ପୁରୀ: ହନ୍ତସନ୍ତ ହେଉଛନ୍ତି ଗଙ୍ଗାସାଗର ଯାତ୍ରୀ। ନାଁ ରହିବାର କିଛି ବ୍ୟବସ୍ଥା ଅଛି, ନାଁ ଶୌଚ, ସ୍ନାନାଦିର କୌଣସି ସୁବିଧା। ଫଳରେ ଏମାନେ ଖୋଲାମେଲାରେ ଶୌଚ, ସ୍ନାନାଦି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଗଙ୍ଗାସାଗର ଯାତ୍ରା ସାରି ଫେରିଥିବା ବିଭିନ୍ନ ରାଜ୍ୟର ଭକ୍ତମାନେ ଏଭଳି କଲବଲ ହେଉଛନ୍ତି। ଆଧ୍ୟାତ୍ମିକ ଭାବନା ନେଇ ଆସିଥିବା ଏହି ଭକ୍ତମାନେ ଖୋଲାମେଲା, ଅପରିଷ୍କାର, ଅପରିଛନ୍ନ ପରିବେଶରେ ଖାଇବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଜାଗାରେ ଶୋଉଛନ୍ତି, ସେହି ଜାଗାରେ ଖାଉଛନ୍ତି। ଏଣୁ ଏହି ଯାତ୍ରୀମାନେ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମତ ଦେଇଛନ୍ତି। ଦୂରଦୂରାନ୍ତରରୁ ଆସୁଥିବା ଭକ୍ତଙ୍କ ପ୍ରତି ‘ଅତିଥି ଦେବୋ ଭବଃ…’ ନୀତିକୁ ପୁରୀ ଜିଲ୍ଲା ପ୍ରଶାସନ ପାଶୋରି ଦେଇଥିବା ମନେହେଉଛି। ଅପରପକ୍ଷେ ଏମାନେ ଯେଉଁ ଜାଗାରେ ରହୁଛନ୍ତି, ଶୌଚ ଆଦି କାର୍ଯ୍ୟ ସେହି ପାଖ ଅଞ୍ଚଳରେ କରୁଥିବାରୁ ଏହା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଯେଉଁ ଜାଗାରେ ରହୁଛନ୍ତି, ତାହା ବି ଅଳିଆ ଆବର୍ଜନାରେ ଭରି ରହିଛି। ଏହାର ଜ୍ବଳନ୍ତ ଉଦାହରଣ ପୁରୀ ରେଳଷ୍ଟେସନ୍ ଯାତ୍ରୀ ଆଶ୍ରୟ କେନ୍ଦ୍ର। ଏଠାରେ ବହୁ ସଂଖ୍ୟାରେ ଗଙ୍ଗାସାଗର ଯାତ୍ରୀ ଡେରା ପକାଇଥିଲେ ବି ରେଳ ବିଭାଗ, ଜିଲ୍ଲା ଅବା ପୌର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଅସ୍ବାସ୍ଥ୍ୟକର ପରିବେଶ, ମଶା ଡାଆଁଶରେ ଏମାନେ ରାତି କାଟୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିବର୍ଷ ମକର ସଂକ୍ରାନ୍ତିରେ ପଶ୍ଚିମବଙ୍ଗର ଦକ୍ଷିଣ ପାର୍ଶ୍ବ ଚବିଶ ପ୍ରଗଣା ଜିଲ୍ଲାର ସାଗର ତଟରେ ଦେଶର ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଗଙ୍ଗାସାଗର ବୁଡ଼ ପକାଇଥାନ୍ତି। କୁହାଯାଏ, ଏକାଧିକ ଥର ତୀର୍ଥଯାତ୍ରାରୁ ଯେଉଁ ପୁଣ୍ୟ ମିଳେନି ସେ ପୂଣ୍ୟ ଥରୁଟିଏ, ଗଙ୍ଗାସାଗର ଯାତ୍ରାରୁ ମିଳେ। ଲୋକେ ଏହି ଯାତ୍ରାର ବୁଡ଼ ପକାଇ କୋଟି ପୁଣ୍ୟ ଲଭିଥାନ୍ତି। ଏହି ଅବସରରେ ମଧ୍ୟପ୍ରଦେଶ, ମହାରାଷ୍ଟ, ପଞ୍ଜାବ, ଜୟପୁର, ହରିଆଣା, ଅହମ୍ମଦାବାଦ ଆଦି ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଆସି ଶ୍ରୀକ୍ଷେତ୍ରରେ ବି ଭିଡ଼ ଲଗାନ୍ତି। ମକର ସଂକ୍ରାନ୍ତିର ଗଙ୍ଗାସାଗର ବୁଡ଼ ପୂର୍ବରୁ ନଚେତ୍ ଗଙ୍ଗାସାଗର ବୁଡ଼ ପରେ, ହଜାର ହଜାର ସଂଖ୍ୟାରେ ଯାତ୍ରୀ ନିଜର ସ୍ବତନ୍ତ୍ର ଧଳା ଓ ନୀଳ ରଙ୍ଗର ପତାକା ସହ ଯାତ୍ରା କାଳରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥା’ନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡ. ନରେଶ ଦାଶଙ୍କ ମତରେ, ପଶ୍ଚିମବଙ୍ଗର ଚବିଶ ପ୍ରଗଣାରେ ଗଙ୍ଗାନଦୀ ସହ ସମୁଦ୍ରର ମିଳନ ଘଟିଛି। ବିଶ୍ବାସ ରହିଛି, ଯେଉଁଠି ସମୁଦ୍ର ଓ ଗଙ୍ଗାଙ୍କର ମିଳନ ଘଟିଥାଏ, ତାହା ଅତି ପବିତ୍ର ସ୍ଥାନ। ଏଣୁ ଗଙ୍ଗାସାଗର ବୁଡ଼ ପକାଇବାକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପଶ୍ଚିମବଙ୍ଗ ଯାତ୍ରା ଆରମ୍ଭ କରିଥାନ୍ତି। ମକର ସଂକ୍ରାନ୍ତିରେ ପଶ୍ଚିମବଙ୍ଗର ଏହି ମିଳନସ୍ଥଳରେ ବୁଡ଼ପକାଇ ଘରକୁ ଫେରିଥାନ୍ତି। ଶ୍ରୀମନ୍ଦିର ହେଉଛି, ଚାରିଧାମ ଭିତରେ ଅନ୍ୟତମ। ଏଣୁ ଗଙ୍ଗାସାଗର ବୁଡ଼ ପକାଇବାକୁ ଯିବା ବେଳେ ଅବା ବୁଡ଼ ସାରି ଫେରିବା ପରେ ଦେଶର କୋଣ ଅନୁକୋଣର ଭକ୍ତ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଧାର୍ମିକ ଯାତ୍ରା ସଫଳ କରିଥାନ୍ତି ବୋଲି ଡ. ଦାଶ କହିଛନ୍ତି। ମଧ୍ୟପ୍ରଦେଶରୁ ଆସିଥିବ କୈଳାସ ନାଥ କହିଛନ୍ତି, ପୁଣ୍ୟ ଲଭିବାକୁ ଗଙ୍ଗାସାଗର ଯାତ୍ରାରେ ଆସିଛୁ। ଯେତେ କଷ୍ଟ ହେଲେ ବି ଯାତ୍ରା ସାରି ଫେରିବୁ। ତଥାପି ଆମମାନଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ହେବା ଜରୁରି। ରହିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଆମେ ସପରିବାର ରାସ୍ତାଘାଟ ଅବା ରେଳଷ୍ଟେସନ୍, ବସ୍ଷ୍ଟାଣ୍ଡ୍ ଆଦି ସ୍ଥାନରେ ଶୋଉଛୁ। ପ୍ରଶାସନ ରହିବା, ଖାଇବା ଆଦିର ବ୍ୟବସ୍ଥା କଲେ ଭଲ ହୁଅନ୍ତା। ସମାନ କଥା ଦୋହରାଇଛନ୍ତି, ଅହମଦାବାଦ ଓ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ମହିଳା ଓ ପୁରୁଷ ଯାତ୍ରୀମାନେ। ଏହି ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧବୃଦ୍ଧା ଅଛନ୍ତି।