ଦିନକ ପରେ ବଜେଟ୍‌: ଆୟକରରେ ରିହାତି ମିଳିପାରେ

ସ୍ବାସ୍ଥ୍ୟସେବା ବ୍ୟୟ ବଢ଼ିପାରେ, ସ୍ଥାପନ ହୋଇପାରେ ବ୍ୟାଡ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆସନ୍ତା ୧ ତାରିଖରେ ସଂସଦରେ ଆଗତ କରିବେ। କରୋନା ମହାମାରୀ ପାଇଁ ଉଭୟ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ସେହି ଦୃଷ୍ଟିରୁ ଉଭୟ ଅର୍ଥନୀତିକୁ ମଜଭୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ଅନେକଗୁଡ଼ିଏ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ଯଦିଓ ଟିକସ ସଂଗ୍ରହ ରାଶି ବଢ଼ାଇବା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ବାରୋପ କରିବେ ତଥାପି ସମସ୍ତଙ୍କର ନଜର ରହିଛି ବଜେଟରେ କିଛି ନା କିଛି ଆଶ୍ବାସନା ସେମାନଙ୍କୁ ମିଳିବ। ଆଗାମୀ ବଜେଟ୍‌ ପୂର୍ବର ‌ଅନ୍ୟ ବଜେଟ୍‌ ତୁଳନାରେ ଭିନ୍ନ ରହିବ ବୋଲି ଅର୍ଥମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି। ସେହି ଦୃଷ୍ଟିରୁ ଆୟକରରେ ଅନେକ କିଛି ରିହାତି ମିଳିବ ବୋଲି ଆଶା କରାଯାଉଛି। ଆୟକର ସ୍ଲାବକୁ ବ୍ୟାପକ କରିବା ପାଇଁ ଯଦିଓ ଦାବି ହେଉଛି କିନ୍ତୁ ସରକାର ଏହା ନକରି ବି ପାରନ୍ତି। ତେବେ ଆୟକର ଧାରାର ୮୦ (ଗ)ରେ ପ୍ରଦାନ କରାଯାଉଥିବା ସଞ୍ଚୟ ଓ ନିବେଶଭିତ୍ତିକ ଟିକସ ଛାଡ଼ ସୀମାକୁ ବଢ଼ାଯାଇପାରେ। ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଓ ନିବେଶ ଉପରେ ଏହି ଧାରାରେ ଆୟକର ରିହାତି ଲୋକଙ୍କୁ ମିଳୁଛି। କିନ୍ତୁ ଏହାକୁ ଦୁଇ ଲକ୍ଷ କିମ୍ବା ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ବଢ଼ାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ସ୍ବାସ୍ଥ୍ୟସେବା ବ୍ୟୟ ବଢ଼ିପାରେ
କରୋନା ମହାମାରୀ ପରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିରେ ବିକାଶ ଆଣିବା ସବୁଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଗତକାଲି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ ମଧ୍ୟ ସ୍ବାସ୍ଥ୍ୟସେବା ବ୍ୟୟ ବଢ଼ାଇବା ପାଇଁ ସୁପାରିସ କରାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରର ବ୍ୟୟକୁ ଜିଡିପିର ୧ ପ୍ରତିଶତରୁ ୨.୫ କିମ୍ବା ୩ ପ୍ରତିଶତକୁ ବୃଦ୍ଧି କରିବା ଲାଗି ଏଥିରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ବଜେଟ୍‌ରେ ସ୍ବାସ୍ଥ୍ୟସେବା ବ୍ୟୟ ବଢ଼ାଇପାରନ୍ତି। ଆସନ୍ତା ୪ ବର୍ଷ ମଧ୍ୟରେ ଏହି ବ୍ୟୟବରାଦକୁ ଜିଡିପିର ୪ ପ୍ରତିଶତରେ ପହଞ୍ଚାଇବା ଲାଗି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରେ। ଏଥିପାଇଁ ସରକାର ଟିକସ ରାଶିକୁ ମଧ୍ୟ ବଢ଼ାଇପାରନ୍ତି।

ସ୍ଥାପନ ହୋଇପାରେ ବ୍ୟାଡ୍‌ ବ୍ୟାଙ୍କ
ମହାମାରୀ ପାଇଁ ବ୍ୟାଙ୍କ ଗୁଡ଼ିକର ଅନେକ ଋଣ ଆଦାୟ ହୋଇପାରି ନାହିଁ। ଫଳରେ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ବଢ଼ିବାରେ ଲାଗିଛି। ତେବେ ଏହି ସମସ୍ୟାର ସମାଧାନ କରି ବ୍ୟାଙ୍କଗୁଡ଼ିକର ସ୍ଥିତିରେ ସୁଧାର ଆଣିବା ଲାଗି ଅର୍ଥମନ୍ତ୍ରୀ ବଜେଟ୍‌ରେ ‘ବ୍ୟାଡ୍‌ ବ୍ୟାଙ୍କ’ ଖୋଲିବା ପ୍ରସ୍ତାବ ରଖିପାରନ୍ତି। ଏହି ବ୍ୟାଙ୍କରେ ଏନପିଏଗୁଡ଼ିକୁ ରଖାଯାଇ ସେଗୁଡ଼ିକ ପରେ ବିକ୍ରି କରାଯିବାର ବ୍ୟବସ୍ଥା ହୋଇପାରେ।

ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସଂସ୍ଥା ଖୋଲିପାରେ
ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ସରକାର ୧.୦୨ ଲକ୍ଷ କୋଟି ଟଙ୍କାର ନିବେଶ ଯୋଜନା ରଖିଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ଯାହା ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପାଣ୍ଠି ସଂଗ୍ରହ କରିବା କଷ୍ଟକର ହୋଇପଡ଼ିବ। ତେଣୁ ଅର୍ଥମନ୍ତ୍ରୀ ବଜେଟ୍‌ରେ ସ୍ବତନ୍ତ୍ର ଭାବେ ଭିତ୍ତିଭୂମିଜନିତ ବିକାଶମୂଳକ କାର୍ଯ୍ୟ ସଂପାଦନ ପାଇଁ ସ୍ବତନ୍ତ୍ର ଭାବେ ଏକ ଆର୍ଥିକ ପ୍ରତିଷ୍ଠାନ ଖୋଲିପାରନ୍ତି।

ଆମଦାନି ଶୁଳ୍କ ବଢ଼ିପାରେ
ବଜେଟ୍‌ରେ ୫୦ରୁ ଅଧିକ ସାମଗ୍ରୀର ଆମଦାନି ଶୁଳ୍କ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ। ଏହି ସାମଗ୍ରୀ ଗୁଡ଼ିକ ମଧ୍ୟରେ ସ୍ମାର୍ଟଫୋନ, ଇଲେକଟ୍ରୋନିକ୍ ଉପକରଣ ଏବଂ ଅନ୍ୟାନ୍ୟ ଆପ୍ଲାଏନ୍ସ ରହିଛି। ଆତ୍ମ ନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହନ କରିବା ଏବଂ ଦେଶରେ ଏସବୁ ସାମଗ୍ରୀର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ଆମଦାନି ଶୁଳ୍କ ବୃଦ୍ଧି କରାଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର