୋର୍ଧା ଜିଲ୍ଲା ଖଣତି ଗ୍ରାମକୁ ଶୋଭାଯାତ୍ରାରେ ନିଆଯାଇଥିଲା। ସେଠାରୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା। ସେ ଭଜନ ଜୟଯାତ୍ରା ଆରମ୍ଭ କରିଥିବା ଶରଧାବାଲିରୁ ତାଙ୍କ ମର ଶରୀରକୁ କାନ୍ଧେଇ ସ୍ୱର୍ଗଦ୍ୱାର ନିଆଯାଇଥିଲା। ଦୋଳପୂର୍ଣ୍ଣମୀ ସନ୍ଧ୍ୟାରେ ଦିଅଁ ଦୋଳରେ ଝୁଲିବା ସମୟରେ ସ୍ୱର୍ଗଦ୍ୱାରରେ ତାଙ୍କର ଚିତା ଜଳିଥିଲା। ସାନପୁଅ କୃପାସିନ୍ଧୁ ମୁଦୁଲି ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର