କୋରାପୁଟ ଘାଟିରେ ଓଲଟିଲା ଟ୍ରକ୍‌; ଚାପି ହୋଇଗଲେ ସ୍କୁଟି ଆରୋହୀ ଭାଉଜ-ନଣନ୍ଦ, ବଞ୍ଚିଗଲା ୨ବର୍ଷର ଶିଶୁ

ଜୟପୁର: କୋରାପୁଟ ଘାଟିରେ ଆଜି ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଜୟପୁର ସଦରଥାନା ଅନ୍ତର୍ଗତ କୋରାପୁଟ ଘାଟିର ପ୍ରଥମ ମୋଡ (ଓସିସି କଲୋନି)କୁ ଯିବା ରାସ୍ତା ନିକଟରେ ହୋଇଥିଲା ଦୁର୍ଘଟଣା। କୋରାପୁଟ ପାର୍ଶ୍ବରୁ ଜୟପୁର ଆଡ଼କୁ ଆସୁଥିବା ସ୍କୁଟିକୁ କୋଇଲା ବୋଝେଇ ଟ୍ରକ ପଛପଟରୁ ଦେଇ ଓଲଟି ପଡ଼ିଥିଲା। ଫଳରେ ସ୍କୁଟିରେ ଥିବା ଭାଉଜ ଓ ନଣନ୍ଦଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଗ୍ୟବଶତଃ ୨ବର୍ଷର ପୁଅ ବଂଚିଂଯାଇଛି। ମୃତକମାନେ ହେଲେ ଭି.ରାଜଲକ୍ଷ୍ମୀ ରାଓ ଓ ରାଜେଶ୍ବରୀ ବେନିୟା। ଶିଶୁପୁତ୍ର ଆଦିଲ ରାଓକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ କୋରାପୁଟ ଘାଟିର ପ୍ରଥମ ମୋଡ଼ (ଓସିସି କଲୋନି)କୁ ଯିବା ରାସ୍ତା ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଏବଂ ହୃଦୟବିଦାରକ ଦୁର୍ଘଟଣା। କୋରାପୁଟ ଆଡରୁ ଜୟପୁର ପଟକୁ ଆସୁଥିବା ସ୍କୁଟିକୁ କୋଇଲା ବୋଝେଇ ଟ୍ରକ ପଛପଟରୁ ଧକ୍କା ମାରି ଦେଇଥିଲା। ଏହା ପରେ ଟ୍ରକଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା। ଧକ୍କାରେ ସ୍କୁଟିଟି ଗୁଣ୍ଡ ହୋଇଯାଇଛି। ସ୍କୁଟିରେ କୋରାପୁଟ ଟିକିରାସାହି ଅଂଚଳର ଭି.ଶଙ୍କର ରାଓଙ୍କ ପତ୍ନୀ ରାଜେଶ୍ବରୀ ବେନିୟା, ଭଉଣୀ ଭି.ରାଜଲକ୍ଷ୍ମୀ ରାଓ ଓ ୨ବର୍ଷର ପୁଅ ଭି.ଆଦିଲ ରାଓଙ୍କୁ ନେଇ ବାରିଣୀପୁଟ‌ରେ ରହୁଥିବା ସଂପର୍କୀୟଙ୍କ ଘରକୁ ଆସୁଥିଲେ। ଘଟଣାସ୍ଥଳରେ ହିଁ  ସୁନେଲି ଓ ତାଙ୍କ ନଣନ୍ଦ ରାଜଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା। ଭାଗ୍ୟବଶତଃ ଆଦିଲଙ୍କ ଦେହରେ ଗୁରୁତର ମାଡ଼ ବାଜିଥିଲା। ତିନି ଜଣଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ଡାକ୍ତର ରାଜଲକ୍ଷ୍ମୀ ଓ ରାଜେଶ୍ବରୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଆଦିଲଙ୍କୁ କୋରାପୁଟ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ସୂଚନା ପାଇବା ପରେ ପରିବାରବର୍ଗ ଡାକ୍ତରଖାନାରେ ପହଚିଂବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଛି। ଏପରିକି ଏମାନଙ୍କ ଆଗରେ ଆଉ ଗୋଟିଏ ବାଇକରେ ଭି.ଶଙ୍କର ରାଓ ଅନ୍ୟ ପରିବାରବର୍ଗଙ୍କୁ ନେଇ ଆସୁଥିଲେ। ଦୁଇଟି ଯାକ ବାଇକ୍ ମିଶି ବାରିଣୀପୁଟ ଓ ଜୟପୁର ‌ଆସୁଥିଲେ। ଆଗୁଆ ଶଙ୍କରଙ୍କ ବାଇକ ରହିଥିବାରୁ ସେ ବି ଏହି ଦୁର୍ଘଟଣାରୁ ବଂଚିଯାଇଛନ୍ତି। ଖବର ପାଇ ଜୟପୁର ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି, ସବଇନିସପେକ୍ଟର ପ୍ରଶାନ୍ତ ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉଭୟଙ୍କର ମୃତ ଶରୀରକୁ ଶବାଗାରରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ। ଆସନ୍ତା ୨୧ତାରିଖ ଦିନ ଏହି ପରିବାରର ଏକ ମାଙ୍ଗଳିକ ବାହାଘର କାର୍ଯ୍ୟକ୍ରମ ରହିଥିଲା।

 

ସମ୍ବନ୍ଧିତ ଖବର