ଅଶୋଧିତ ତେଲ ୮୦ ଡଲାରରୁ ଖସିଲେ ପେଟ୍ରୋଲ କମିବ: ଗତ ଦେଢ଼ ବର୍ଷ ଧରି ଦାମ୍ ବଦଳୁନି

କଂପାନିଙ୍କ ଯୁକ୍ତି ଗତବର୍ଷ କ୍ଷତି ଭରଣା ହୋଇନି

ନୂଆଦିଲ୍ଲୀ: ଗତ ତିନି ମାସ ଭିତରେ ଅଶୋଧିତ ତେଲ ଦାମ୍ ୯୩.୫୪ ଡଲାରରୁ ହ୍ରାସ ପାଇ ୮୩.୪୨ ଡଲାର ହୋଇଛି। ତଥାପି ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌ରେ କୌଣସି ପରିବର୍ତ୍ତନ ହେଉନାହିଁ। ଦୀର୍ଘ ଦେଢ଼ ବର୍ଷ ହେଲାଣି ପେଟ୍ରୋଲ ଦାମ୍ ଭୁବନେଶ୍ବରରେ ୧୦୩ ଟଙ୍କା ୧୯ ପଇସାରେ ଅପରିବର୍ତ୍ତିତ ରହିଛି। ସର୍ବଭାରତୀୟ ସ୍ତରରେ ତେଲ ଦାମ୍ ୨୦୨୨ ଏପ୍ରିଲ୍‌ ୬ ପରଠାରୁ ବଦଳିନାହିଁ। କେବେ ଦାମ୍ କମିବ ତାହାକୁ ନେଇ ମଧ୍ୟ କୌଣସି ମହଲରୁ ପ୍ରତିଶ୍ରୁତି ମିଳୁନାହିଁ। ଏହି ପ୍ରସଙ୍ଗରେ ଶିଳ୍ପର ଜଣେ ଅଧିକାରୀ କହିଛନ୍ତି ଯେ ଅଶୋଧିତ ତେଲ ଦାମ୍ ବହୁ ସମୟ ପର୍ଯ୍ୟନ୍ତ ଯଦି ୮୦ ଡଲାରରୁ କମ୍ ରହିବ ତେବେ କଂପାନିଗୁଡ଼ିକ ଦାମ୍ କମ୍ କରିବା ଉପରେ ବିଚାର କରିବେ।

‌ସେ କହିଛନ୍ତି ଯେ ଏବେ ପେଟ୍ରୋଲ ଓ ଡିଜେଲ ବିକ୍ରିରେ କିଛିଟା ଲାଭ ହେଉଛି। ମାତ୍ର ତାହା ମଧ୍ୟ ସ୍ଥିର ନୁହେଁ। କେଉଁ ଦିନ ଡିଜେଲରେ ଲାଭ ହେଉଛି ଓ ଅନ୍ୟ ଦିନେ କ୍ଷତି ସହିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଯଦି କଂପାନିଗୁଡ଼ିକ ଦାମ୍‌ରେ ୧ ଟଙ୍କାରେ ହ୍ରାସ କରିବେ ତେବେ ସମସ୍ତେ ଖୁସି ହୋଇଯିବେ। କିନ୍ତୁ ଯଦି ଆନ୍ତର୍ଜାତିକ ବଜାରରେ ଦାମ୍ ପୁଣି ବଢ଼ିବ ‌ଆଉ କଂପାନିଗୁଡ଼ିକ ସେହି ଅନୁସାରେ ଦାମ୍‌ ବଢ଼ାଇବେ ତାହାକୁ ଜନସାଧାରଣ ଗ୍ରହଣ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ଏକ ସମୟରେ ଅଶୋଧିତ ତୈଳ ଦାମ୍ ବେଲଗାମ ହୋଇପଡ଼ିଥିଲା। ସେହି ସମୟରେ କଂପାନିଗୁଡ଼ିକ ବିପୁଳ କ୍ଷତି ସହିଥିଲେ ମଧ୍ୟ ଦାମ୍ ବଢ଼ାଇନଥିଲେ। ତାହାର ଲାଭ ଗ୍ରାହକଙ୍କୁ ମିଳିଥିଲା। ତେଣୁ ପୁଣି ଥରେ ପ୍ରତିଦିନ ତେଲ ଦର ବଦଳାଇବା ଭଳି ପୁରୁଣା ଢାଞ୍ଚାକୁ ଫେରିବାକୁ ହେଲେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ସ୍ଥାୟୀ ଭାବେ ୮୦ ଡଲାରରୁ କମ୍ ରହିବା ଦରକାର ବୋଲି ସେ କହିଛନ୍ତି।

ଚଳିତ ବର୍ଷର ଏପ୍ରିଲ୍‌ରୁ ସେପ୍ଟେମ୍ବର ଭିତରେ ତେଲ କଂପାନିଗୁଡ଼ିକ ମୋଟା ଅଙ୍କର ଲାଭ କରିଛନ୍ତି। କିନ୍ତୁ ଗତବର୍ଷ ହୋଇଥିବା କ୍ଷତି ଏପର୍ଯ୍ୟନ୍ତ ଭରଣା ହୋଇନଥିବା ସେମାନେ ଯୁକ୍ତି କରୁଛନ୍ତି। ଚଳିତ ବର୍ଷ ଏପ୍ରିଲ୍‌-ସେପ୍ଟେମ୍ବରରେ ଇଣ୍ଡିଆନ ଅଏଲ ୨୬,୭୧୭ କୋଟି ଟଙ୍କା ଲାଭ କରିଛି। ୨୦୨୧-୨୨ ବର୍ଷ ସାରାରେ ତାହା ତା’ଠାରୁ କମ୍ ୨୧,୭୬୨ ଟଙ୍କା ଲାଭ କରିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୩.୫୪ ଡଲାରକୁ ବୃଦ୍ଧି ପାଇବା ପରେ ଅକ୍ଟୋବରରେ ତାହା ୯୦.୦୮ ଡଲାରକୁ ଏବଂ ନଭେମ୍ବରରେ ୮୩.୪୨ ଡଲାରକୁ ହ୍ରାସ ପାଇଛି। ଜୁନ୍ ସମୟରେ କଂପାନିଗୁଡ଼ିକର ତେଲ ବିକ୍ରିରେ ଯେଉଁଭଳି ଲାଭ ହେଉଥିଲା ଏବେ ଆଉ ସେଭଳି ସ୍ଥିତି ନାହିଁ। ଅଗଷ୍ଟ ପରଠାରୁ ଡିଜେଲ ବିକ୍ରିରେ କ୍ଷତି ହେଉଥିବା ବେଳେ ପେଟ୍ରୋଲ୍‌ ଦାମ୍‌ରେ ସାମାନ୍ୟ ଲାଭ ହେଉଛି।

ସମ୍ବନ୍ଧିତ ଖବର