ଶିଳ୍ପ ଶ୍ରମିକଙ୍କ ପାଇଁ ୧୫ ହଷ୍ଟେଲ: ୩୫,୦୦୦ରୁ ଅଧିକ ଶ୍ରମିକ ରହିବେ

ସିସିଟିଭି ନିରୀକ୍ଷଣ, ପାର୍କିଂ ସୁବିଧା ରହିବ

ଭୁବନେଶ୍ବର: ରାଜ୍ୟରେ ଥିବା ଶିଳ୍ପାଞ୍ଚଳଗୁଡ଼ିକରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ସୁବିଧାଜନକ ରହଣୀ ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଶ୍ରମିକ ହଷ୍ଟେଲ ନିର୍ମାଣ କରୁଛନ୍ତି। ଯୋଜନା ଅନୁସାରେ ସରକାର ୧୫ଟି ହଷ୍ଟେଲ ତିଆରି କରିବେ। ସେଥିରୁ ଶ୍ରମିକମାନଙ୍କ ଲାଗି ୧୪ଟି ଏବଂ କାର୍ଯ୍ୟନିର୍ବାହୀ କର୍ମଚାରୀମାନଙ୍କ ଲାଗି ଗୋଟିଏ ହଷ୍ଟେଲ ନିର୍ମାଣ କରାଯାଉଛି। ଏହି ହଷ୍ଟେଲଗୁଡ଼ିକର କ୍ଷମତା ୩୫ ହଜାରରୁ ଅଧିକ ରହିଛି। ଆସନ୍ତା ଦେଢ଼ ବର୍ଷ ଭିତରେ ତିନିଟି ହଷ୍ଟେଲର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଶିଳ୍ପ କ୍ଷେତ୍ରର ପ୍ରଗତିରେ ଶ୍ରମିକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସେମାନଙ୍କୁ ସୁବିଧାଜନକ, ସୁଲଭ ଓ ନିରାପଦି ରହଣୀ ସୁବିଧା ପ୍ରଦାନ କରିବା ଲାଗି ଶ୍ରମିକ ହଷ୍ଟେଲ ନିର୍ମାଣ କରାଯାଉଛି। ଉଭୟ ପୁରୁଷ ଓ ମହିଳା କର୍ମଚାରୀମାନେ ସେଥିରେ ରହିପାରିବେ। ବହୁତଳ କୋଠା ବିଶିଷ୍ଟ ଏହି ହଷ୍ଟେଲଗୁଡ଼ିକରେ ୪-୬-୮ଟି ଶଯ୍ୟା‌ ବିଶିଷ୍ଟ ଡର୍ମିଟୋରି ଭଳି କକ୍ଷ ରହିବ। ସେଗୁଡ଼ିକର ଉଚିତ ରକ୍ଷଣାବେକ୍ଷର ଲାଗି ବ୍ୟବସ୍ଥା କରାଯିବ। ଇଡ୍‌କୋର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ହଷ୍ଟେଲଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ଭୋଜନ କକ୍ଷ, ରୋଷେଇ ଘର ଏବଂ ପାର୍କିଂ ସୁବିଧା ରହିବ। ହଷ୍ଟେଲଗୁଡ଼ିକୁ ନିର୍ମାଣ କରିବା ଲାଗି କାର୍ଯ୍ୟବରାଦ ପ୍ରଦାନ କରାଯାଇଛି। ‌ସେଥିରେ ରହିବା ଲାଗି ଶ୍ରମିକମାନଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ କରାଯାଇନାହିଁ। ହଷ୍ଟେଲ ନିର୍ମାଣ କରୁଥିବା ସଂସ୍ଥା ସହ ଆଲୋଚନା କରି ଭଡ଼ା ନିର୍ଧାରଣ କରିବା ଯୋଜନା ରହିଛି। ତେବେ ସର୍ବନିମ୍ନ ଖର୍ଚ୍ଚରେ ଶ୍ରମିକମାନେ ଯେଭଳି ଶିଳ୍ପ କାରଖାନା ପାଖାପାଖି ରହିପାରିବେ ସେଥପ୍ରତି ଧ୍ୟାନ ଦିଆଯାଉଥିବା ଜଣାପଡ଼ିଛି।

ନିରାପତ୍ତା ଭାବେ ହଷ୍ଟେଲରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଓ ସିକ୍ୟୁରିଟି ରହିବେ। ବିଦ୍ୟୁତ, ଜଳ, ସ୍ବଚ୍ଛତା, ଖାଦ୍ୟ, ନିରାପତ୍ତା ଓ ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟକୁ ବ୍ୟାପକ ବ୍ୟବସ୍ଥା ପରିଚାଳନା ଜରିଆରେ ତଦାରଖ କରାଯିବ। ଅଭିଜ୍ଞତା ଥିବା ତୃତୀୟ ପକ୍ଷ ଏଜେନ୍ସି ସେଗୁଡ଼ିକର ପରିଚାଳନା କରିବେ। ରାଜ୍ୟ ସରକାର ନିର୍ମାଣ କରୁଥିବା ଶ୍ରମିକ ହଷ୍ଟେଲଗୁଡ଼ିକ ଶିଳ୍ପ ସଂସ୍ଥାର ଆବଶ୍ୟକତା ଅନୁସାରେ ଆବଣ୍ଟନ କରାଯିବ। ଶିଳ୍ପ ସଂସ୍ଥା ନିଜ ଆଡ଼ୁ ଦାବି ଉପସ୍ଥାପନ କରିବେ। ସେମାନେ ‌ଯେତିକି କୋଠରି ମାଗିବେ ତାହା ତାଙ୍କୁ ଦିଆଯିବ।

ସମ୍ବନ୍ଧିତ ଖବର