କଟକରେ ଡେଙ୍ଗୁ ନେଲା ପ୍ରଥମ ଜୀବନ! ସଂକ୍ରମଣରେ କଟକ ପଛକୁ ଜଗତସିଂହପୁର

ତୃତୀୟ ସ୍ଥାନରେ ବାଲେଶ୍ବର

କଟକ: କଟକରେ ଡେଙ୍ଗୁ ନେଇଛି ପ୍ରଥମ ମୁଣ୍ଡ। ଜିଲ୍ଲାର ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ ମୂଳିଆବାଙ୍କ ଗ୍ରାମର ଦୁର୍ଯ୍ୟୋଧନ ଦେହୁରୀ(୪୫)ଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କୁ ଜ୍ବର ଓ ଡେଙ୍ଗୁର ବିଭିନ୍ନ ଲକ୍ଷଣ ଦେଖାଦେଇଥିଲେ ସୁଦ୍ଧା ସେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ନଆସି ବାହାରେ କ୍ବାକ୍‌ଙ୍କ ପାଖରେ ଚିକିତ୍ସା କରାଇଥିଲେ। ତେବେ ଗତରାତିରେ ତାଙ୍କୁ ବଡ଼ମ୍ବା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାସ୍ଥ୍ୟ ବିଭାଗ କିନ୍ତୁ ଏହି ମୃତ୍ୟୁକୁ ଡେଙ୍ଗୁଜନିତ ମୃତ୍ୟୁ ନୁହେଁ ବୋଲି କହିଛି। ତାଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା ଓ ସିଓପିଡି ଥିବା ସିଡିଏମ୍‌ଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଜି କଟକ ବଡ଼ ଡାକ୍ତରଖାନାରେ ୩୪୪୩ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ସର୍ବାଧିକ କଟକରୁ ୫୦ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତ୍‌ସିଂହପୁରରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ‌ ସଂଖ୍ୟାରେ ବାଲେଶ୍ବର ତୃତୀୟ ସ୍ଥାନରେ ରହିଥିବା ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ କଟକର ଗ୍ରାମାଞ୍ଚଳରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। କଟକ ଜିଲ୍ଲାର ଅଭିମାନପୁର ସବ୍‌ସେଣ୍ଟର ଅଧୀନ କମାରପାଳଠାରେ ୨ ତାରିଖ ଦିନ ୩୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଏସ୍‌ସିବି ପଠାଯାଇଥିଲା। ସେଥିରୁ ୪ ଜଣଙ୍କର ପଜିଟିଭ୍‌ ରିପୋର୍ଟ ଆସିଥିଲା। ପୂର୍ବରୁ ୩ଜଣ ପଜିଟିଭ୍‌ ରହିଥିଲେ। ଯେଉଁମାନେ କି ବାହାର ଜିଲ୍ଲାରୁ ଆସିଥିଲେ।

ସମ୍ବନ୍ଧିତ ଖବର