ଯୋଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ କଦମଡିହି ଓ ଟିନ୍ତୋ ଅଞ୍ଚଳରୁ ପ୍ରବାହିତ ଦୁଇଟି ଜଳଧାର ମିରିଗିଗଡ଼ଠାରେ ମିଶି ସୁନାନଦୀର ରୂପ ନେଇଛି। ହେଲେ, ସୁନାନଦୀ ଧୀରେଧୀରେ ସଂକୁଚିତ ହୋଇ ତା’ର ସତ୍ତା ହରାଇବାକୁ ବସିଛି। ଯୋଡ଼ା ବ୍ଲକ୍ ଚୋରମାଲଦାଠାରୁ ଆରମ୍ଭ ହେଉଛି ସୁନାନଦୀର ପତନ କାହାଣୀ। ବ୍ୟାପକ ଖଣି ଖନନ ଯୋଗୁଁ ମୃତ୍ତିକା କ୍ଷୟ ହୋଇ ନଦୀଶଯ୍ୟା ପୋତି ହେଉଛି। ଜଙ୍ଗଲ କ୍ଷୟ କାରଣରୁ ପାହାଡ଼ରୁ ଗଡ଼ି ଆସୁଥିବା ଜଳସ୍ରୋତରେ ମାଟି ଅତଡ଼ା ଭାସିଆସି ନଦୀ ପୋତିହେବା ସହିତ ସଂକୁଚିତ ହେଉଛି। ଏହି ସମସ୍ୟାକୁ ଦ୍ୱିଗୁଣିତ କରୁଛି ଖଣି ଓ ଶିଳ୍ପାନୁଷ୍ଠାନର ବର୍ଜ୍ୟଜଳ ଓ ଯୋଡ଼ା ସହରର ନର୍ଦମା ପାଣି। ଫଳରେ, ସୁନାନଦୀ ଯୋଡ଼ା ସହର ଅତିକ୍ରମ କଲାବେଳକୁ ବିଷାକ୍ତ ହୋଇଯାଉଛି। ଏହି ନଦୀ ଉପରେ ନିର୍ଭରଶୀଳ ଯୋଡ଼ା ସହରର ୩୦ ହଜାର ଲୋକ, ଭୂୟାଁରୋଇଡ଼ା, ବିରିକଳା ଓ କଣ୍ଡରା ଗ୍ରାମର ୧୫ ହଜାର ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ସୋମନାଥ ମହାନ୍ତି ମଧ୍ୟ ଆଉ ଏକ ସମସ୍ୟାକୁ ଏଥିରେ ସଂଲଗ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ‘ଏହାଛଡ଼ା ନଦୀର ଉପରମୁଣ୍ଡ ଯୋଡ଼ା ବ୍ଲକ୍ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସୁନାନଦୀର ଜଳସ୍ରୋତ ହ୍ରାସ ପାଇବ। ନଦୀର ମାନ୍ୟତା ପାଇଥିବା ସୁନା ତ ଏବେ ଏକ ନାଳର ରୂପ ନେଇସାରିଲାଣି। ଆଗାମୀ ଦିନରେ ଏହା ସତ୍ତା ହରାଇବ।’ ସେହିପରି, ସୁନା ଓ କାରୋନଦୀ ବଞ୍ଚାଅ ଅଭିଯାନ’ର ଆବାହକ ଅଶୋକ ଠକ୍କର କହିଛନ୍ତି, ‘ଖଣିର ବର୍ଜ୍ୟଜଳ ନଦୀକୁ ଛଡ଼ାଯାଇ ନଦୀପାଣି ପ୍ରଦୂଷିତ କରାଯାଉଛି। ଆଉ କିଛିବର୍ଷ ପରେ ସୁନାନଦୀ ଏକ ନର୍ଦମା କୁଣ୍ଡରେ ପରିଣତ ହେବ।’ ଅପରପକ୍ଷେ, ଯୋଡ଼ା ପୌରାଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ କହିଛନ୍ତି, ‘୨୦୨୨ରେ ସୁନାନଦୀର ମୃତ୍ତିକା ସଂରକ୍ଷଣ ଓ ପ୍ରଶସ୍ତୀକରଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିପାଇଁ ଡିଏମ୍ଏଫ୍ରୁ ଅର୍ଥ ମଞ୍ଜୁର ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିଲା। ହେଲେ ଏଯାଏ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିନାହିଁ।’ ସେହିପରି, ସୁନାନଦୀ ଉପରେ ସର୍ବେକ୍ଷଣ କରି ଆଇଆଇଟି ଖଡ଼ଗପୁର ଏକ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା। ହେଲେ, ଏପର୍ଯ୍ୟନ୍ତ ନଦୀ ସୁରକ୍ଷା ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରାଯାଇନଥିବା ପରିବେଶବିତ୍ ନୀଳାଦ୍ରି ବିହାରୀ ମିଶ୍ର କହିଛନ୍ତି।
ସୁନାନଦୀର ଏହିପରି ଅବସ୍ଥା ପାଇଁ ବିଭିନ୍ନ ଖଣି ଓ ଶିଳ୍ପସଂସ୍ଥାକୁ ଦାୟୀ କରିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ। ସେ କହିଛନ୍ତି ଯେ, ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ଜୀବନରେଖା ହେଉଛି ସୁନାନଦୀ। କିଛିବର୍ଷ ତଳେ ଯୋଡ଼ା ସହରର ୧୪ ନମ୍ବର ୱାର୍ଡ ବିଛାକୁଣ୍ଡି ନିକଟରେ ଏକ ଖଣି କମ୍ପାନି ସୁନାନଦୀ ଶଯ୍ୟାରେ ବନ୍ଧ ଓ ଇନ୍ଟେକ୍ ୱେଲ ନିର୍ମାଣ କରି ଜଳ ଶୋଷିବା ପାଇଁ ଯୋଜନା କରିଥିଲା। ସେତେବେଳେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ବନ୍ଧ ଭଙ୍ଗାଗଲା ସତ, ହେଲେ ଏବେ ବି ଉକ୍ତ କମ୍ପାନି ତଞ୍ଚକତା କରି ନଦୀରୁ ଜଳ ଶୋଷୁଛି। ଏନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁନାନଦୀର ସୁରକ୍ଷା ପ୍ରତି ସମସ୍ତେ ଆଖିବୁଜି ଦେଇଥିବା ସେ କହିଛନ୍ତି।