ମଣ୍ଡି ‌‌ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି: ମିଲ୍‌ରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ

କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୭ ତାରିଖରେ ମଣ୍ଡି ଖୋଲିବ, କିନ୍ତୁ ଏହା ପୂର୍ବରୁ ବେଆଇନ ଭାବେ ‌ଜୋର୍‌ଦାର୍‌ ଧାନକିଣା ଚାଲିଥିବା ଅଭିଯୋଗ ଆସିଛି। ମଣ୍ଡି ଖୋଲିବା ପୂର୍ବରୁ ମିଲର୍‌ମାନେ ଚାଷୀଙ୍କଠାରୁ ସିଧାସଳଖ କମ୍‌ ଦରରେ ଧାନ କିଣି ମିଲ୍‌ରେ ଭର୍ତ୍ତି କରିଥିବା ନବନିର୍ମାଣ କୃଷକ ସଂଗଠନ ନୟାଗଡ଼ ଜିଲ୍ଲା ଶାଖା ଅଭିଯୋଗ କରିଛି। ଏନେଇ ସଂଗଠନ ପକ୍ଷରୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଅଞ୍ଚଳରୁ ଶହ ଶହ କ୍ବିଣ୍ଟାଲ ଧାନ ବେଆଇନ ଭାବେ ସଂଗ୍ରହ ଚାଲିଥିବା, ମଣ୍ଡି ଖୋଲିବା ପରେ ଏହାର ସରକାରୀ ଭାବେ କାଗଜପତ୍ର କରାଇ ନିଆଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ଅଭିଯୋଗରେ ଦର୍ଶାଇଛି। ଏହି ବେଆଇନ କାରବାର ଜିଲ୍ଲା ଯୋଗାଣ ବିଭାଗଠାରୁ ଆରମ୍ଭ କରି ପାକ୍ସ, ଆର୍‌ଏମ୍‌ସି ଆଦି ଅଧିକାରୀ, କର୍ମଚାରୀଙ୍କ ଜାଣତରେ ଚାଲିଥିବା, ତଦନ୍ତ ସମେତ ପ୍ର‌ତ୍ୟେକ ମିଲ୍‌କୁ ଯାଞ୍ଚ ପାଇଁ ସଂଗଠନ ଦାବି କରିଛି।

ଜିଲ୍ଲାରେ ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହ ‌ବେଳକୁ ସରକାରୀ ଭାବେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହେଉଛି, ମଣ୍ଡି ଖୋଲୁଛି। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଧାନ ଅମଳ ହେଉଥିବା ବେଳେ ଦଲାଲ ମାତୁଥିବା, ବେସରକାରୀ ଭାବେ କମ୍‌ ଦରରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କିଣାଯାଉଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଏଫ୍‌ଏକ୍ୟୁ ମାନର ଧାନ କ୍ବିଣ୍ଟାଲ ପ୍ରତି ମୂଲ୍ୟ ସରକାର ୨୦୪୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଚଳିତ ବର୍ଷ ଏହା ୨୧୮୩ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗତ ବର୍ଷ ‘ଗ୍ରେଡ୍‌-ଏ’ ଧାନର ମୂଲ୍ୟ ୨୦୬୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ୨୨୦୩ ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ବେଆଇନ ଭାବେ ବର୍ତ୍ତମାନ ଚାଲିଥିବା ଧାନ କିଣାବିକାରେ ଚାଷୀ ୧୦୦୦ ରୁ ୧୫୦୦ ଟଙ୍କା ମଧ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ‌ହେଉଛି। ଚଳିତ ବର୍ଷ ଜିଲ୍ଲାରେ ୧୭ ମିଲର୍‌ ଧାନ କିଣାରେ ଭାଗ ‌ନେବେ।
ଜିଲ୍ଲାର ୧୫୩ ପାକ୍ସ ଜରିଆରେ ୧୬୭ଟି ଧାନ କିଣା କେନ୍ଦ୍ର ବା ମଣ୍ଡି ଖୋଲିବାର ରହିଛି। ୫୮ ହଜାର ୮୨୧ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକୃତ ହୋଇଛନ୍ତି। ତେବେ ମଣ୍ଡି ଖୋଲିବା ପୂର୍ବରୁ ଶହଶହ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହେଉଥବା ଅଭିଯୋଗ ଆସିଛି। ଏଭଳି ‌‌ବେଆଇନ କାରବାର ରୋକିବାକୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରଣଜିତ ଦଳବେହେରା, ବୈକୁଣ୍ଠ ସାହୁ, ରବୀନ୍ଦ୍ର କୁମାର ବରାଡ଼ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର