କପଡ଼ା ଶିଳ୍ପକୁ ଆସିବ ୧୦ ହଜାର କୋଟି: ଲକ୍ଷେ ନିଯୁକ୍ତି ସୃଷ୍ଟି ହେବ, ଆସିଲାଣି ୨୬ ପ୍ରସ୍ତାବ

ଭୁବନେଶ୍ବର: ବୟନ ଓ ପୋଷାକ ଉତ୍ପାଦନରେ ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହେବା ଲାଗି ଓଡ଼ିଶା ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି କ୍ଷେତ୍ରର ପ୍ରମୁଖ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରିବା ଲାଗି ‌ଲୋଭନୀୟ ପ୍ରୋତ୍ସାହନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଆସନ୍ତା ପାଞ୍ଚ ବର୍ଷରେ ବୟନ କ୍ଷେତ୍ରରେ ୧୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ‘ମିଣ୍ଟ’ ସହ ଆଲୋଚନା ବେଳେ ଇପିକଲ୍ ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଏହି ସୂଚନା ଦେଇଛନ୍ତି।

ଶ୍ରୀ ପୁନିଆ କହିଛନ୍ତି ଯେ ବୟନ ରପ୍ତାନିରେ ଓଡ଼ିଶାର ଭାଗ ଏବେ ନଗଣ୍ୟ ସ୍ତରରେ ରହିଛି। ତାହା ବଢ଼ାଇବା ଉପରେ ସରକାର ଜୋର ଦେଉଛନ୍ତି। ବିଶେଷ କରି ଟେକ୍ନିକାଲ୍‌ ଟେକ୍ସଟାଇଲ୍‌ ଓ ପୋଷାକ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ସରକାର ୨୬ ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ସେଗୁଡ଼ିକୁ ଜମି ଆବଣ୍ଟନ କରାଯାଇଥିବା ବେଳେ କିଛି କାରଖାନା କାର୍ଯ୍ୟକାରୀ ହେବାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଶାହି, ଆଦିତ୍ୟ ବିର୍ଲା, ହ୍ବାଇଟ୍‌ ଲୋଟସ୍‌, ୱେଲ୍‌ସ୍ପନ୍ ଲିଭିଂ ଭଳି କମ୍ପାନି ଓଡ଼ିଶାରେ ୫୦ କୋଟି ଟଙ୍କାରୁ ଆରମ୍ଭ କରି ୪୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।

ବୟନ କ୍ଷେତ୍ରର ନିବେଶକମାନଙ୍କ ଲାଗି ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ସେମାନଙ୍କୁ ସୁଲଭ ମୂଲ୍ୟରେ ବିଜୁଳି ଯୋଗାଇ ଦିଆଯାଉଛି। ଓଡ଼ିଆ କର୍ମଚାରୀମାନଙ୍କ ଇଏସ୍‌ଆଇସି ଓ ଇପିଏଫ୍‌ଓ ‌ଯୋଗଦାନ ରାଶିକୁ ମଧ୍ୟ ରାଜ୍ୟ ସରକାର ପ୍ରଦାନ କରିବେ। ଏହା ବ୍ୟତୀତ ମହିଳା ଶ୍ରମିକଙ୍କ ସୁବିଧାଜନକ ରହଣୀ ପାଇଁ ରାଜ୍ୟରେ ଶ୍ରମିକ ହଷ୍ଟେଲ୍‌ ନିର୍ମ‌ାଣ କରାଯାଉଛି। ଅଳ୍ପ ଭଡ଼ାରେ ସେଥିରେ ପ୍ରାୟ ୩୫,୦୦୦ ଶ୍ରମିକ ରହିପାରିବେ। ହଷ୍ଟେଲ୍‌ରୁ ସେମାନେ ସୁବିଧାରେ କାରଖାନା ପର୍ଯ୍ୟନ୍ତ ଯାଇପାରିବେ। ସେଥିପାଇଁ ଗମନାଗମନର ବ୍ୟବସ୍ଥା ମଧ୍ୟ କରାଯାଉଛି। ରାଜ୍ୟ ସରକାର ଭଦ୍ରକରେ ଟେକ୍ନିକାଲ ଟେକ୍ସଟାଇଲ୍‌ ପାର୍କ, ଖୋର୍ଦ୍ଧାରେ ବୟନ ପାର୍କ ଏବଂ ଆରଙ୍ଗରେ ପୋଷାକ ପାର୍କ ବିକାଶ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାର ୨୬ଟି କମ୍ପାନିଠାରୁ ୧୦,୯୭୪ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ହାସଲ କରିସାରିଲେଣି। ‌ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ବୟନ ଓ ପୋଷାକ ଶିଳ୍ପର ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବା ଲାଗି ସରକାର ଦକ୍ଷତା ବିକାଶ ଉପରେ ମଧ୍ୟ ଜୋର ଦେଉଛନ୍ତି। ବୟନ ଶିଳ୍ପର ବିକାଶ ହେଲେ ତାହା ଦ୍ବାରା କପା ଚାଷୀମାନେ ମଧ୍ୟ ଉପକୃତ ହେବେ।

ସମ୍ବନ୍ଧିତ ଖବର