ହୋଟେଲ୍ ରୁମ୍ ସେୟାର୍ କରିବାକୁ ବିଦେଶୀ ପୁରୁଷ ଏବଂ ମହିଳାଙ୍କୁ ଅନୁମତି ଦେଲା ସାଉଦି ଆରବ
ରିୟାଦ୍: ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ନୂତନ ଭିସା ନୀତି ପ୍ରଣୟନ କରିବା ପରେ ରକ୍ଷଣଶୀଳ ମୁସଲମାନ ରାଜ୍ୟ ସାଉଦି ଆରବ ଏବେ ବିଦେଶୀ ପୁରୁଷ ଓ ନାରୀମାନଙ୍କୁ ହୋଟେଲ ରୁମ୍ ସେୟାର୍ କରିବାକୁ ଅନୁମତି ଦେଇଛି। ସେ ପୁରୁଷ ଓ ନାରୀମାନେ ଯେ ପରସ୍ପରର ସମ୍ପର୍କୀୟ ସେ ସଂକ୍ରାନ୍ତରେ କୌଣସି ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ ପଡ଼ିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସାଉଦୀ ମହିଳାଙ୍କ ସମେତ ଯେ କୌଣସି ମହିଳା ନିଜେ ମଧ୍ୟ ହୋଟେଲ ରୁମ୍ ଭଡ଼ା ନେଇ ପାରିବେ। ପୂର୍ବରୁ ଏଥି ନିମନ୍ତେ ଥିବା ନୀତି ନିୟମ ଉଠାଇ ନିଆଯାଇଛି। ଏଥିନିମନ୍ତେ କୌଣସି ଚେକ୍-ଇନ୍ ବା ପରିବାର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ନାହିଁ ବୋଲି ସାଉଦି ପର୍ଯ୍ୟଟନ ଓ ଜାତୀୟ ଐତିହ୍ୟର କମିସନ୍ କହିଛି।
ଗତ ସପ୍ତାହରେ ସାଉଦି ଆରବ ବିଶ୍ୱର ୪୯ଟି ଦେଶର ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବ ବୋଲି ଘୋଷଣା କରିଥିଲା। ତୈଳ ବ୍ୟତୀତ ଅନ୍ୟାନ୍ୟ ସୂତ୍ରରୁ ନିଜର ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ସାଉଦି ଆରବ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା କଥା କୁହାଯାଇଥିଲା। ମହିଳାମାନେ କଳା ବୁର୍ଖାରେ ସମ୍ପୂର୍ଣ୍ଣ ଆବୃତ ହୋଇ ଆସିବା ନିିୟମକୁ ମଧ୍ୟ ଉଠାଇ ଦିଆଯାଇଛି। କିନ୍ତୁ, ସେମାନେ ଭଦ୍ର ପୋଷାକ ପରିଧାନ କରିବେ ବୋଲି ନିର୍ଦେଶ ରହିଛି। ମଦ ପୂର୍ବପରି ନିଷେଧ କରାଯାଇଛି।
୨୦୩୦ ସୁଦ୍ଧା ସାଉଦି ଆରବକୁ ବାର୍ଷିକ ୧୦୦ ନିୟୁତ ପର୍ଯ୍ୟଟକ ଆସିବେ ବୋଲି କର୍ତ୍ତୃପକ୍ଷମାନେ ଲକ୍ଷ୍ୟ ରଖିଛନ୍ତି।
ସାଉଦି ଆରବରେ ଏଭଳି ପରିବର୍ତ୍ତନ ହେଉଛି ଯୁବରାଜ ମହମ୍ମଦ ବିନ୍ ସଲମନ୍ଙ୍କ ଉଚ୍ଚାକାଙ୍କ୍ଷୀ ଆର୍ଥିକ ଏବଂ ସାମାଜିକ ସଂସ୍କାର କାର୍ଯ୍ୟକ୍ରମର ଅଂଶବିଶେଷ।