ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ, ନ୍ୟାୟ ପାଇଁ ଡିଆଇଜିଙ୍କ ଦ୍ୱାରସ୍ଥ ହେଲେ ପରିବାର

ସମ୍ବଲପୁର : ମାଲିକର ବାପା ମାଆଙ୍କୁ ଧରି ରାୟପୁର ଯାଉଛି ବୋଲି କହି ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳର ସଞ୍ଜୟ ରାୟ ଗତ ମାସ ୧୬ ତାରିଖ ଦିନ ଘରୁ ଯାଇଥିଲେ। କିନ୍ତୁ ଆଉ ଫେରିଲେ ନାହିଁ। ୨ ଦିନ ପରେ ଏକ ବ୍ରିଜ୍‌ ତଳୁ ତାଙ୍କର ମୃତଦେହ ଉଦ୍ଧାର ହେଲା। ଗଣମାଧ୍ୟମରୁ ଖବର ପାଇ ପରିବାର ଲୋକ ବରଗଡ଼ ଟାଉନ୍‌ ଥାନାରେ ପହଞ୍ଚି ମୃତଦେହ ଦେଖିବା ପରେ ତାହା ସଞ୍ଜୟଙ୍କର ବୋଲି ଜଣାପଡ଼ିଥିଲା। ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ବରଗଡ଼ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କର ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲା ନାହିଁ। ନ୍ୟାୟ ନ ମିଳିବାରୁ ସଞ୍ଜୟଙ୍କ ପରିବାର ଶନିବାର ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଆସି ନ୍ୟାୟ ପାଇଁ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ବେଲପାହାଡ଼ ଥାନା ଅଞ୍ଚଳର ସଞ୍ଜୟ ରାୟ ଗତ ଡିସେମ୍ବର ୧୬ ତାରିଖ ଦିନ ନିଜ ଗାଡ଼ି ମାଲିକଙ୍କ ମାଆ, ବାପାଙ୍କୁ ଧରି ରାୟପୁର ଯାଉଛି ବୋଲି କହି ଘରୁ ଯାଇଥିଲେ। ତାପରେ ୧୮ ତାରିଖ ଦିନ ସଞ୍ଜୟ ତାଙ୍କ ସ୍ତ୍ରୀଙ୍କୁ କଲ୍‌ କରି ବରଗଡ଼ ଯାଉଛି, ସେଠାରୁ ଘରକୁ ଯିବି ବୋଲି କହିଥିଲେ। ତାପରେ ତାଙ୍କର ଆଉ କଲ୍‌ ଲାଗି ନଥିଲା। ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଗାଡ଼ି ମାଲିକଙ୍କ ବାପାଙ୍କୁ କଲ୍‌ କରିଥିଲେ। ତେବେ ସଞ୍ଜୟ ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଦୁର୍ଘଟଣା କରିଥିବା ଗାଡ଼ି ମାଲିକଙ୍କ ବାପା କହିଥିଲେ। ତେବେ ସେମାନେ ୩ ଜଣ ସୁରକ୍ଷିତ ଅଛୁ କିନ୍ତୁ ସଞ୍ଜୟ କୁଆଡ଼େ ଫେରାର୍‌ ହୋଇଯାଇଥିବା ମାଲିକଙ୍କ ବାପା ସଞ୍ଜୟଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ସଞ୍ଜୟଙ୍କ ନମ୍ବର ମଧ୍ୟ ଆଉ ଲାଗି ନଥିଲା।

ଦୁଇଦିନ ପରେ ବରଗଡ଼ ପାଣି ଛତର ବ୍ରିଜ୍‌ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେଲା। ଗଣମାଧ୍ୟମରୁ ସୂଚନା ପାଇବା ପରେ ପରିବାର ଲୋକେ ବରଗଡ଼ ଟାଉନ୍‌ ଥାନାରେ ପହଞ୍ଚି ଉକ୍ତ ଯୁବକଙ୍କ ମୃତଦେହ ଦେଖିବା ପରେ ସଞ୍ଜୟ ବୋଲି ଜଣାପଡ଼ିଥିଲା। ତାପରେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବରଗଡ଼ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରିବାର ଲୋକେ ଝାରସୁଗୁଡ଼ା ଏସ୍‌ପିଙ୍କୁ ନିବେଦନ କରିଥିବା କହିଥିଲେ। ତେବେ କିଛି ଫଳ ନମିଳିବାରୁ ନ୍ୟାୟ ଆଶା ନେଇ ଶନିବାର ସଞ୍ଜୟଙ୍କ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର