ଖଣ୍ଡଗିରି: ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରୁ କମିସନରେଟ୍ ପୁଲିସ ଏକ ଗଞ୍ଜେଇ ଭର୍ତି କାର୍ ଜବତ କରିଛି। କାର୍ରୁ ପ୍ରାୟ ୮୦ କେଜି ଗଞ୍ଜେଇ ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ପୁଲିସ କାର୍ ମାଲିକଙ୍କ ବାବଦରେ ସୂଚନା ପାଇ ସାରିଛି ଓ ତାକୁ ଜେରା କରିବା ପରେ ଗଞ୍ଜେଇ ବେପାରୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ରାଜଧାନୀର ଏକ ଫାଇନାନ୍ସ କମ୍ପାନି ଜଣେ ବ୍ୟକ୍ତିଙ୍କୁ ଇଣ୍ଡିଗୋ କାର୍(ଓଡି୦୨ଏଏ-୫୪୧୪) ବାବଦରେ ଋଣ ଦେଇଥିଲା। ମାତ୍ର କାର୍ ନେଇଥିବା ବ୍ୟକ୍ତି କିସ୍ତି ଖିଲାପ କରି ଚାଲିଥିଲା। ତେଣୁ କାର୍କୁ ଜବତ କରିବା ପାଇଁ ଫାଇନାନ୍ସ କମ୍ପାନିର ରିକଭରି ସ୍କ୍ଵାଡ୍ କର୍ମଚାରୀମାନେ ଗାଡ଼ିକୁ ପିଛା କରୁଥିଲେ। ଆଜି ଏହି କାର୍ଟି ନୟାଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ନେଇ ସେମାନଙ୍କ ନିକଟରେ ଖବର ପହଞ୍ଚିଥିଲା। ତେଣୁ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ କାର୍କୁ ଅଟକାଇବା ପାଇଁ ଗଙ୍ଗପଡ଼ା ଛକରେ ଜଗି ବସିଥିଲେ। କାର୍ଟି ଗଙ୍ଗପଡ଼ା ଛକରେ ପହଞ୍ଚିବା ମାତ୍ରେ ସେମାନେ ତାକୁ ଅଟକାଇଥିଲେ। ଗାଡ଼ିରୁ ଓହ୍ଲାଇ ଡ୍ରାଇଭର ଓ ଅନ୍ୟ ଜଣେ ଫାଇନାନ୍ସ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ଡ୍ରାଇଭରଠାରୁ ସେମାନେ ଚାବି ଛଡ଼ାଇ ନେଇଥିଲେ। ଏହି ସମୟରେ କାର୍ରେ ଥିବା ଦୁଇ ଜଣଯାକ ମାଲିକଙ୍କ ସହ କଥା ହେବା ବାହାନାରେ ଧୀରେ ଧୀରେ କାର୍ ପାଖରୁ ଦୂରେଇ ଦୂରେଇ ଯାଇଥିଲେ। ପରେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଛୁ’ ମାରିଥିଲେ। ଫାଇନାନ୍ସ କମ୍ପାନିର କର୍ମଚାରୀମାନେ କାର୍ ଭିତରୁ ସେମାନଙ୍କ ଜିନିଷ ନେଇଯିବାକୁ କହିବାବେଳକୁ ସେମାନେ ଆଉ ସେଠାରେ ନଥିଲେ। ତେଣୁ ସନ୍ଦେହ କରି ସେମାନେ କାର୍ ଭିତର ତଲାସିବାବେଳକୁ ଗଞ୍ଜେଇ ଭର୍ତି ବସ୍ତା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ଯାଁଳା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଓ ଗଞ୍ଜେଇ ଜବତ କରିଥିଲା। ପୁଲିସ ଫାଇନାନ୍ସ କମ୍ପାନିଠାରୁ କାର୍ ନେଇଥିବା ବ୍ୟକ୍ତି ବାବଦରେ ସୂଚନା ପାଇଛି।