ଅପରାଜିତା ବିବାଦ ଘନେଇଲା, ସାଂସଦଙ୍କ ସମର୍ଥନରେ ବାହାରିଲା ରାଜ୍ୟ ବିଜେପି

ଅପରାଜିତାଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କଲା ବିଜେଡି
୨୨ ବର୍ଷ ଶାସନରେ ଅହଙ୍କାର ବଢ଼ିଯାଇଛି : ଅପରାଜିତା
ଓଡ଼ିଶାକୁ ବିହାର କରିବାକୁ ସାଂସଦଙ୍କ ଯୋଜନା: ଅନନ୍ତ

ଭୁବନେଶ୍ବର : ଗୁରୁବାର ରାତିରେ ରାଜଧାନୀର ଆଚାର୍ଯ୍ୟ ବିହାରରେ ହୋଇଥିବା ବିଜେଡି-ବିଜେପି ଖଣ୍ଡଯୁଦ୍ଧ ଆଜି ତୀବ୍ର ରାଜନୈତିକ ବିବାଦର ରୂପ ନେଇଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମର୍ଥନ କରି ରାଜ୍ୟ ବିଜେପି ଆଗକୁ ଆସିଥିଲା ବେଳେ ଅପରାଜିତାଙ୍କ କାର୍ଯ୍ୟଶୈଳୀକୁ କଡ଼ା ସମାଲୋଚନା କରିଛି ବିଜେଡି। ଗଣ୍ଡଗୋଳ ଘଟଣାରେ ଅପରାଜିତା ଓ ବିଧାୟକ ଅନନ୍ତ ନାରାୟଣ ଜେନା ମୁହାଁମୁହିଁ ହୋଇଛନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ କରି ଜିଲ୍ଲା ବିଜେପି ରାସ୍ତାକୁ ଓହ୍ଲାଇଛି। ଏହାକୁ ନେଇ ରାଜଧାନୀ ରାଜନୀତି ସରଗରମ ହୋଇଉଠିଛି। ଉଭୟ ପକ୍ଷ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜୋର୍‌ଦାର ହୋଇଛି। ଫଳରେ ପୁଣି ଉଭୟ ପକ୍ଷ ମୁହାଁମୁହିଁ ହେବାର ଆଶଙ୍କା ଦେଖାଦେଇଛି।

ଗତକାଲିର ଘଟଣା ସମ୍ପର୍କରେ ଅପରାଜିତା ତାଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଥିରେ ସେ କହିଥିଲେ ଯେ ଗତକାଲି ବିଜେଡି କର୍ମୀ ଅଣ୍ଡା ଓ ଢେଲା ମାଡ଼ କରିଥିଲେ। ସେଠାରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ଓ ମହିଳାମାନେ ଭୟଭୀତ ଥିଲେ । ଦୁଇ ଦିନ ହେଲା ଜଣେ ବରିଷ୍ଠ ବିଜେଡି ନେତା ଆୟୋଜକଙ୍କୁ ୪ ଥର ଫୋନ କରି ଅପରାଜିତାଙ୍କୁ ନ ଡାକିବା ପାଇଁ କହିଥିଲେ । କିନ୍ତୁ ସେଥିରେ ସଫଳ ନ ହେବାରୁ ବିଶୃଙ୍ଖଳା ସୃଷ୍ଟି କଲେ। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା।

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ମହିଳା ଅପରାଧରେ ଓଡିଶା ଦ୍ବିତୀୟ ସ୍ଥାନରେ ଅଛି। ସାଂସଦଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି। ବିଜେଡି ପକ୍ଷରୁ ମହିଳା ମାନଙ୍କୁ ଯେଉଁ ଅତ୍ୟାଚାର ଓ ଦମନର ପ୍ରକ୍ରିୟା ଚାଲିଛି, ସେଥିରୁ ଜଣାପଡ଼ୁଛି ଯେ ସେମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ମହିଳା ଅପରାଧରେ ପ୍ରଥମ କରିବାକୁ ଚାହୁଁଛନ୍ତି। ଗତକାଲି ଘଟଣାରେ ଆକ୍ରମଣକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦିଆଯାଇଛି। ଘଟଣାର ଭିଡିଓ ରେକଡ଼ିଂ ଅଛି। ୨୪ ଘଣ୍ଟାରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ସାଂସଦ କହିଛନ୍ତି ଯେ ୨୨ ବର୍ଷର ସରକାର ରହିଲେ ଅହଙ୍କାର ଆସିଯାଏ। ବିଜେଡି କର୍ମୀମାନେ ନଇଁକି ଚାଲିବା କଥା ଭୁଲି ଯାଉଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ଓ ଅରାଜକତା କାହାକୁ ଦରକାର ନାହିଁ। ରାଜ୍ୟ ସରକାରଙ୍କ ଦାୟିତ୍ୱ ସାଂସଦଙ୍କୁ ସୁରକ୍ଷା ଦେବା। ଗୋଟିଏ କଥା ସନ୍ଦେହ ହେଉଛି ଯେ ମୁଖ୍ୟମନ୍ତ୍ରୀ ଅରାଜକତା ସମ୍ପର୍କରେ ଅବଗତ ଅଛନ୍ତି ତ ? ବୋଧେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ କଥା ପହଞ୍ଚୁ ନାହିଁ। ୨୯ ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବେ ବୋଲି ସେ କହିଛନ୍ତି।

ଗତକାଲିର ଗଣ୍ଡଗୋଳ ପାଇଁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସିଧାସଳଖ ଅପରାଜିତାଙ୍କୁ ଦାୟୀ କରିଛନ୍ତି। ସେ ଆରୋପ ଲଗାଇଛନ୍ତି ଯେ ସାଂସଦଙ୍କ ଇଙ୍ଗିତରେ ବସ୍ତି ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଛି। ଆଚାର୍ଯ୍ୟ ବିହାର ନିକଟରେ ସାଂସଦଙ୍କୁ ନିଜ ଅଞ୍ଚଳର ସମସ୍ୟା ଓ ବିକାଶ କାର୍ଯ୍ୟ ସମ୍ପର୍କରେ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ସାଂସଦ ତାଙ୍କର ନିଜସ୍ଵ ଗୁଣ୍ଡା ବାହିନୀ ଲଗାଇ ଅସଦାବରଣ ଓ ମରଣାନ୍ତକ ଆକ୍ରମଣ କଲେ। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ମିଶିବା ପାଇଁ ଏବଂ ଲୋକଙ୍କୁ ସାମ୍ନା କରିବାକୁ ସେ ଏତେ ଡରୁଛନ୍ତି କାହିଁକି? ସବୁବେଳେ ଅପରାଜିତାଙ୍କ ପାଖେ ପାଖେ ରହୁଥିବା ଜିମ୍ ବାପି କିଏ ? ୧୫ ରୁ ଅଧିକ ସଙ୍ଗୀନ ଆପାରାଧିକ ମାମଲା ଥିବା ଜିମ୍ ବାପି ବିଜେପିର ପ୍ରାଥମିକ ସଦସ୍ୟ ନା ଗୁଣ୍ଡା ବାହିନୀର ସର୍ଦ୍ଦାର ? ଜଣେ ନିର୍ବାଚିତ ସାଂସଦ ଯଦି ଜନତାଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି, ତେବେ ପୁଲିସର ସୁରକ୍ଷା ନ ନେଇ ଏକ ନିଜସ୍ଵ ସୁରକ୍ଷା ବାହିନୀ ଧରି ବୁଲୁଛନ୍ତି କାହିଁକି? ମୋ ଜାଣିବାରେ ଆଜି ପର୍ଯ୍ୟନ୍ତ ଓଡ଼ିଶାର କୌଣସି ନେତା ଏଭଳି ନିଜସ୍ଵ ଗୁଣ୍ଡା ବାହିନୀ ସୃଷ୍ଟି କରି ଲୋକଙ୍କୁ ଭୟଭୀତ କରୁନାହାନ୍ତି। ଅପରାଜିତା ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାକୁ ବିହାର ଭଳି କରିବାକୁ ଚେଷ୍ଟା କରୁଛନ୍ତି। ଏପରି ଅପଚେଷ୍ଟା କରୁଥିବା ଅପରାଜିତାଙ୍କୁ ଆଗାମୀ ଦିନରେ ଜନତା ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

ଅପର ପକ୍ଷରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଘଟଣାକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରତିହିଂସା ପରାୟଣ ହୋଇ ଶାସକ ବିଜେଡି ଦ୍ୱାରା ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ। ବିଜେଡି ଶାସନରେ ମହିଳାମାନେ ଯେ ବିପଦରେ ତାହା ପୁଣିଥରେ ପ୍ରମାଣିତ ହେଲା। ବିରୋଧୀଙ୍କ ପ୍ରତିବାଦକୁ ସାମ୍ନା ନକରି ଶାସକ ବିଜେଡି ଅସହିଷ୍ନୁ ହୋଇ ପଡ଼ି ହିଂସାପରାୟଣ ହୋଇପଡିବା ଲଜ୍ଜାଜନକ।
ବିଜୁ ଜନତା ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖାଯିବା ସହ ବିଜେପି ରାଜ୍ୟ ସଭାପତିଙ୍କ ଆଭିମୁଖ୍ୟକୁ ନିନ୍ଦା କରାଯାଇଛି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏଭଳି କାର୍ଯ୍ୟକୁ କେଉଁ ସ୍ୱାର୍ଥରେ ରାଜ୍ୟ ବିଜେପି ସଭାପତି ସମର୍ଥନ କରୁଛନ୍ତି ?

ସମ୍ବନ୍ଧିତ ଖବର