ଏବେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବା ପ୍ରସ୍ତାବ ନାହିଁ, ବିଧାନସଭାରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଶ୍ରୀମନ୍ଦିର  ରତ୍ନକୁ ତନଖି କରିବା ନିମନ୍ତେ ଏବେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ତାଲିକା କରାଯାଇଥିବା ସୁନା ଓ ରୂପା ସାମଗ୍ରୀ ସୁରକ୍ଷିତ ଅଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି  ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷ ଥର ପାଇଁ କେବେ ଖୋଲାଯାଇଥିଲା ଓ ଏହି ସମୟରେ କ’ଣ କ’ଣ ରତ୍ନ ମିଳିଥିଲା  ଏବଂ ବର୍ତ୍ତମାନ କେଉଁ କାରଣ ପାଇଁ ରତ୍ନଭଣ୍ଡାର ଖୋଲାଯାଉନାହିଁ ଓ ଶେଷଥର ଗଣତି ହୋଇଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ ବୋଲି  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ଲିଖିତ ଭାବେ ଆଇନ ମନ୍ତ୍ରୀ କହିଛନ୍ତି, ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ୧୯୮୫ ମସିହାରେ ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଚ୍ଛିତ ଥିଲା । ସେହିଭଳି ୨୩୬ ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଚ୍ଛିତ ଥିଲା । ଏହି ଅଳଙ୍କାର ଓ ସାମଗ୍ରୀ ମଧ୍ୟରୁ ୮ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ମୂର୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବା କହିଛନ୍ତି ମନ୍ତ୍ରୀ । ତେବେ ରତ୍ନକୁ ତନଖି କରିବା ନିମନ୍ତେ ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ  ଏବଂ ତାଲିକା କରାଯାଇଥିବା ସମସ୍ତ ସୁନା ଓ ରୂପା ସାମଗ୍ରୀ ସୁରକ୍ଷିତ ଅଛି।

ଏହାପରେ ବିଜେପି ବିଧାୟିକା କୁସୁମ ଟେଟେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି, ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଡିଟ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ନେଇ କି ପଦକ୍ଷେପ ନିଆଯାଇଛି । ତେବେ ବିଧାୟିକାଙ୍କ ଏହି ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଡିଟ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ପାଇଁ ପଦକ୍ଷେପ ନିଆଯାଇ ନାହିଁ ।

 

ସମ୍ବନ୍ଧିତ ଖବର