ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ଚତୁର୍ଥ ସନ୍ଧ୍ୟା: କିମିଆକଲା ଏଲିଆନାଙ୍କ ଓଡ଼ିଶୀ ଓ ନରେନ୍ଦ୍ରଙ୍କ ବଂଶୀ

ରାଉରକେଲା: ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଓଡ଼ିଶୀ ଓ ଲୋକନୃତ୍ୟ ଦର୍ଶକଙ୍କୁ ଅବିଭୂତ କରିଛି। ବିଶେଷକରି ସୁନାମଧନ୍ୟ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଉପାଧିପ୍ରାପ୍ତ ଏଲିଏନା ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ଆଜିର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏଲିଏନା ମହାକବି କାଳିଦାସଙ୍କ ରଚିତ ମେଘଦୂତମ ଉପରେ ପର୍ଯ୍ୟବେସିତ କାହାଣୀକୁ ନୃତ୍ୟ ସ୍ତବକ ରୂପେ ପରିବେଷଣ କରିଥିଲେ। ଏହି ନୃତ୍ୟ ମାଧ୍ୟମରେ ପକ୍ଷୀ, ହଂସରାଳୀ, ମୟୂର, ପୁଷ୍ପରାଜି, ପର୍ବତ ଓ ନଦୀକୁ ଅତି ନିଖୁଣ ରୂପେ ବର୍ଣ୍ଣନା କରିଥିଲେ। ନୃତ୍ୟ ସ୍ତବକରେ ଶିଳ୍ପୀମାନେ ଆଦ୍ୟ ବର୍ଷାରେ ବିରହ ମର୍ମରିତ ପ୍ରେମିକଟିଏ ସୁଦୂର ହିମାଳୟରେ ରହୁଥିବା ନିଜର ପ୍ରିୟତମାକୁ ବାର୍ତ୍ତାଟିଏ ପହଞ୍ଚାଇବା ପାଇଁ ଆକାଶରେ ଭାସୁଥିବା ଘନମେଘକୁ କିଭଳି ବ୍ୟାକୁଳ ପ୍ରାର୍ଥନା କରୁଛି, ତା’ର ବ୍ୟାଖ୍ୟା ଅତି ସୁନ୍ଦରଭାବେ ନୃତ୍ୟ ମାଧ୍ୟମରେ ରୂପାୟିତ ହୋଇଥିଲା। ପରେ ଏଲିଆନାଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ବରର ସୁପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ‘ଆର୍ଟ ଭିଜନ’ର କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଉତ୍ସବ ଚରଣ ଦାସ ଓ ସାଥୀ  ଓଡ଼ିଶାର ଲୋକପ୍ରିୟ ‘ଘୋଡ଼ାନାଚ’ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠିତ ଭଞ୍ଜ କଳା କେନ୍ଦ୍ରର ଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟକୁ ଦର୍ଶକ ଉପଭୋଗ କରିଥିଲେ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ଗୁରୁ ନରେନ୍ଦ୍ର ନାୟକ ଓ ଅନୁଷ୍ଠାନର କଳାକାରଙ୍କ ସୁମଧୁର ବଂଶୀ ବାଦନ ସହିତ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା।
ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥି ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟି ଅଧ୍ୟକ୍ଷ ଜୁଏଲ ଓରାମ, ସମ୍ମାନିତ ଅତିଥି ଏସ୍‌ବିଆଇ ଆଞ୍ଚଳିକ ପ୍ରବନ୍ଧକ ଅସୀମ ଘୋଷ ଯୋଗଦେଇଥିଲେ। ଏହି ଅବସରରେ କବୟିତ୍ରୀ କନକଲତା ମିଶ୍ରଙ୍କ ରଚିତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଭଞ୍ଜ ସାଂସ୍କୃତିକ ନ୍ୟାସର ଅଧ୍ୟକ୍ଷ ତରୁଣ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଧାକୃଷ୍ଣ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଆରଏସପି ଲୋକ ସମ୍ପର୍କ ବିଭାଗର ସହକାରୀ ପ୍ରବନ୍ଧକ ଶଶାଙ୍କ ପଟ୍ଟନାୟକ ଓ କୋଏନା ଦସ୍ତିଦାର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉପସଭାପତି ଆଲୋକ ବେହେରା ଧନ୍ୟବାଦ ଦେଇଥିଲେ।
ସମ୍ବନ୍ଧିତ ଖବର