ପୁରୀ : ମା’ ବିମଳା ଯେଉଁ ନିର୍ମାଲ୍ୟ ପାଇବା ପାଇଁ ସର୍ବଦା ଧ୍ୟାନ କରୁଥାଆନ୍ତି, ସେଇ ମହାପ୍ରସାଦ ଟିକେ ପାଇବା ପାଇଁ ଭକ୍ତମାନେ ଅବା କେତେ ପ୍ରତୀକ୍ଷା କରିନଥିବେ। ପୁଣି ମହାପ୍ରଭୁଙ୍କ ଏହି ଯାତ୍ରା ବେଳେ ଦୈନିକ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟୁଥିବାରୁ ଅବଢ଼ା ଉପରେ ଥିଲା ଭକ୍ତଙ୍କ ନଜର। ରବିବାରଠୁ ଆଡ଼ପ ଅବଢ଼ା ବାହାରୁଥିବା ଜାଣି ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିର ମଧ୍ୟକୁ ଦର୍ଶନ ପାଇଁ ଯାଇ ଆଉ ଲେଉଟିନଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରି ଶୁଖିଲା ଭୋଗ ଖାଇ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। ଆଜି ବି ଭକ୍ତଙ୍କୁ ବେଶି ସମୟ ଭୋକିଲା ରଖିନଥିଲେ ମହାପ୍ରଭୁ। ଦିନ ୧ଟା ନବାଜୁଣୁ ଖୋଲିଦେଇଥିଲେ ଭଣ୍ଡାର।
Sambad is now on WhatsApp
Join and get latest news updates delivered to you via WhatsApp
ଅବଢ଼ା ବାହାରିବା କ୍ଷଣି କିଣିବା ପାଇଁ ଭିଡ଼ ଲଗାଇଥିଳେ ଶ୍ରଦ୍ଧାଳୁ। ବିଶେଷକରି ଭକ୍ତଙ୍କୁ ଦୃଷ୍ଟିରେ ରଖି ଅବଢ଼ା ବିକ୍ରେତାମାନେ ପତ୍ରରେ ଭକ୍ତମାନଙ୍କୁ ବଢ଼ାଇ ଦେଉଥିଲେ। ମୁଣ୍ଡ ପିଛା ୧୦୦ ଟଙ୍କା ଦରରେ ଅବଢ଼ା, ଡାଲି, ବେସର ଓ ମହୁର ଆଦି ପରସି ଦେଇଥିବାରୁ ଭକ୍ତମାନେ ମହାପ୍ରସାଦ ଖାଇ ଖୁସିରେ ଫେରୁଥିଲେ। ଦର ସାମାନ୍ୟ ଉଚ୍ଚା ରହିଥିଲେ ବି ଏଥିପ୍ରତି ଭକ୍ତଙ୍କର ଭ୍ରୂକ୍ଷେପ ନଥିଲା। ଦୁଇ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ଆଡ଼ପ ଅବଢ଼ା ଖାଇବାର ଉତ୍ସୁକତା ଭକ୍ତଙ୍କ ଭିଡ଼ରୁ ବାରି ହୋଇ ପଡ଼ୁଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କୁ ସୂଚନା ମୁତାବକ, ସାଢ଼େ ୧୨ଟାରେ ଅବଢ଼ା ମିଳିବାର ଥିଲେ ହେଁ ୧୫ ମିନିଟ୍ ବିଳମ୍ବରେ ବାହାରିଥିଲା। ତେବେ ସମସ୍ତ ଭକ୍ତ ଯେପରି ଅବଢ଼ା ପାଇବେ ସେନେଇ ବରାଦିକୁ ମିଶାଇ ପ୍ରାୟ ୨ଲକ୍ଷରୁ ଅଧିକ ଲୋକଙ୍କ ହିସାବରେ ଅବଢ଼ା ମହାପ୍ରସାଦ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।
ଶୁକ୍ଳ ଚତୁର୍ଥୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ୬ ଦିନ ଗୁଣ୍ଡିଚା ମନ୍ଦିରରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ କରାଯାଉଥିବା ବେଳେ ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ବତନ୍ତ୍ର ରୋଷଘର ରହିଛି। ରୋଷଘରେ ମୋଟ ୨୦୩ ଚୁଲି ମଧ୍ୟରୁ ୧୩୮ଟି ଅନ୍ନ ଚୁଲି, ୫୧ଟି ଅହିଆ ଚୁଲି ଓ ୧୪ଟି ପିଠା ଚୁଲିରେ ଭୋଗ ପ୍ରସ୍ତୁତ ହୋଇସାରିବା ପରେ ଶ୍ରୀଜିଉଙ୍କୁ ନୈବେଦ୍ୟ ଦିଆଯାଏ। ପରେ ଗର୍ଭଗୃହ ସଂଲଗ୍ନ ଜଗମୋହନରେ ଏକ ସ୍ତମ୍ଭରେ ବିମଳାଙ୍କ ସ୍ଥିତି କଳ୍ପନା କରାଯାଇଥିବାରୁ ସେଠାରେ ପ୍ରଥମେ ନୈବେଦ୍ୟ ସମର୍ପିତ ହୁଏ। ମାତ୍ର ଗୁଣ୍ଡିଚା ମନ୍ଦିର ଯଜ୍ଞବେଦି ହୋଇଥିବାରୁ ଏଠାରେ ବିମଳା ସମର୍ପଣ ସେତେଟା ପରିଗୃହିତ ହୁଏ ନାହିଁ।
ଅନ୍ୟପକ୍ଷରେ ରବିବାର ଦିନ ଆଡ଼ପ ଅବଢ଼ା ବାହାରିବା ବେଳେ ପାଗ ଅନୁକୂଳ ଥିବାରୁ ଲୋକେ ମନ୍ଦିର ପରିସରରେ ବିଭିନ୍ନ ମଣ୍ଡପରେ ମହାପ୍ରସାଦ ସେବନ କରି ଫେରିଥିଲେ। ଧୀରେଧୀରେ ଭିଡ଼ ବଢ଼ିବାରୁ ବହୁ ଭକ୍ତ ମହାପ୍ରସାଦ ମନ୍ଦିରରୁ କିଣି ଆଣି ଶରଧାବାଲିରେ ଖାଉଥିବା ଦେଖିବାକୁ ମିଳିଥିଲା। ସେହିପରି ବାହାରୁ ଆସିଥିବା ଭକ୍ତମାନେ ଅବଢ଼ା କିଣିବା ପରେ ଏହାକୁ ତାଳଭୋଗେଇରେ ଦୂରସ୍ଥାନକୁ ନେଇଯାଉଥିଲେ।