୧୪ରୁ ଖରିଫ ମଣ୍ଡି: ଏ ଯାଏଁ ଚାଷୀଙ୍କୁ ମିଳିନି ଟୋକନ୍‌

କ୍ରୟକାରୀ ସଂସ୍ଥା ଓ ମିଲର୍ସଙ୍କ ସହ ହୋଇନି ଚୁକ୍ତି

ଜୟପୁର: ଦିନକ ପରେ ଖରିଫ ମଣ୍ଡି ପାଇଁ ଜିଲ୍ଲା ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ଏଯାଏଁ ଗୋଟିଏ ବି ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଟ‌ୋକେନ୍ ମିଳିନି। ସେଭଳି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଧାନ କିଣିବା ପାଇଁ ରହିଥିବା କ୍ରୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା ସ୍ବୟଂ ସହାୟକ ଦଳ ଓ ପାଣିପଂଚାୟତ ଚୁକ୍ତି ନାମ କରିନାହାନ୍ତି। ଏହାଫଳରେ ଧାନ ଉଠାଇବାକୁ କ୍ରୟକାରୀ ସଂସ୍ଥାକୁ ‘ସାସ୍’ ଦିଆଯାଇନି। ସେଭଳି ଧାନ ନେଇ ଚାଉଳ ଦେବାକୁ ଥିବା ମିଲର୍ସଙ୍କ ମଧ୍ୟରେ ୯୭ରୁ ୮୧ଜଣ ଇଛାପତ୍ର ଦେଇଥିବା ବେଳେ ଚୁକ୍ତିନାମା ଏଯାଏଁ ହୋଇପାରିନି।

ଅପରପକ୍ଷରେ ଚୁକ୍ତିନାମା ସରିବା ପରେ ର୍ହି  ‘ମାସ୍’ ଦିଆଯିବ। କୋରାପୁଟ ଜିଲ୍ଲାରେ ୯୯ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଉଛି।  ଚଳିତ ମାସ ୧୪ରୁ ଆରମ୍ଭ ହେବ  ମଣ୍ଡି। ଜିଲ୍ଲାରେ ଚଳିତ ବର୍ଷ ଜୟପୁର ଉପଖଣ୍ଡରେ ୭୭ଟି ଓ କୋରାପୁଟ ଉପଖଣ୍ଡରେ ୨୭ଟି ଏଭଳି ୧୦୪ଟି ମଣ୍ଡିରେ ଧାନ କିଣାଯିବାକୁ ପ୍ରଶାସନ ନିଷ୍ପତି ନେଇଛି। ଖରିଫ ମଣ୍ଡିରେ ୨୦ଟି ଲ୍ୟାମ୍ପ, ୨୩ଟି ଏସଏଚଜି, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ଧାନ ବିକ୍ରୀ କରିବାକୁ  ୪୧ହଜାର ୭୩୬ଜଣ ଚାଷୀ ପଂଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୪୪୬ଜଣ ଭୁତ ଚାଷୀଙ୍କୁ ସରକାର ଚିହ୍ନଟ କରିଛନ୍ତି। ୨୨ଟି ମହିଳା ଏସଏଚଜି, ୨୦ଟି ଲ୍ୟାମ୍ପ ଓ ୩ଟି ପାଣି ପଂଚାୟତ ଦ୍ବାରା ଧାନ କିଣାଯିବ। ସନ୍ଦିଗ୍ଧ ପ୍ଲଟ ୨୧ହଜାର ୮୦୪ରୁ ୨୧ହଜାର ୭୮୭ପ୍ଲଟର ଯାଂଚ ସରିଥିବା ବେଳେ ୧୭ଟି ପ୍ଲଟର ଯାଂଚ ବାକି ରହିଛି। ସଂପ୍ରତି ଜାରି ରହିଥିବା ବେଳେ ଏହାରି ମଧ୍ୟରେ ୨୧ହଜାର ୭୮୭ପ୍ଲଟର ପ୍ରାଥମିକ ଯାଂଚ ପ‌ରେ ୬୦୩୬ଟି ପ୍ଲଟରେ ଚାଷ  କରୁଥିବା ଚିହ୍ନଟ ହୋଇଥିବା ବେଳେ ୨ହଜାର ୩୬୨ଟି ପ୍ଲଟ ସଂପୁର୍ଣ୍ଣ ଖାଲି ପଡ଼ିଥିବା ବେଳେ ଧାନ ବଦଳରେ ଅନ୍ୟାନ୍ୟ ଚାଷ ୧୩ହଜାର ୩୮୯ଟିରେ ହୋଇଛି।

