ଭଗବାନ ଭରସାରେ ଆୟୁଷ ଚିକିତ୍ସା! ଆୟୁର୍ବେଦିକ ଓ ହୋମିଓପାଥିକ୍‌ ଡିସପେନସାରିର ଦୟନୀୟ ସ୍ଥିତି

୨୯% ଡାକ୍ତର, ସହାୟକ ନାହାନ୍ତି

ରାଉରକେଲା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆୟୁଷ ଚିକିତ୍ସାକୁ ପ୍ରାଥମିକତା ଦେଉଛନ୍ତି। ରୋଗୀଙ୍କୁ ସ୍ବଳ୍ପ ବ୍ୟୟରେ ଚିକତ୍ସା ସେବା ଯୋଗାଇବାକୁ ପ୍ରତ୍ୟେକ ଜିଲ୍ଲାରେ ଉଭୟ ଆୟୁର୍ବେଦିକ ଓ ହୋମିଓପାଥିକ୍‌ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୩୩ଟି ଆୟୁର୍ବେଦିକ ଓ ୨୪ଟି ହୋମିଓପାଥିକ୍‌ ଡିସ୍‌ପେନସାରି ସ୍ଥାପନ କରାଯାଇଥିଲା। କିନ୍ତୁ ଏହି କେନ୍ଦ୍ର ଅସଲ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଛି। ଉଭୟ ହୋମିଓପାଥିକ୍‌ ଓ ଆୟୁର୍ବେଦିକ୍‌ ଡିସ୍‌ପେନସାରିରେ ଜଣେ ଲେଖାଏ ଡାକ୍ତର ଓ ସହାୟକ ରହିବା ଆବଶ୍ୟକ। ଏହି ହିସାବରେ ଜିଲ୍ଲାରେ ଥିବା ମୋଟ ୫୭ଟି ଡିସପେନସାରି(ଉଭୟ ହୋମିଓପାଥିକ୍‌ ଓ ଆୟୁର୍ବେଦିକ୍‌)ରେ ୧୧୪ ଜଣ ଡାକ୍ତର, ସହାୟକ ମୁତୟନ ହେବା କଥା। କିନ୍ତୁ ୩୩ଟି(୨୮.୯୪%) ପଦବି ଖାଲି ପଡ଼ିଛି। ଡାକ୍ତର ଅଭାବରୁ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଥିବାରୁ କ୍ରମଶଃ ରୋଗୀଙ୍କ ଭରସା ଉଠିବାରେ ଲାଗିଛି।
ଆୟୁଷ ବିଭାଗ ଅଧୀନସ୍ଥ ଉଭୟ ଆ‌ୟୁର୍ବେଦିକ ଓ ହୋମିଓପାଥିକ୍‌ ଡିସ୍‌ପେନସାରି କ୍ରମାଗତ ଅବହେଳାର ଶିକାର ହେଉଛି। ନିୟମାନୁଯାୟୀ, ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସହାୟକ ନାହାନ୍ତି। ଜିଲ୍ଲାରେ ଥିବା ମୋଟ୍‌ ୨୪ଟି ହୋମିପାଥିକ୍‌ ଡିସପେନସାରି ମଧ୍ୟରୁ ୪ଟି ଡିସ୍‌ପେସାରିରେ ଡାକ୍ତର ନାହାନ୍ତି। ସେଗୁଡ଼ିକ ହେଲା, ଛେଣ୍ଡ, ଲତାଲଗା, ରାଏଡିହି ଓ ଜାମତଲିଆ। ଜିଲ୍ଲାରେ କେବଳ ଡାକ୍ତର ନୁହେଁ, ବହୁ ସ୍ଥାନରେ ସହାୟକ ବି ନାହାନ୍ତି। ସଂପ୍ରତି ୬ଟି ଡିସ୍‌ପେନସାରି ଲହଣ୍ଡା, ଝିରପାଣି, ଜାମତଲିଆ, ଜେରୖକେଲା, ବନବାହାଲ ଓ ତୁମୁଲିଆରେ ଜଣେ ବି ସହାୟକ ନାହାନ୍ତି। ଅର୍ଥାତ୍‌ ଜିଲ୍ଲାର ହୋମିଓପାଥିକ୍‌ ଡିସ୍‌ପେନସାରିରେ ୪୮ ଜଣ ଡାକ୍ତର ଓ ସହାୟକଙ୍କ ମଧ୍ୟରୁ ୧୦ଟି ପଦବି ଖାଲିପଡ଼ିଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ମାର୍ଟସିଟି ରାଉରକେଲାରେ କେବଳ ଛେଣ୍ଡ୍‌ରେ ଗୋଟିଏ ଆୟୁର୍ବେଦିକ ଡିସ୍‌ପେନସାରି ରହିଛି। ସଂଖ୍ୟାରେ ବୃଦ୍ଧି କରିବାକୁ ବାରମ୍ବାର ଦାବି ହେଉଥିବା ସତ୍ତ୍ବେ ରାଜ୍ୟ ସରକାର ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆଯାଉନି। ସେହିଭଳି ଆୟୁର୍ବେଦିକ୍‌ ଡିସ୍‌ପେନସାରି‌ର ମଧ୍ୟ ସମାନ ସ୍ଥିତି। ଜିଲ୍ଲାରେ ଥିବା ୩୩ଟି ଆୟୁର୍ବେଦିକ ଡିସ୍‌ପେନସାରି‌ ମଧ୍ୟରୁ ଦଶଟି କେନ୍ଦ୍ରରେ ଡାକ୍ତର ନାହାନ୍ତି। ଏମିତିକି ୧୩ଟି କେନ୍ଦ୍ରରେ ସହାୟକ ପଦବି ମଧ୍ୟ ଖାଲିପଡ଼ିଛି। ଅର୍ଥାତ୍‌, ଜିଲ୍ଲାର ୩୩ଟି ଡିସ୍‌ପେନସାରି ପାଇଁ ଆବଶ୍ୟକ ହେଉଥିବା ୬୬ ଜଣ ଡାକ୍ତର ଓ ସହାୟକଙ୍କ ମଧ୍ୟରୁ ମୋଟ୍‌ ୨୩ଟି ପଦବି ଖାଲି ପଡ଼ିଛି।
ବିଡ଼ମ୍ବନା ଏହା ଯେ, ସ୍ମାର୍ଟସିଟି ରାଉରକେଲାରେ ଗୋଟିଏ ବି ଆୟୁର୍ବେଦିକ୍‌ ଡିସପେନସାରି ନାହିଁ। ଏମିତିକି ଜିଲ୍ଲା ସଦର ମହକୁମା ସୁନ୍ଦରଗଡ଼ ଓ ରାଜଗାଙ୍ଗପୁର ସହରରେ ବି ଏଯାଏ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ର ସ୍ଥାପନ ସମ୍ଭବ ହୋଇ ନାହିଁ। ବର୍ଷବର୍ଷ ହେଲା ପଦପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ କାର୍ଯ୍ୟକାରୀ ହୋଇପାରୁନି। ଡାକ୍ତର ଓ ସହାୟକ ନିଯୁକ୍ତି ପ୍ରସଂଗକୁ ରାଜ୍ୟ ସରକାର ଅଣଦେଖା କରିଚାଲିଥିବାରୁ ଲୋକେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ସମ୍ବନ୍ଧିତ ଖବର