ବଟି ଦେଲେନି ବୋଲି ଅଣ୍ଡା ବେପାରୀଙ୍କୁ ଖଣ୍ଡା ଚୋଟ

ଚନ୍ଦ୍ରଶେଖରପୁର : କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ଅଭିଯାନ ଏବେ ଧିମେଇ ଯାଇଛି। ପାର୍ବଣ ଋତୁ ଶେଷ ହୋଇଯାଇଥିବାରୁ ପୁଲିସର ଏଦିଗ ପ୍ରତି ବିଶେଷ ନଜର ନାହିଁ। ଏହି ମଉକାରେ କିଛି କୁଜି ଦାଦା ପୁଣି ଉତ୍ପାତ ଆରମ୍ଭ କରିଛନ୍ତି। ଆଜି ଅପରାହ୍ଣରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ଅଣ୍ଡା ବ୍ୟବସାୟୀଙ୍କୁ ଖଣ୍ଡା ଚୋଟ ଖାଇବାକୁ ପଡ଼ିଛି। ଦାଦା ବଟି ନଦେବାରୁ ଦୁର୍ବୃତ୍ତ ଜଣକ ଅଣ୍ଡା ବେପାରୀଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛି।

ଧିରିକୁଟି ବସ୍ତି ଛକରେ ବଳରାମ ସାହୁ ଓରଫ୍ ଗଡ଼ୁଆଙ୍କର ଏକ ଅଣ୍ଡା ଦୋକାନ ରହିଛି। ସିଝା ଅଣ୍ଡା ଓ ଆମ୍‌ଲେଟ୍‌ ବିକିବା ସହ ସେ ପାଇକାରୀ ଦର‌ରେ ମଧ୍ୟ ଅନ୍ୟମାନଙ୍କୁ ଅଣ୍ଡା ବିକନ୍ତି। ସ୍ଥାନୀୟ ଅଞ୍ଚଳର ଦିପୁ ନାମକ ଜଣେ ଦୁର୍ବୃତ୍ତ ଗତ କିଛି ଦିନ ହେଲା ତାଙ୍କୁ ବଟି ମାଗି ଆସୁଥିଲା। ମାତ୍ର ଗଡ଼ୁଆ ବଟି ଦେବେ ନାହିଁ ବୋଲି ରୋକ୍‌ଠୋକ ମନା କରିଥିଲେ। ଆଜି ଅପରାହ୍ଣରେ ହଠାତ୍ ଦିପୁ ଗଡ଼ୁଆଙ୍କ ଦୋକାନରେ ପହଞ୍ଚି ଏକ ଖଣ୍ଡାରେ ହାଣି ପକାଇଥିଲା। ଗଡ଼ୁଆ ହାତ ଦେଖାଇ ଦେବାରୁ ଖଣ୍ଡା ଚୋଟ ତାଙ୍କ ବାମ ହାତରେ ପଡ଼ିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦିପୁ ସେଠାରୁ ପଳାଇଥିଲା। ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି ଓ ପୁଲିସ ଦିପକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ସମ୍ବନ୍ଧିତ ଖବର