ବାହାନଗା ଟ୍ରେନ ଦୁର୍ଘଟଣା: ସିବିଆଇ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲା ଏନ୍ଏଫ୍ଆଇଆର୍
ନୂଆଦିଲ୍ଲୀ : ବାହାନଗା ଟ୍ରେନ ଦୁର୍ଘଟଣାର ଯାଞ୍ଚ ରେଳ ସୁରକ୍ଷା କମିସନଙ୍କ ଦ୍ବାରା ସମାପ୍ତ ହେବା ପୂର୍ବରୁ ସିବିଆଇକୁ ତଦନ୍ତ ଭାର ଦେବାକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନବାଜି ଜାରିରହିଛି। ଏହାକୁ ନେଇ ନ୍ୟାସନାଲ ଫେଡେରେସନ୍ ଅଫ ଇଣ୍ଡିଆନ୍ ରେଲ ୱେମେନ୍ (ଏନ୍ଏଫ୍ଆଇଆର୍)ର ପ୍ରବକ୍ତା ସେମାପାଲ ମଲିକ କହିଛନ୍ତି, ଭାରତ ଇତିହାସରେ ପ୍ରଥମ ଥର ଏଭଳି ହୋଇଛି ଯେତେବେଳେ ଏତେ ବଡ଼ ରେଳ ଦୁର୍ଘଟଣାର ଯାଞ୍ଚ ପାଇଁ ରେଳ ସୁରକ୍ଷା କମିସନଙ୍କ ତଦନ୍ତ ଶେଷ ହୋଇନଥିବାବେଳେ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମଲିକଙ୍କ ଅଭିଯୋଗ ହେଲା, ସରକାରଙ୍କ ଦ୍ବାରା ଏହି ମାମଲାର ପ୍ରକୃତ ସତ୍ୟତାକୁ ଲୁଚାଇବାକୁ ପ୍ରୟାସ କରାଯାଉଛି। ସଂସଦରେ ସରକାରଙ୍କ ଦ୍ବାରା ସିବିଆଇ ତଦନ୍ତକୁ ନେଇ ଗତ ୫ ବର୍ଷର ଯେଉଁ ତଥ୍ୟ ପ୍ରଦାନ କରାଯାଇଥିଲା ତାହା ଉତ୍ସାହଜନକ ନୁହେଁ। ଏମିତିରେ ଟ୍ରେନ ଦୁର୍ଘଟଣାରେ ସିବିଆଇ ଯାଞ୍ଚ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି ସେ କହିଛନ୍ତି। ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍ସି) କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।