ବ୍ୟବହାର ପୂର୍ବରୁ ଭୂତକୋଠି ପାଲଟିଛି ଆବାସ: ଚଞ୍ଚକତା କରି ଉଠାଯାଇଛି ଫାଇନାଲ୍ ବିଲ୍

ତଥାପି କଚ୍ଚାଘରେ ରହୁଛନ୍ତି ହିତାଧିକାରୀ

ଦଶପଲ୍ଲା: ବ୍ୟବହାର ପୂର୍ବରୁ ଭୂତକୋଠି ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ। ମଣିଷ ପରିବର୍ତ୍ତେ ଆଶ୍ରୟ ନେଉଛନ୍ତି ପଶୁପକ୍ଷୀ ଓ ସରିସୃପ। ଘର ଚାରି ପାଖରେ ଘେରି ରହିଛି ଲତାବୁଦା। ହେଲେ ଏସବୁ ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଦର୍ଶାଇ ଫାଇନାଲ୍ ବିଲ୍ ଉଠିସାରିଛି। ଘରର କାନ୍ଥରେ ହିତାଧିକାରୀଙ୍କ ନାମ ଲେଖାଯିବା ସହ ଫଳକ ମଧ୍ୟ ଲାଗିଛି। ନିଜର ଟାର୍ଗେଟ ପୂରଣ କରିବାକୁ ଯାଇ ଦାୟିତ୍ବରେ ଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଓ ଟ୍ୟାଗ୍ ଦାୟିତ୍ବରେ ଥିବା କର୍ମଚାରୀମାନେ ଏଭଳି ଚଞ୍ଚକତା କରି ଏହାର ଫାଇଦା ନେବାକୁ ଯାଇ ଘରଗୁଡିକର ଫାଇନାଲ୍ ବିଲ୍ କରି ସାରିଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ବଡ଼କଥା ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ୯୫ ଦିନର ମନରେଗା ଯୋଜନାରେ ହିତାଧିକାରୀଙ୍କୁ ମିଳିବାକୁ ଥିବା ପାରିଶ୍ରମିକ ଟଙ୍କାକୁ ସଂପୃକ୍ତ ଜିଆର୍‌ଏସ୍‌ମାନେ ଚଞ୍ଚକତା କରି ଆତ୍ମସାତ୍ କରିଥିବା ଅଭିଯୋଗ ହେଉଛି।

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଲୁରୁକୁମ୍ପା ପଞ୍ଚାୟତର ଉପରଡିକିରି ଗ୍ରାମରେ ଏଭଳି ଘଟଣା ଉପରେ ନଜର ପକାଇଲେ ସରକାରଙ୍କ ଆବାସ ଯୋଜନା କେତେ ସଫଳ ତାହା ସହଜରେ ବାରି ହୋଇପଡ଼ୁଛି। ପୂର୍ବଭଳି ହିତାଧିକାରୀମାନେ କଚ୍ଚା ଘରେ ଆଶ୍ରୟ ନେଉଥିବା ବେଳେ ଏସବୁ ଘର ଏବେ ଭୂତକୋଠି ହୋଇପଡିଛି। ୨୦୨୭/୧୮ ଆର୍ଥିକ ବର୍ଷରେ ଯୁଧିଷ୍ଠିର ଜାନୀ, ୨୦୨୯/୨୦ରେ ଗ୍ରାମର ଗୁପ୍ତେଶ୍ବର ଜାନୀଙ୍କ ସମେତ ଅନେକ ବ୍ୟକ୍ତି ଘର ପାଇଥିଲେ। ଅର୍ଥ ଅଭାବକୁ ନେଇ କିଏ ଠିକାଦାରଙ୍କ ହାତକୁ ଟେକି ଦେଇଥିବା ବେଳେ ଆଉ କିଏ ଧାର୍‌କରଜ କରି ନିର୍ମାଣ କରିଥିଲେ। ହେଲେ ଘର ନିର୍ମାଣ ପଛରେ ପଞ୍ଚାୟତର କିଛି କର୍ମଚାରୀ ଓ ଜିଆର୍‌ଏସ୍‌ ଠିକାଦାର ସାଜିଥିବା ଅଭିଯୋଗ ହେଉଛି। ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେସବୁ ଅର୍ଥକୁ ଆତ୍ମସାତ୍ କରି ନେଇଥିବା ଅଭିଯୋଗ ହେଉଛି। ଗାଁଗାଁରେ ଗରିବଗୁରୁବାଙ୍କୁ ଘର ଯୋଗାଇ ଦିଆଯାଇଥିବା ନେଇ ସରକାରଙ୍କ ତାଲିକାରେ ନାଁ ବଢ଼ିଚାଲିଥିବା ବେଳେ ବାସ୍ତବରେ ହିତାଧିକାରୀମାନେ କିଭଳି ସେସବୁ ଘରେ ଆଶ୍ରୟ ନେଉଛନ୍ତି ତାହା ଅନୁଧ୍ୟାନ କରିବା କଥା। ଏଭଳି ଦଶପଲ୍ଲା ବ୍ଲକ୍‌ର ବାଣିଗୋଛା, ଚଡ଼େୟାପଲ୍ଲୀ, ଦୁଡ଼ା, କଳସାଖମଣ ଆଦି ପଞ୍ଚାୟତର କିଛି ଜିଆର୍‌ଏସ୍‌ ଠିକାଦାର ସାଜି ମନରେଗା ଅର୍ଥ ସମେତ ଆବାସ ଟଙ୍କା ଆତ୍ମସାତ୍ କରିଚାଲିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଖୋଲିବ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର