ଭଡ଼ାଘରେ ନକଲି ମଦ ଫ୍ୟାକ୍ଟ୍ରି; ଗ୍ରୋସେରି ଭ୍ୟାନ୍‌ରେ ଚାଲାଣ, ୧୫ ଲକ୍ଷର ସାମଗ୍ରୀ ଜବତ, ୩ ଗିରଫ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଲିଥିବା ନକଲି ମଦ କାରବାର ଉପରେ ନଜର ରଖିଛି ଅବକାରୀ ବିଭାଗ। ଆଜି ପୁଣିଥରେ ବ୍ରହ୍ମପୁର ଅବକାରୀ ବିଭାଗ ବିପୁଳ ପରିମାଣ ନକଲି ବିଦେଶୀ ଓ ଦେଶୀ ମଦ ଜବତ କରିଛି। ବ୍ରହ୍ମପୁର ସହର ପ୍ରବେଶ ପଥ ଅଞ୍ଚଳର ଏକ କଲୋନିରେ ଗୋଟିଏ ଘର ଭଡ଼ାରେ ନେଇ ଚାଲିଥିଲା ବିଶାଳ ଫ୍ୟାକ୍ଟ୍ରି। ଏ ସଂକ୍ରାନ୍ତରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଗ୍ରୋସେରି ସାମଗ୍ରୀ ସମେତ ନକଲି ବିଦେଶୀ ମଦ ମିଶାଇ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଅବକାରୀ ବିଭାଗ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୋହନାର ଗାଡ଼ି ମାଲିକ ପ୍ରଫୁଲ୍ଲ କୁମାର ସାହୁ, ଡ୍ରାଇଭର୍‌ ନକୁଳ ଗମାଙ୍ଗ ଓ ମଦ ପ୍ରସ୍ତୁତକାରୀ ଫାଷ୍ଟଗେଟ୍‌ କାଶୀନଗରର ତାରିଣୀ ଜେନା ବୋଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାୟକ ସୂଚନା ଦେଇଛନ୍ତି।
ଅବକାରୀ କମିସନର୍‌ ଆଶିଷ କୁମାର ସିଂ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଓ ନକଲି ମଦ ଧରପଗଡ଼ ଜୋରଦାର କରାଯାଇଛି। ଆସିକା ରୋଡ଼ ଅଞ୍ଚଳରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଗ୍ରୋସରି ସାମଗ୍ରୀ ସହିତ ନକଲି ମଦ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ସେ ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଡେଙ୍ଗାପଦର ନିକଟରେ ସେହି ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇଥିଲା। ଯାଞ୍ଚ ପରେ ଗାଡ଼ିର ଡାଲାରୁ ଦୁଇଟି ଗ୍ରୋସରି ସାମଗ୍ରୀ ପେଟି ସହିତ ଅନ୍ୟ ପେଟିରେ ଥିବା ବିଦେଶୀ ମଦ ଜବତ ହୋଇଥିଲା। ଯାଞ୍ଚ ପରେ ତାହା ନକଲି ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଗାଡ଼ି ମାଲିକ ପ୍ରଫୁଲ୍ଲ ଓ ଡ୍ରାଇଭର୍‌ ନକୁଳକୁ ଗିରଫ କରିଥିଲା। ସେମାନଙ୍କୁ ଜେରା କରିବା ପରେ ତାରିଣୀ ଠାରୁ ଏହି ମଦ ଆଣିଥିବା ଜଣାପଡ଼ିଥିଲା। ତାରିଣୀ ଆଉ ଏକ ପେଟି ମଦ ଧରି ରାସ୍ତାରେ ଜଗି ରହିଥିବା ବେଳେ ଅବକାରୀ ବିଭାଗ ତାକୁ ମଧ୍ୟ ଗିରଫ କରିବା ସହିତ ମଦ ଜବତ କରିଥିଲା। ତାରିଣୀ ରହୁଥିବା ଫାଷ୍ଟଗେଟ୍‌ କାଶୀନଗର ସ୍ଥିତ ଭଡ଼ାଘରେ ଚଢ଼ଉ ପରେ ବିପୁଳ ପରିମାଣ ମଦ ଓ ସାମଗ୍ରୀ ଜବତ ହୋଇଥିଲା। ତାରିଣୀ ସେଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କୁ ବିକ୍ରି କରୁଥିଲା ବୋଲି ଜଣାପଡ଼ିଛି। ସେହି ଭଡ଼ାଘରୁ ୧୦୮ ବୋତଲ ବିଭିନ୍ନ ବ୍ରାଣ୍ଡ୍‌ର ବିଦେଶୀ ନକଲି ମଦ, ୧ହଜାର ୮୬ କ୍ରକ୍‌, ୬ଲିଟର୍‌ ହୋମିଓପାଥି ସ୍ପିରିଟ୍‌, ୩ଲିଟର୍‌ ରଙ୍ଗ, ୮ଶହ ଲେବଲ୍‌, ୩ଶହ ନକଲି ଅବକାରୀ ସିଲ୍‌, ୪ଶହ ଖାଲି ବୋତଲ ପ୍ରଭୃତି ଜବତ ହୋଇଥିଲା। ମଦ ପ୍ରସ୍ତୁତି ପାଇଁ କେଉଁଠୁ ସାମଗ୍ରୀ ଆସୁଥଥିଲା ସେ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଜବତ ମଦ, ସାମଗ୍ରୀ ଓ ଉଭୟ ଗାଡ଼ିର ମୂଲ୍ୟ ପ୍ରାୟ ୧୫ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ସେହିପରି ଅନ୍ୟ ଏକ ଟିମ୍‌ କୁକୁଡ଼ାଖଣ୍ଡି ତହସିଲର ନୂଆପଡ଼ା, ବଡ଼ଲୁଣ୍ଡି, ବିକାଶପୁର, ଡେଙ୍ଗାପଦର ଗ୍ରାମ ନିକଟସ୍ଥ ଜଙ୍ଗଲ ଇଲାକାରେ ଚଢ଼ଉ କରି ବିପୁଳ ପରିମାଣ ଦେଶୀ ରନ୍ଧାମଦ ଓ ପୋଚ ଜବତ କରିଛି। ମୋଟ ୧୦ହଜାର ୨ଶହ କେଜି ଗୁଡ଼ମିଶ୍ରିତ ପୋଚ ଓ ୩୧୭ଲିଟର୍‌ ରନ୍ଧାମଦ ଏବଂ ସାମଗ୍ରୀ ଜବତ କରାଯାଇଛି। ଚଢ଼ଉରେ ଅବକାରୀ ଉପଅଧୀକ୍ଷକ ବିଜୟ କୁମାର ଧାରୁଆ, ଇନ୍‌ସ୍ପେକ୍ଟର୍‌ ଅର୍ଜୁନ କୁମାର ମଲ୍ଲିକ, ଇନ୍‌ସ୍ପେକ୍ଟର୍‌ ମିହିର ସେଠୀ, ଏସ୍‌ଆଇ ସୁଧାଂଶୁ ମୁଣ୍ଡା, ଏଏସ୍‌ଆଇ ପ୍ରଦୀପ କୁମାର ସାହୁ, ଏଏସ୍‌ଆଇ ଏମ୍‌.ଡି ଇଦ୍ରିସ୍‌ ପ୍ରମୁଖ ସାମିଲ ହୋଇଥିଲେ।
ସମ୍ବନ୍ଧିତ ଖବର