ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା, ସୁପ୍ରିମକୋର୍ଟ କ୍ଷୁବ୍ଧ

କୋର୍ଟ ଭିତରୁ ବିଚାରପତିଙ୍କୁ ବାହାର କଲେ, ସମ୍ବଲପୁର ବାର୍‌ର ସମସ୍ତ ଓକିଲ ସସ୍‌ପେଣ୍ଡ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ସୋମବାର ଦିନ ଉଗ୍ରରୂପ ନେଇଛି। ୧୪୪ ଧାରାକୁ ଭ୍ରୂକ୍ଷେପ ନକରି ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି କଳାକାର, ଚାଷୀ, ଶ୍ରମିକ ଓ କିନ୍ନରମାନେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହୂତ ସତ୍ୟାଗ୍ରହରେ ସାମିଲ୍‌ ହୋଇଛନ୍ତି। ଏହିସମୟରେ ପୁଲିସ ସହିତ ଆନ୍ଦୋଳନକାରୀଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଛି। ଉତ୍ତ୍ୟକ୍ତ ଜନତା ଗେଟ୍ ଭାଙ୍ଗି କୋର୍ଟ ଭିତରକୁ ଧସେଇ ପଶିବା ସହିତ କାର୍ଯ୍ୟରତ ଜିଲ୍ଲାଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଏପରିକି, କୋର୍ଟ ଭିତରେ ମଧ୍ୟ ଭଙ୍ଗାରୁଜା କରାଯାଇଛି।

ଗତ ୭ ତାରିଖରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତ କୋଠା ସମ୍ମୁଖ ରାସ୍ତାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଥିଲା। ଆଜି ରାଜ୍ୟ ଓକିଲ ସଂଘର ସମୂହ ଡାକରାରେ ସତ୍ୟାଗ୍ରହ କରାଯାଇଥିଲା। ସତ୍ୟାଗ୍ରହରେ ସାମିଲ ହେବାପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ସଂଗଠନକୁ ଅନୁରୋଧ କରାଯାଇଥିଲା। ଫଳରେ ଆଜି ସମ୍ବଲପୁରର ଶତାଧିକ ସଂଗଠନର ସମର୍ଥନ ଯୋଗୁଁ ଏହା ଜନ ଆନ୍ଦୋଳନର ରୂପ ନେଇଥିଲା। ଆନ୍ଦୋଳନକୁ ଦୃଷ୍ଟି‌ରେ ରଖି ଏସ୍‌ଡିଜେଏମ୍‌ଙ୍କ ପକ୍ଷରୁ ନେଲ୍‌ସନ ମଣ୍ଡେଲା ଛକ ଅଞ୍ଚଳ‌ରେ ସିଆର୍‌ପିସି ୧୪୪ ଧାରା ଜାରି କରାଯାଇଥିଲା। ଜଣେ ଅତରିକ୍ତ ଏସ୍‌ପି, ୨ ଡିଏସ୍‌ପିଙ୍କ ତତ୍ତ୍ବାବଧାନରେ ୧୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ମାତ୍ର, ଲୋକମାନେ ଏହାକୁ ଖାତିର୍‌ କରିନଥିଲେ।

ଉଗ୍ରରୂପ ନେଲା ବେଞ୍ଚ୍‌ ଆନ୍ଦୋଳନ; ପୁଲିସ-ବିେକ୍ଷାଭକାରୀ ଧସ୍ତାଧସ୍ତି

ସକାଳ ସା‌ଢ଼େ ୧୦ଟା ବେଳକୁ ନେଲ୍‌ସନ୍ ମଣ୍ଡେଲା ଛକ ଅଞ୍ଚଳ ଶୀତଳଷଷ୍ଠୀ ଭଳି ଲୋକଙ୍କ ପ୍ରବଳ ଜନସମାଗମ ହୋଇସାରିଥିଲା। ଦୁଲ୍‌ଦୁଲି, ସଂପ୍ରଦା, ମାଦଳ ଆଦି ବାଜାରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା। ଏଭଳି ସ୍ଥିତି ଦେଖି ପୁଲିସ ନେଲ୍‌ସନ୍‌ ମଣ୍ଡେଲା ଛକପଟୁ ବିଚାରପତିମାନଙ୍କୁ ନଆଣି ପୂର୍ବ ଯୋଜନାରେ ପରିବର୍ତ୍ତନ କରିଥିଲା। ବିନାଖଣ୍ଡି ରାସ୍ତାରୁ ଡିଏସ୍‌ଆର୍‌ ଅଫିସ ଏବଂ ଏସ୍‌ପି ଅଫିସ୍ ସମ୍ମୁଖ ଦେଇ କୋର୍ଟ ଭିତରକୁ ୩/୪ଟି ପୁଲିସ ଗାଡ଼ିରେ ବିଚାରପତିମାନଙ୍କୁ ପ୍ରବେଶ କରାଯାଇଥିଲା। ବିଚାରପତିମାନେ ଗାଡ଼ିରୁ ଓହ୍ଲାଇ ନିଜନିଜ କୋର୍ଟ ଭିତରକୁ ଯାଉଥିବା ଦେଖି ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ର, ଗେଟ୍‌ ଭିତରକୁ ପଶିବା ବେଳେ ପୁଲିସ ସହିତ ସେମାନଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀଙ୍କ ସଂଖ୍ୟା ଢେର୍‌ ଅଧିକ ଥିବାରୁ ପୁଲିସ ଆନ୍ଦୋଳନକାରୀମାନଙ୍କୁ ରୋକିବାରେ ବିଫଳ ହୋଇଥିଲା।

ଶହ ଶହ ଆନ୍ଦୋଳନକାରୀ କୋର୍ଟ ପରିସରକୁ ପଶିଯାଇଥିବା ବେଳେ ବିଚାରପତିମାନଙ୍କୁ ବାହାରି ଯିବାକୁ ବାଧ୍ୟ କରିଥିଲେ। ଜିଲ୍ଲା ଜଜ୍‌ଙ୍କ ନାମଫଳକ ଭାଙ୍ଗି ଦିଆଯାଇଥିଲା। ଚୌକି, ଝରକା କାଚ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। କୋର୍ଟ ପରିସରରେ ଥିବା ଏକ ଘରୋଇ କାର୍‌ର କାଚ ବି ଭଙ୍ଗା ଯାଇଥିଲା। ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କ ଏଭଳି କାଣ୍ଡ ଦେଖି କେତେକ ଆଇନଜୀବୀ ନିଜ ସୁରକ୍ଷା ବଳୟ ମଧ୍ୟରେ ବିଚାରପତିମାନଙ୍କୁ ସୁରକ୍ଷିତ ଭାବେ କୋର୍ଟ ପରିସରରୁ ବାହାର କରିଥିଲେ। ସେଠାରୁ ପୁଲିସ ପୁଣି ନିଜ ଗାଡ଼ିରେ ବିଚାରପତିମାନଙ୍କୁ ନେଇ ଆସିବା ବେଳେ ମଧ୍ୟ ପ୍ରତିବାଦର ସମ୍ମୁଖୀନ ହୋଇଥିଲା। ବିଚାରପତିଙ୍କୁ ଆଣୁଥିବା ଏକ ଗାଡ଼ି ଉପରେ ଚଢ଼ି ଯାଇ ଜଣେ ଆନ୍ଦୋଳନକାରୀ ନାଚୁଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ଆ‌ଡ୍‌ଭୋକେଟ୍‌ ଜେନେରାଲଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ।

ଭାଙ୍ଗିଯାଇଛି ବିଚାରପତିଙ୍କ ନାମଫଳକ

ଏହି ଅଭାବନୀୟ ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି। ଟାଉନ ଆଇଆଇସି ପ୍ରକାଶ କୁମାର କର୍ଣ୍ଣଙ୍କ ସୂଚନା ଅନୁସାରେ, ନେଲ୍‌ସନ୍‌ ମଣ୍ଡେଲା ଛକରେ ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ଭିମ୍‌ ଆର୍ମି, ବଜରଙ୍ଗ ଦଳ, ମାରୱାଡ଼ି ଯୁବା ମଞ୍ଚ , ଘୁନ୍‌ଘୁଟିପଡ଼ା ବିସ୍ଥାପିତ ସଂଗଠନ, ଏବିଭିପି ସହିତ ଅନ୍ୟାନ୍ୟ ସଂଗଠନ ବିରୋଧରେ କେସ୍‌ ନମ୍ବର ୪୭୯/୧୨/୧୨/୨୨ ମାମଲା ରୁଜୁ କରାଯାଇଛି। ସେହିପରି ଜିଲ୍ଲା ଜଜ୍‌ଙ୍କ କୋର୍ଟ ସମ୍ମୁଖରେ ପୁଲିସ୍‌ ସହିତ ମୁହାଁମୁହିଁ ହେବା ତଥା ପୁଲିସ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ପରିସରକୁ ପଶିବା ଘଟଣାରେ ପୁଲିସ ଏତଲା ଅଧାରରେ ୪୮୦/୧୨.୧୨.୨୨ ରୁଜୁ କରାଯଇଥିବା ସେ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ଅନୱର ଅଲ୍ଲୀ, ବିଜୟ ଜେନା, ବିଷ୍ଣୁ ପାଢ଼ୀ, ସୁରଂଜିନୀ ବାରିକ, ଦୀପକ କୁଅଁର, ଟିଟୁନ ଶର୍ମା, ଜିତେନ୍ଦ୍ର ପ୍ରଧାନ, ବାବୁଲି ପଣ୍ଡା, ଶଶାଙ୍କ ଶେଖର ପାଢ଼ୀ, ଅଫ୍‌ସାନା ବାନୋ ଓରଫ ଅଂଜୁମ, ସିଲୁ ମହାପାତ୍ର, ପ୍ରବୀଣ ସିଂହଦେଓ ପ୍ରମୁଖଙ୍କ ନେତୃତ୍ବରେ ୧୦୦ରୁ ୧୫୦ ଓକିଲ କୋର୍ଟ ପରିସରକୁ ପଶି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିଥିବା ଏତଲାରେ ଦର୍ଶାଯାଇଛି। ସେହିପରି କୋର୍ଟ ଭିତରେ ଭଙ୍ଗାରୁଜାକୁ ନେଇ ଓକିଲମାନଙ୍କ ବିରୋଧରେ ଅନ୍ୟ ଏକ ମାମଲା ୪୮୧/୧୨/୧୨/୨୨ ରୁଜୁ ହୋଇଥିବା ଆଇଆଇସି ଶ୍ରୀ କର୍ଣ୍ଣ କହିଛନ୍ତି।

ଅନ୍ୟପକ୍ଷରେ, ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ଘଟଣା ପାଇଁ ପୁଲିସ ପ୍ରଶାସନକୁ ଦାୟୀ କରାଯାଇଛି। ସଂଘ ସଂପାଦକ ପରେଶ କୁମାର ସାହୁ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଜଣାଇ ସମ୍ବଲପୁର ଓକିଲ ସଂଘ ଗତ ୭ ତାରିଖରୁ ସତ୍ୟାଗ୍ରହ ଆନ୍ଦୋଳନ ଜାରି ରଖିଥିଲା। ବିଚାରପତିମାନଙ୍କୁ କୋର୍ଟ କାର୍ଯ୍ୟରେ ଯୋଗଦେବାକୁ ସଂପୂର୍ଣ୍ଣ ସହଯୋଗ କରି ଆସିଛି। ତେବେ, ପୁଲିସର ଦୂରଦୃଷ୍ଟିର ଅଭାବ ଓ ଅପାରଗତା ଯୋଗୁଁ କୋର୍ଟ ପରିସରରେ ଆଜି ଯେଉଁ ଅଭାବନୀୟ ଘଟଣା ଘଟିଛି, ତାହାକୁ ସଂଘ ନିନ୍ଦା କରୁଛି। ପୁଲିସ ନିଜର ବିଫଳତାକୁ ଲୁଚାଇବା ପାଇଁ କୋର୍ଟ ପରିସରରେ ଉପସ୍ଥିତ ଥିବା ନିରୀହ ଜନତାଙ୍କୁ ଆକ୍ରମଣ କରିବାରୁ ଉତ୍ତ୍ୟକ୍ତ ଜନତା ଉତ୍‌କ୍ଷିପ୍ତ ହୋଇଥିଲେ। ଆତ୍ମରକ୍ଷା ପାଇଁ ଏଣେତେଣେ ଦୌଡ଼ିବା ସମୟରେ ଏଭଳି ପରିସ୍ଥିତି ଘଟିଥାଇପାରେ। ଏହାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟତା ଉନ୍ମୋଚନ କରିବା ପାଇଁ ଜିଲ୍ଲା ଓକିଲ ସଂଘ ଦାବି କରୁଛି ବୋଲି ସଂପାଦକ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର