ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି, ହଷ୍ଟେଲ୍‌ ସ୍ଥାନାନ୍ତର ନୋଟିସ୍‌କୁ ପ୍ରତିବାଦରେ ବିକ୍ଷୋଭ

ଗୋପାଳପୁର : ଗୁରୁବାର ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ଝଞ୍ଜାବତୀ, କୋଲବ, ଧନେଇ ଓ ଅଂଶୁପା ହଷ୍ଟେଲ୍‌ର ୧୩୫ ଜଣ ଦ୍ବିତୀୟ ବର୍ଷର ଅନ୍ତେବାସୀଙ୍କୁ ଚିଲିକା ହଷ୍ଟେଲକୁ ସ୍ଥାନାନ୍ତର ପାଇଁ ନୋଟିସ୍‌ ହେବାପରେ ଛାତ୍ରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛାତ୍ରୀମାନେ ସଂଗଠିତ ହୋଇ ପ୍ରଶାସନିକ କୋଠା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭର ଏକଘଣ୍ଟା ପରେ କୁଳପତି ଘଟଣାସ୍ଥଳକୁ ଆସି ଛାତ୍ରୀମାନଙ୍କ ସହ ଆଲୋଚନା କରିବାପରେ ସେମାନେ ବିକ୍ଷୋଭରୁ ଓହରିଥିବା ଜଣାପଡ଼ିଛି।

ବିଶ୍ବବିଦ୍ୟାଳୟ ପରିସରରେ ୯ଟି ହଷ୍ଟେଲ ରହିଥିବା ବେଳେ ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରୀମାନେ ମିଳିମିଶି ରହୁଥିଲେ। ରାଗିଂକୁ ଦୃଷ୍ଟିରେ ରଖି ୧ମ ଓ ୨ୟବର୍ଷର ଛାତ୍ରୀଙ୍କୁ ଅଲଗା ଅଲଗା ରହିବାପାଇଁ ହଷ୍ଟେଲ୍‌ ୱାର୍ଡେନ୍‌ ଆଜି ନୋଟିସ୍‌ ଜାରି କରି ୬ତାରିଖ ମଧ୍ୟରେ ଚିଲିକା ହଷ୍ଟେଲକୁ ଯିବାକୁ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ୨ୟ ସେମିଷ୍ଟର ପରୀକ୍ଷା ଚାଲିଥିବା ବେଳେ ଏଭଳି ସମୟରେ ସ୍ଥାନାନ୍ତର ନୋଟିସ୍‌କୁ ନେଇ ଛାତ୍ରୀମହଲରେ ଅସନ୍ତୋଷ ଦେଖାଦେଇଥିଲା। ଏହି ନୋଟିସ୍‌କୁ ପ୍ରତିବାଦ କରି କିଛି ଛାତ୍ରୀ କୁଳପତିଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର, କୁଳପତି ସେମାନଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ। ଫଳରେ, ଏଥିରେ ଅସନ୍ତୋଷ ପ୍ରକାଶ କରି ପ୍ରାୟ ୧୦୦ ଜଣ ଛାତ୍ରୀ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ। ଛାତ୍ରୀମ‌ାନେ ଅଭି‌ଯୋଗ କରିଥିଲେ, ନାକ୍‌ ଟିମ୍‌ ଆସୁଥିବାରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ହଷ୍ଟେଲକୁ ଆସି ପିଲାଙ୍କ ସୁବିଧା ଅସୁବିଧା ସଂପର୍କରେ ନବୁଝି କେବଳ ସଫେଇ ବ୍ୟବସ୍ଥାକୁ ଦେଖି ଫେରି ଯାଉଛନ୍ତି। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ବି ଛାତ୍ରୀମାନେ ଅଭିଯୋଗ କରିଥିଲେ।

କିଛିସମୟ ପରେ କୁଳପତି ପ୍ରଫେସର ଦାସ ବିକ୍ଷୋଭ ସ୍ଥଳରେ ପହଞ୍ଚି ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ୧ମ ଓ ୨ୟ ବର୍ଷର ଛାତ୍ରୀଙ୍କୁ ଅଲଗା ଅଲଗା ରହିବାକୁ କୁହାଯାଇଥିବା ସୂଚନା ଦେଇଥିଲେ। ହଷ୍ଟେଲ୍‌ ସମସ୍ୟା ହଷ୍ଟେଲ୍‌ରେ ଆଲୋଚନା କରାଯିବ ବୋଲି କହିବା ପରେ ଛାତ୍ରୀମାନେ ବିକ୍ଷୋଭରୁ ଓହରିଥିଲେ।

ସମ୍ବନ୍ଧିତ ଖବର