ବଳକା ୧୭ଟି ପ୍ଲଟର ସର୍ଭେ ଆଉ ଦୁଇ ଦିନ ମଧ୍ୟରେ ସରିବ ବୋଲି ଡିଆରସିଏସ୍ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଆରଏମସି ( ନିୟନ୍ତ୍ରିତ ବଜାର କମିଟି )ପକ୍ଷରୁ ମଣ୍ଡି ପାଇଁ ପଲିଥିନ୍ ଠାରୁ ଆରମ୍ଭ କରି ଅସ୍ଥାୟୀ ଧାନ କିଣା ମଣ୍ଡପ, ପାଣି ଆଦିର ବ୍ୟବସ୍ଥା କରାଯାଇଛି। ଅପରପକ୍ଷରେ ପ୍ରଶାସନର ମଣ୍ଡି ପାଇଁ ଢ଼ିଲାପଣ ଓ ପ୍ରସ୍ତୁତି ଯେଭଳି ହେବା କଥା ହୋଇପାରିନି।ଅପରପକ୍ଷରେ ୯୮ପ୍ରତିଶତ ଚାଷୀ ଧାନ କାଟି ଅମଳ କରିସାରିଲେଣି। ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଦଲାଲ ମାନେ ଏଠାରେ ଡ଼େରା ପକାଇ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣି ଆନ୍ଧ୍ର ଓ ଛତିଶଗଡକୁ ଚାଳାଣ ଆରମ୍ଭ କରିଥିବା କିଛି ମିଲର୍ସ କହିଛନ୍ତି। ଏପରିକି କିଛି ମିଲର୍ସ ଓ ଧାନ ବ୍ୟବସାୟୀ ମାନେ ବି ଏ ଦିଗରେ ସଂପୁର୍ଣ୍ଣ ସହଯୋଗ କରୁଥିବା ମିଲର୍ସ ମାନେ କହିଛନ୍ତି। ଚାଷୀଙ୍କ ନିକଟକୁ ଯାଇ ଦଲାଲ ମାନେ କୁଇଣ୍ଟାଲ ପିଛା ୨ହଜାର ଟଙ୍କା ହାତରେ ଦେଇ ଘର ଦାଣ୍ଡରେ ଧାନ ଓଜନ କରି ନେଉଛନ୍ତି। ବାହାର ରାଜ୍ୟକୁ ଧାନ ଯାଉଥିବା ସଂପର୍କରେ ଜିଲ୍ଲା ଯୋଗାଣ ବିଭାଗ ନିକଟରେ ସୂଚନା ରହିଛି। ତେବେ ୯୭ମିଲର୍ସ ମଧ୍ୟଙ୍କ ମଧ୍ୟରୁ ୧୫ଟି ମିଲର୍ସ ୪୮ହଜାର ୩୨୧କୁଇଣ୍ଟାଲ ଚାଉଲ ଦେଇ ନଥିବାରୁ ଚୁକ୍ତିନାମା ପ୍ରକ୍ରିୟା ଆରମ୍ଭ ହୋଇ ପାରିନଥିବା ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହି ସ୍ଥିତିରେ ଆସନ୍ତା ୧୪ତାରିଖରୁ ଆରମ୍ଭ ହେବାକୁ ଥିବା ମଣ୍ଡି କେବଳ ସରକାରୀ ଭାବେ ଉଦଘାଟନ ହେବ ଏବଂ ବିଧିବଦ୍ଧ ଭାବେ ଏହି ମାସର ଶେଷ ସପ୍ତାହରୁ ହିଁ ମଣ୍ଡି ଆରମ୍ଭ ହେବ ବୋଲି କିଛି ମିଲର୍ସ କହିଛନ୍ତି।

 

 

ସମ୍ବନ୍ଧିତ ଖବର