ସମ୍ବଲପୁର : ସମ୍ବଲପୁର ଆସନରେ ଏମବିବିଏସ ଡିଗ୍ରୀଧାରୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ । ସମ୍ବଲପୁର ଆସନ ହାତେଇବା ପାଇଁ ଜୟଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ନାମୀଦାମୀ ଡାକ୍ତର । ବିଜେପି ଏଠାରେ ପ୍ରଥମରୁ ଜୟ ନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଓ କଂଗ୍ରେସ ଦୁଇ ଚର୍ଚ୍ଚିତ ଚେହେରାଙ୍କୁ ପ୍ରାର୍ଥୀ କରି ସମ୍ବଲପୁର ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ବିଜେଡି ଟିକେଟରୁ ଜଣାଶୁଣା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ମୈଦାନକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ କଂଗ୍ରେସ ଭିମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରିଛି । ଆଉ ଏହି ଘୋଷଣା ପରେ ଏବେ ସମ୍ବଲପୁରବାସୀ ଚଳିତ ର୍ନିବାଚନରେ ଦୁଇ ପ୍ରତିଷ୍ଠିତ ଡାକ୍ତରଙ୍କ ମଧ୍ୟରେ ଲଢେଇ ଦେଖିବାକୁ ପାଇବେ ।
ସମ୍ବଲପୁର ଆସନରୁ ଏବେ ବିଧାୟକ ଥିବା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ସ୍ଥାନୀୟ ଲୋକଙ୍କ ସହ ପୂର୍ବରୁ ସୁପରିଚିତ । ଡାକ୍ତର ଥିବା ସମୟରେ ରାସେଶ୍ୱରୀ ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲେ । ରାସେଶ୍ୱରୀଙ୍କୁ ନେଇ ଲୋକଙ୍କ ଭିତରେ ଜବରଦସ୍ତ କ୍ରେଜ ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ଗତ ର୍ନିବାଚନରେ ରାସେଶ୍ୱରୀଙ୍କୁ ମୈଦାନକୁ ଓହ୍ଲାଇଥିଲା ବିଜେଡି । ଆଉ ରାସେଶ୍ୱରୀ ମଧ୍ୟ ହେଭିୱେଟ ଜୟନାରାୟଣଙ୍କୁ ମାତ୍ ଦେଇ ବିଜେଡିର ବିଜୟ ବାନା ଉଡାଇଥିଲେ ।
ଆଉ ଏସବୁ ଭିତରେ କଂଗ୍ରେସ ଟିକେଟରୁ ଆଉ ଜଣେ ଚର୍ଚ୍ଚିତ ଚେହେରା ତଥା ଭିମସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରିଛି ଦଳ । ଲୁଣ ଚିକିତ୍ସାକୁ ନେଇ ବିବାଦ ଘେରକୁ ଟାଣି ହୋଇ ଆସିଥିବା ଅଶ୍ୱିନୀ ପୂଜାହାରୀଙ୍କୁ ସମ୍ବଲପୁର ଯୁଦ୍ଧ ଜିତିବା ପାଇଁ ସାରଥୀ କରିଛି କଂଗ୍ରେସ । ବିଭିନ୍ନ କାରଣକୁ ନେଇ ଗଣମାଧ୍ୟମର ହେଡଲାଇନରେ ରହୁଥିବା ଅଶ୍ୱିନୀ ପୂଜାହାରୀଙ୍କ ଲୋକପ୍ରିୟତାକୁ ପାଥେୟ କରି କଂଗ୍ରେସ ସମ୍ବଲପୁର ସିଂହାସନ ଦଖଲ କରିବାକୁ ନଜର ରଖିଛି ।
ସମ୍ବଲପୁରରେ ଦୁଇ ଡାକ୍ତରଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଲଢେଇ । ତେବେ ଡାକ୍ତରଙ୍କ ଏହି ଲଢେଇରେ ବିଜେପିର ଜୟ ମଧ୍ୟ କଡା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । ଆଉ କଂଗ୍ରେସ ଅଶ୍ୱିନୀଙ୍କୁ ପ୍ରାର୍ଥୀ କରିବା ପରେ ସମ୍ବଲପୁରରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।