ଆର୍‌ଜିଏଚ୍‌ ହେବ ବିଶ୍ବସ୍ତରୀୟ ହସ୍ପିଟାଲ; ୬୬୦ କୋଟି ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଶନିବାର ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର କରିଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ୬୬୦ କୋଟି ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର କରିଛନ୍ତି। ଆର୍‌ଜିଏଚ୍‌ ୪୦୦ ବେଡ୍‌ରୁ ୮୦୦ ବେଡ୍‌କୁ ବୃଦ୍ଧି ପାଇବ। ଅର୍ଥାତ୍‌ ନୂତନ ୪୦୦ ବେଡ୍‌ ହସ୍ପିଟାଲ ନିର୍ମାଣ ହେବ। ଏଥି ମଧ୍ୟରୁ ୧୦୦ କ୍ରିଟ୍‌କାଲ ବେଡ୍‌ ରହିବ। ଏଥିସହ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତର ଓ କର୍ମଚାରୀଙ୍କ କ୍ବାର୍ଟର୍ସ, ଲାବ୍ରୋଟୋରୀ ଆଦି ନିର୍ମାଣ ହେବାକୁ ଯାଉଛି। ରାଜ୍ୟର ଅନ୍ୟ ପ୍ରମୁଖ ସରକାରୀ ଡାକ୍ତରଖାନା ପରି ଆର୍‌ଜିଏଚ୍‌ ବିଶ୍ବସ୍ତରୀୟ ହସ୍ପିଟାଲ ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ଦିଗରେ ଏଗୁଡିକ ହେଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ୫ଟି ଉପକ୍ରମରେ ଆଜି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆସିଛି। ଲୋକଙ୍କ ସୁବିଧା ପାଇଁ ହସ୍‌ପିଟାଲଗୁଡିକୁ ‘ଆମ ହସ୍‌ପିଟାଲ’ରେ ବିକଶିତ କରାଯାଉଛି। ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହୋଇ ରହିବ। ବଲାଙ୍ଗିରରୁ ବାରିପଦା, ସୁନ୍ଦରଗଡରୁ କେନ୍ଦୁଝର ଓ ବାଲେଶ୍ୱର ସବୁ ଅଞ୍ଚଳର ଜନସାଧାରଣ ଏହା ଦ୍ୱାରା ଉପକାର ପାଇବେ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ଆର୍‌ଏମ୍‌ସି କମିସନର ଆଶୁତୋଷ କୁଲକର୍ଣ୍ଣି, ଆର୍‌ଜିଏଚ୍‌ର ଅଧୀକ୍ଷକ ଡାକ୍ତର ଗଣେଶ ପ୍ରସାଦ ଦାସ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର