୫୦ ସରକାରୀ କଂପାନିର ସମ୍ପତ୍ତି ବିକ୍ରି ହେବ

ନୂଆଦିଲ୍ଲୀ: ଏନ୍‌ଟିପିସି, ସିମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ, ସେଲ୍‌, ଭାରତ ଆର୍ଥ ମୁଭର୍ସ ଭଳି ୫୦ଟି କଂପାନିର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିକୁ ବିକ୍ରି କରାଯିବ। ନିତି ଆୟୋଗ ପକ୍ଷରୁ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ତାଲିକାକୁ ପୁଞ୍ଜିପ୍ରତ୍ୟାହାର ବିଭାଗ ନିକଟକୁ ପଠାଇ ଦିଆଯାଇଛି।ଏହି ତାଲିକାରେ ଥିବା କଂପାନିଗୁଡ଼ିକ ଯେଉଁ ମନ୍ତ୍ରଣାଳୟ ଅଧୀନରେ ରହିଛି ସେମାନଙ୍କ ସହଯୋଗରେ ସମ୍ପତ୍ତିଗୁଡ଼ିକୁ ବିକ୍ରି କରାଯିବ। ଏହା ଦ୍ବାରା ବିକ୍ରି ପ୍ରକ୍ରିୟା ସହଜ ହେବ। ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରିବା ପରେ ନିତି ଆୟୋଗର ସିଇଓ ଅମିତାଭ କାନ୍ତ ଏହି ତାଲିକା ପ୍ରସ୍ତୁତ କରିଛନ୍ତି। ଏଭଳି ତାଲିକା ନିୟମିତ ବ୍ୟବଧାନରେ ପ୍ରସ୍ତୁତ କରାଯିବ। ଏବେ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଛି ‌ସେଥିରେ ଏନ୍‌ଟିପିସିର ବଦରପୁର ପ୍ଲାଣ୍ଟ୍‌ ରହିଛି। ଉକ୍ତ ପ୍ଲାଣ୍ଟ୍‌ ବନ୍ଦ ହୋଇଯାଇଥିବା ବେ‌ଳେ ସେଠାରେ ୪୦୦ ଏକର ଜମି ରହିଛି। ଏହି ତାଲିକାରେ ସେଲ୍‌ ଭଳି କଂପାନିର ବ୍ରାଉନ୍‌ଫିଲ୍ଡ ପ୍ରକଳ୍ପର ନାମ ମଧ୍ୟ ରହିଛି। ଚଳିତ ବର୍ଷ ପୁଞ୍ଜି ପ୍ରତ୍ୟାହାର ଜରିଆରେ ୯୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥି ମଧ୍ୟରୁ ପ୍ରଥମ ଦୁଇ ମାସରେ ୨୩୫୦ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୧୮-୧୯ରେ ପୁଞ୍ଜି ପ୍ରତ୍ୟାହାରରୁ ୮୦ ହଜାର କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଥିଲେ। ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୪ ହଜାର କୋଟି ଟଙ୍କା ଅଧିକ ମିଳିଥିଲା। ସରକାରୀ କଂପାନିଗୁଡ଼ିକର ବ୍ୟବହାର ହେଉନଥିବା ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବା ପ୍ରସ୍ତାବକୁ ଗତ ଫେବ୍ରୁଆରିରେ କ୍ୟାବିନେଟ୍ ମଞ୍ଜୁରି ମିଳିଥିଲା।

ସମ୍ବନ୍ଧିତ ଖବର