ଦେଓଗାଁ: ଦେଓଗାଁ ବ୍ଲକ୍ର ୨୬ଟି ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ସରପଞ୍ଚ ପଦ ପାଇଁ ଅନୁସୂଚିତ ଜନଜାତି ଶ୍ରେଣୀ ଲାଗି ସଂରକ୍ଷିତ ବ୍ୟବସ୍ଥା କରାଯାଇ ନାହିଁ। ଏଥିରେ ଅସନ୍ତୋଷ ପ୍ରକାଶ କରି ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ତାଲା ଦେଇ ସରକାରୀ କାମକୁ ବନ୍ଦ କରିଥିବା ଜଣାପଡ଼ିଛି। ଗତ ୪ ତାରିଖଠାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତରେ ତାଲାବନ୍ଦ କରିଥିବା ବେଳେ ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆସନ୍ତା ୧୭ତାରିଖ ଦିନ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତେଣୁ ତାଲା ଦିଆଯାଇଥିବା ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଶନିବାର ବିଡିଓଙ୍କୁ ଜଣାଇବା ସହ ସଂପୃକ୍ତ ଥାନାରେ ଏତଲା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ବିଡିଓ ମୁରଲୀଧର ନାଏକଙ୍କୁ ପଚାରିବାରୁ ପଞ୍ଚାୟତ ଇଓଙ୍କ ଦ୍ବାରା ଥାନାରେ ଏତଲା ଦିଆଯାଇଛି, ନିର୍ବାଚନ ପ୍ରକ୍ରିୟାରେ ବାଧା କିମ୍ବା ବିଶୃଙ୍ଖଳା ସୃଷ୍ଟି ହେଲେ ପ୍ରଶାସନର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବ୍ଲକ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୨ଟି ପଞ୍ଚାୟତ ଯଥା ହାତୀସରା, କୁତୁର୍ଲା, ଗାଈବାହାଲ, ଦେଷଣ୍ଢ, ରାମଚନ୍ଦ୍ରପୁର, କୁଳୁତାପଡ଼ା, ଗୌଡ଼ଗୋଠ, ବଡ଼ବହାଲ, ଘୁଡ଼ଖାପଲା, ସାଲେପାଲି, ସିଂହାମୁଣ୍ଡା, ମକୁନ୍ଦପୁରରେ ତାଲା ଦିଆଯାଇଥିବା ବିଷୟରେ କୁହାଯାଉଥିବା ବେଳେ ଶନିବାର ଆଉ ୪ଟି ପଞ୍ଚାୟତ ଯଥା ଡୁମ୍ବେରପିଟା, ବନ୍ଧପଡ଼ା, ଲଣ୍ଡାପଥର, ବ୍ରାହ୍ମଣୀଜୋର ମୋଟ ୧୬ଟି ପଞ୍ଚାୟତରେ ତାଲା ଦିଆଯାଇଛି। ଅବଶିଷ୍ଟ ୧୦ଟି ପଞ୍ଚାୟତରେ ମଧ୍ୟ ତାଲା ବନ୍ଦ କରି ଆନ୍ଦୋଳନ କରାଯିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।