କ୍ୟାପିଟାଲ ହସ୍ପିଟାଲରେ ବିବାଦ: ଚାମ୍ବର ପାଇଁ ଅଡ଼ି ବସିଛନ୍ତି ଡାକ୍ତର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ରେ ଏଯାଏ ନାମଲେଖା ଆରମ୍ଭ ହୋଇନାହିଁ। ଜାତୀୟ ମେଡିକାଲ କମିସନ୍‌ ବା ଏନ୍‌ଏମ୍‌ସି ନିକଟରେ ପରିଦର୍ଶନ କରିଛନ୍ତି। ହେଲେ ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ନେଇ ହସ୍ପିଟାଲରେ ବିବାଦ ସୃଷ୍ଟି ହୋଇଛି। ଡାକ୍ତରମାନେ ସେମାନଙ୍କ ଲାଗି ସ୍ବତନ୍ତ୍ର ଚାମ୍ବର ପ୍ରଦାନ କରିବା ଲାଗି ଅଡ଼ି ବସିଛନ୍ତି। ଚାମ୍ବର ନ ମିଳିବା ପ୍ରତିବାଦରେ ସେମାନେ ମନଇଚ୍ଛା ଡ୍ୟୁଟି କରୁଥିବା ଅଭିଯୋଗ ହୋଇଛି।

କ୍ୟାପିଟାଲ ହସ୍ପିଟାଲକୁ ନୂତନ ପିଜିଆଇ ଭାବେ ଘୋଷଣା ହେବା ପରେ ପ୍ରଫେସର୍‌, ଆସୋସିଏଟ୍ ପ୍ରଫେସର୍ ଓ ଆସିଷ୍ଟାଣ୍ଟ ପ୍ରଫେସର୍‌ଙ୍କୁ ମିଶାଇ ସମୁଦାୟ ୩୦ଜଣ ଯୋଗ ଦେଲେଣି। ସେମାନଙ୍କ ମଧ୍ୟରୁ କେବଳ ୬ଜଣ ପ୍ରଫେସର୍‌ଙ୍କୁ କାମଚଳା ଭାବେ ଚାମ୍ବର ଦିଆଯାଇଛି। ଯାହାକୁ ନେଇ ଅନ୍ୟମାନେ ସମାନ ଦାବି କରିଛନ୍ତି। ହେଲେ ଏବେ ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏତେସଂଖ୍ୟକ ଚାମ୍ବର ଯୋଗାଇବା ସମ୍ଭବ ‌ନୁହେଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ପିଜି ପାଇଁ ନିଯୁକ୍ତ ହୋଇଥିବା ଡାକ୍ତରମାନଙ୍କୁ ରୋଗୀ ଚିକିତ୍ସା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଚାମ୍ବର ନ ମିଳିବା ଜିଦ୍‌ରେ ସେମାନେ ଠିକ୍ ଭାବେ ଡ୍ୟୁଟି କରୁନାହାନ୍ତି। ରାତିରେ ଡ୍ୟୁଟି କରିବେ ନାହିଁ ବୋଲି ମନା କରୁଛନ୍ତି। ଯାହାକୁ ନେଇ କର୍ତ୍ତୃପକ୍ଷ ଅକଳରେ ପଡ଼ିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ବର୍ତ୍ତମାନ ପିଜି ପାଇଁ ୩୦ଜଣ ଡାକ୍ତର ଯୋଗ ଦେଇଛନ୍ତି। ସମସ୍ତଙ୍କୁ ନୂତନ ଗୃହ ଯୋଗାଇଦେବା ହସ୍ପିଟାଲ ପକ୍ଷେ ସମ୍ଭବ ନୁହେଁ। କେବଳ ପ୍ରଫେସର୍‌ମାନଙ୍କୁ ବିଭିନ୍ନ ସ୍ଥାନରେ ବ୍ୟବସ୍ଥିତ କରି ସ୍ବତନ୍ତ୍ର ଗୃହ ଦିଆଯାଇଛି। ତେବେ ଡ୍ୟୁଟିକୁ ନେଇ କିଛିଟା ଦାବି ‌ରହିଛି। ଏହାକୁ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

ପିଜିଆଇ ନିର୍ଦ୍ଦେଶିକା ଡା. ନିବେଦିତା ପାଣି କହିଛନ୍ତି, ପ୍ରଥମେ ଏଭଳି କିଛି ଅଭିଯୋଗ ଆସିଥାଏ। ପ୍ରଫେସର୍‌ମାନଙ୍କୁ ସ୍ବତନ୍ତ୍ର ଚାମ୍ବର ପ୍ରଦାନ ପାଇଁ ନିୟମ ରହିଛି। ହେଲେ ଏବେ ଚାମ୍ବର ଦେବା ସମ୍ଭବ ନୁହେଁ। ଧୀରେଧୀରେ ଏହାର ସମାଧାନ ହେବ ବୋଲି ଡା. ପାଣି କହିଛନ୍ତି।

ସମ୍ବନ୍ଧିତ ଖବର