ପୁରୀ: ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପତିତପାବନ ବାନାରେ ଲାଗିଯାଇଛି ନିଆଁ । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ପାପମୋଚନ ଏକାଦଶୀ ଅବସରରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା ପରେ ସେଥିରୁ ପତିତପାବନ ବାନାକୁ ନିଆଁ ଧରିଯାଇଥିଲା। ଏହା ଫଳରେ ପତିତପାବନ ବାନାର କିଛି ଅଂଶ ଜଳି ଯାଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପାପମୋଚନ ଏକାଦଶୀ ଉପଲକ୍ଷେ ଶ୍ରୀମନ୍ଦିର ଅଁଳା ବେଢ଼ାରେ ମହାଦୀପ ଲାଗିଥିଲା। ହଠାତ୍ ପବନ ଆସିବା ସହ ମହାଦୀପ ଉପରେ ସିଧାସଳଖ ପତିତପାବନ ବାନା ପଡ଼ିଥିଲା। ସଙ୍ଗେ ସଙ୍ଗେ ଏଥିରେ ନିଆଁ ଲାଗି ଯାଇଥିଲା । ଜଳିବା ପରେ ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଓ ବାହାରେ ଉଡ଼ିବାର ଦେଖିବାକୁ ମିଳିଥିଲା। ଏହା କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା। ଏହାକୁ ନେଇ ଉଦ୍ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା। ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ଏହାକୁ ଶ୍ରୀମନ୍ଦିର ଚୁନରା ସେବକ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମହାଦୀପରୁ ନିଆଁ ଝୁଲ ଉଡ଼ି ଏଣେତେଣେ ପଡ଼ୁଥିଲା। ଏହା ଜଣାପଡ଼ିବା ପରେ ଚୁନରା ସେବକମାନଙ୍କୁ ଅଁଳା ବେଢ଼ାକୁ ପଠାଯାଇ ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ, ଗତକାଲି ବି ମହାପ୍ରଭୁଙ୍କ ବାନାରେ ଗଣ୍ଠି ପଡ଼ିଯାଇଥିଲା। ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହାର ଦିନକ ପରେ ମହାପ୍ରଭୁଙ୍କ ପତିତପାବନ ବାନାରେ ନିଆଁ ଲାଗିଯିବା ଚର୍ଚ୍ଚାକୁ ଭିନ୍ନ ଦିଗକୁ ନେଇଛି।
ତେଣେ ଶ୍ରୀମନ୍ଦିରରେ କରୋନା ସଂକ୍ରମଣ ରୋକିବାକୁ କଟକଣା ଲାଗିଛି । ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ହେବ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ବରିଷ୍ଠ ସେବାୟତ ରାମଦାସ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ଼ ଦେଉଳରେ ବଡ ଠାକୁରଙ୍କ ସେବା କରିବେ । କିନ୍ତୁ ଭୂତାଣୁଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।