ସୁଯୋଗ ମିଳିଲେ ଓଡ଼ିଆ ପିଲା ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରିବେ

ଦକ୍ଷତା ବିକାଶ କେନ୍ଦ୍ର ପ୍ରେକ୍ଷାଳୟ ଲୋକାର୍ପିତ, ୫୦ କୋଟି ‌ଖର୍ଚ୍ଚ, ୧୨୦୦ ଲୋକ ବସିବାର କ୍ଷମତା

ଭୁବନେଶ୍ୱର : ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ବାସ ବଢ଼ାଇବା ଦିଗରେ ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କାର୍ଯ୍ୟ କରୁଛି। ପିଲାମା‌ନେ ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ତାହା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଭୁବନେଶ୍ବରସ୍ଥିତ ଏସ୍‌ଡିଆଇର ନୂତନ ପ୍ରେକ୍ଷାଳୟକୁ ଉଦ୍‌ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା‌ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାରୀସ୍ତରରେ ଆଜି ଉଦ୍‌ଘାଟିତ ହୋଇଥିବା ଏହି ପ୍ରେକ୍ଷାଳୟ ଓଡ଼ିଶାର ସର୍ବବୃହତ। ଏହି ପ୍ରେକ୍ଷାଳୟର ନ‌ାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ଏସଡିଆଇ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢ଼ିବା ପାଇଁ ପ୍ରେରିତ ହେବେ। ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ‘ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ୍ ନୁହେଁ।’ ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜିବୀତ କରିବା ଲାଗି ଭୁବନେଶ୍ବର ଏସ୍‌ଡିଆଇର କଳ୍ପନା କରାଯାଇଛି। ଏହାଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଉଛନ୍ତି। ଶ୍ରେଣୀଗୃହ ସହ ଛାତ୍ରାବାସ, ଖେଳ ପଡ଼ିଆ, ଲ୍ୟାବ, ଥିଏଟର ଭଳି ଅତ୍ୟାଧୁନିକ ସୁବିଧା କରାଯାଇଛି। ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ଏହି ପ୍ରେକ୍ଷାଳୟରେ ୧୨୦୦ ଲୋକ ବସିବାର କ୍ଷମତା ରହିଛି।

ସେ ଆହୁରି କହିଲେ ସୁଯୋଗ ମିଳିଲେ ଓଡ଼ିଆ ପିଲା ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ସମର୍ଥ। ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଆଗାମୀ ଦିନରେ ଏହି କ୍ୟାମ୍ପସକୁ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ କରିବା ପାଇଁ ଅଧିକ ଉଦ୍ୟମ କରା‌ଯିବ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶିଳ୍ପାନୁଷ୍ଠାନ, ବିଦେଶରେ ଥିବା ସର୍ଭିସ ଇଣ୍ଡଷ୍ଟ୍ରି ସହ ଦକ୍ଷତା ଆଧାରିତ ପ୍ରଶିକ୍ଷଣ ପିଲ‌ାଙ୍କୁ ଦିଆଯିବ। ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ୫-ଜି ଟେକ୍ନୋଲୋଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ବିଶ୍ୱରେ ନୂଆ କ୍ରାନ୍ତି ଆଣିବ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଆ ପିଲାମାନେ ଦାଦନ ଖଟିବା ପାଇଁ ନୁହେଁ ବରଂ ବାହାରକୁ ଯାଇ ମାଲିକ ହେବାର ସ୍ୱପ୍ନ ଦେଖିବା ଉଚିତ୍। ସେହିପରି ଆଗାମୀ ଦିନରେ ହେବାକୁ ଥିବା ଡିଜିଟାଲ ବିଶ୍ୱବିଦ୍ୟାଳୟ ଦ୍ବାରା ଯୁବପିଢ଼ି ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର