ସର୍ଟସର୍କିଟ୍ ଯୋଗୁ ଜଳିଗଲା ଦୋକାନ

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କନ୍ତଯୋଡ଼ିସାହି ଛକରେ ଥିବା ଏକ ବିଦ୍ୟୁତ୍‌ସାମଗ୍ରୀ ଦୋକାନ ସର୍ଟସର୍କିଟ୍‌ ଯୋଗୁ ଜଳିଯାଇଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ବନ୍ଦଥିବା ଦୋକାନରୁ ହୁହୁ ହୋଇ ଧୂଆଁ ବାହାରିଥିଲା। ସ୍ଥାନୀୟଲୋକେ ସ୍ଥାନୀୟ ଦମକଳବାହିନୀକୁ ଖବରଦେବା ସହ ବିଦ୍ୟୁତ୍‌ ବିଭାଗକୁ ମଧ୍ୟ ଖବର ଦେଇଥିଲେ। ଖବରପାଇ ସଙ୍ଗେସଙ୍ଗେ ବିଦ୍ୟୁତ୍‌ ସଟ୍‌ଡାଉନ୍ କରାଯିବା ସହ ବଣାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଦୋକାନଟି ତାଲା ପଡ଼ିଥିବାରୁ ମାଲିକଙ୍କ ସହିତ ଯୋଗାଯୋଗ କରିବା ପାଇଁ ବହୁଚେଷ୍ଟା କରିଥିଲେ ସ୍ଥାନୀୟଲୋକେ। ମାତ୍ର ଦୋକାନ ମାଲିକଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ନିକଟରେ ଥିବା ଅନ୍ୟଦୋକାନରେ କାଳେ ନିଆଁ ଲାଗିଯିବ ସେଥିପାଇଁ ନିଆ ଲାଗିଥିବା ଦୋକାନର ତାଲାଭାଙ୍ଗି ସଟର ଖୋଲି ଦେଖିବାବେଳକୁ ଦୋକାନ ଭିତରେ ହୁହୁ ହୋଇ ଜଳୁଥିଲା। ଅଗ୍ନିଶମ ବାହିନୀ ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା। ଖବରପାଇ ବଣାଇ ଥାନାଧିକାରୀ ନଗେନ୍ଦ୍ର କୁମାର ସାହୁ ପହଞ୍ଚି ଘଟଣା ଅନୁଧ୍ୟାନ କରିଥିଲେ। ଦୋକାନମାଲିକ କୌଣସିମତେ ଖବରପାଇ ପହଞ୍ଚିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଦୋକାନମାଲିକ କହିଥିଲେ।

ସମ୍ବନ୍ଧିତ ଖବର