ଆଇଏମ୍‌ଏଫ୍‌ ଆକଳନ:ତଥ୍ୟ ସୁରକ୍ଷା ନେଇ ଟ୍ରାଇ ଅସନ୍ତୁଷ୍ଟ

ଚୀନ୍‌ ଆଗରେ ରହିବ ଭାରତ

ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ସଂକ୍ରାନ୍ତ ସଦ୍ୟତମ ଆକଳନ ଆଜି ପ୍ରକାଶ ପାଇଛି। ଏପ୍ରିଲରେ ଆଇଏମ୍‌ଏଫ୍‌ କରିଥିବା ଆକଳନ ତୁଳନାରେ ଆଜିର ଆକଳନରେ ଭାରତର ଜିଡିପି ଅଭିବୃଦ୍ଧି ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ କମ୍‌ ରହିବ ବୋଲି ଦର୍ଶାଯାଇଛି। ଭାରତର ଅଭିବୃଦ୍ଧି ୨୦୧୮ରେ ୭.୩% ଏବଂ ୨୦୧୯ରେ ୭.୫% ରହିବ ବୋଲି ଆକଳନ କରାଯାଇଛି। ଏପ୍ରିଲରେ କରାଯାଇ ଥିବା ଆକଳନ ଅନୁଯାୟୀ ୨୦୧୮ରେ ଭାରତର ଅଭିବୃଦ୍ଧି ୭.୪% ଏବଂ ୨୦୧୯ରେ ୭.୮% ରହିବ ବୋଲି ଦର୍ଶାଯାଇଥିଲା। ତେଣୁ ଏପ୍ରିଲ ତୁଳନାରେ ଜୁଲାଇ ଆକଳନରେ ଅଭିବୃଦ୍ଧି ଯଥାକ୍ରମେ ୦.୧% ଏବଂ ୦.୩% କମ୍‌ ରହିବ। ବିମୁଦ୍ରାକରଣ ଏବଂ ଜିଏସ୍‌ଟି ପ୍ରଭାବରେ ଭାରତର ଅଭିବୃଦ୍ଧି ପ୍ରଭାବିତ ହେବ। ଏତଦ୍‌ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପ୍ରଭାବରେ ଭାରତରେ ଚାହିଦା ସଙ୍କୁଚିତ ହେବ। ସେହିଭଳି ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଆଗକୁ ସୁଧ ହାର ମଧ୍ୟ ବୃଦ୍ଧି କରାଯିବ। ଏସବୁର ପ୍ରଭାବରେ ଅଭିବୃଦ୍ଧି ହ୍ରାସ ଘଟିବ ବୋଲି କୁହାଯାଇଛି। ୨୦୧୭ରେ ଭାରତର ଅଭିବୃଦ୍ଧି ୬.୭ ପ୍ରତିଶତ ରହିବା ନେଇ ଏଥିରେ କୁହାଯାଇଛି।
ଭାରତର ଅଭିବୃଦ୍ଧି ୨୦୧୮ ଏବଂ ୨୦୧୯ରେ ପୂର୍ବ ଆକଳତ ତୁଳନାରେ କମ୍‌ ରହିଲେ ମଧ୍ୟ ଚୀନ୍‌ଠାରୁ ଭାରତ ଆଗରେ ରହିବ। ଚୀନ୍‌ର ଅଭିବୃଦ୍ଧି ୨୦୧୭ରେ ୬.୯ ପ୍ରତିଶତ ଥିବାବେଳେ ୨୦୧୮ରେ ତାହା ୬.୬ ପ୍ରତିଶତକୁ ଏବଂ ୨୦୧୯ରେ ଏହା ୬.୪ ପ୍ରତିଶତକୁ କମିଯିବ ବୋଲି ଆଇଏମ୍‌ଏଫ୍‌ କହିଛି।
ଆଇଏମ୍‌ଏଫ୍‌ ପକ୍ଷରୁ ବିଶ୍ୱର ଅଭିବୃଦ୍ଧି ୨୦୧୮ ଏବଂ ୨୦୧୯ରେ ୩.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଜର୍ମାନି, ଫ୍ରାନ୍ସ ଏବଂ ଜାପାନର ଅଭିବୃଦ୍ଧି କମିବା ସତ୍ତ୍ୱେ ବିଶ୍ୱ ଅଭିବୃଦ୍ଧି ଉପରୋକ୍ତ ସ୍ତରରେ ରହିବ ବୋଲି କୁହାଯାଇଛି।
ତେବେ ଟ୍ରମ୍ପ୍‌ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧର ଭୟଙ୍କର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବ। ଶୁଳ୍କ ବୃଦ୍ଧି କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ଯେଉଁ ଯେସାକୁ ତେସା ନୀତି ଆପଣାଇବେ ତାହାର କେନ୍ଦ୍ରବିନ୍ଦୁ ଆମେରିକା ରହିବ। ଆମେରିକା ଏବଂ ଅବଶିଷ୍ଟ ବିଶ୍ୱ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ରତର ହେଲେ ବିଶ୍ୱ ଅର୍ଥନୀତିକୁ ଏଥିପାଇର୍ ୪୩୦ ବିଲିଅନ ଡଲାରର କ୍ଷତି ସହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର