ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବଳବୁଦ୍ଧି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଘରେ ବିଳମ୍ବିତ ରାତିରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ। ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କୋଡ଼ିଏ ଛେଳି ସହିତ ଚାରି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଏହି ଗ୍ରାମର କୈଳାସ ମଲ୍ଲିକଙ୍କ ସହିତ ତାଙ୍କର ପଡ଼ୋଶୀଙ୍କ ସହିତ ଜମିଜମାକୁ ନେଇ ପୂର୍ବରୁ ଶତ୍ରୁତା ରହିଥିଲା। ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଗତକାଲି କୈଳାସଙ୍କ ସହିତ ପରିବାର ସଦସ୍ୟ ଘରେ ସୋଇଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କର ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଥିଲେ। ହଠାତ୍ ଘରେ ନିଆଁ ଲାଗିଥିବା ଦେଖି କୈଳାସ ପ୍ରଥମେ ପରିବାର ସଦସ୍ୟଙ୍କୁ ବାହାରକୁ ସୁରକ୍ଷିତ ଭାବେ ବାହାର କରିଥିବା ବେଳେ ଗୁହାଳରେ ଥିବା କୋଡ଼ିଏ ଛେଳି ଓ ଚାରି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ନିଆଁରେ କୈଳାସଙ୍କ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ବର୍ଷକର ଅମଳ ଧାନ, ଚାଉଳ ସହିତ ପିନ୍ଧା ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ଏନେଇ କୈଳାସ ମଲ୍ଲିକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।