ଦେଶବାସୀଙ୍କ ନଗଦ ମୋହ, ଜରୁରୀ ସମୟ ପାଇଁ ପାଖରେ ରଖୁଛନ୍ତି

୯ ମାସରେ ନଗଦ ପରିମାଣ ୧୩% ବଢ଼ିଛି

ମୁମ୍ବାଇ: ଦେଶରେ ଡିଜିଟାଲ୍ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ନଗଦ ଟଙ୍କାକୁ ଲୋକମାନେ ଭୁଲି ପାରୁନାହାନ୍ତି। ମହାମାରୀ ପରବର୍ତୀ ସମୟରେ ବଜାରରେ ଥିବା ନଗଦ ଟଙ୍କା ପରିମାଣ ୧୩% ବଢ଼ିଛି। ଏବେ ବଜାରରେ ୨୭ ଲକ୍ଷ ୭୦ ହଜାର ୩୧୫ କୋଟି ଟଙ୍କା ମୂଲ୍ୟର ନଗଦ ‌‌ରାଶି ରହିଛି। ୨୦୨୦ ମାର୍ଚ୍ଚ ୩୧ ତୁଳନାରେ ଏହା ପ୍ରାୟ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ। ସେହି ସମୟରେ ବଜାରରେ ୨୪ ଲକ୍ଷ ୪୭ ହଜାର ୩୧୨ କୋଟି ଟଙ୍କା ମୂଲ୍ୟର ନଗଦ ରାଶି ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ମୁତାବକ ୨୦୧୯ର ଏପ୍ରିଲ୍-ଡିସେମ୍ବରରେ ନଗଦ ରାଶି ପରିମାଣ ୬% ବଢ଼ିଥିଲା। ମାତ୍ର ୨୦୨୦ର ସେହି ସମୟରେ ଏହାର ପରିମାଣ ଦୁଇ ଗୁଣାରୁ ଅଧିକ ଅର୍ଥାତ ୧୩% ବଢ଼ିଛି। ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଯୋଗୁଁ ଲୋକମାନେ ନିଜ ପାଖରେ ଅଧିକ ନଗଦ ଟଙ୍କା ରଖିବାକୁ ଚାହୁଛନ୍ତି। ଏ ସମ୍ପର୍କରେ କେୟାର ରେଟିଙ୍ଗସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ୍‌ କହିଛନ୍ତି ଯେ ଲକ୍‌ଡାଉନ୍ ପରେ ଲୋକମାନେ ସତର୍କ ହୋଇଯାଇଛନ୍ତି। ହଠାତ କୌଣସି ଜରୁରୀ କାର୍ଯ୍ୟ ପଡ଼ିଲେ ନଗଦର ଅଭାବ ଯୋଗୁଁ ଅସୁବିଧା ଭୋଗିବାକୁ ପଡ଼ିପାରେ ବୋଲି ସେମାନେ ଭାବୁଛନ୍ତି।

ସେଥିପାଇଁ ନିଜ ପାଖରେ ଅଧିକ ନଗଦ ରଖିବାକୁ ଚାହୁଛନ୍ତି। କେବଳ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଲୋକମାନେ ନିଜ ପାଖରେ ଅଧିକ ଟଙ୍କା ରଖୁଛନ୍ତି। ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ୨୦୨୦ର ୧୨ ମାସରେ ପ୍ରଚଳନରେ ଥିବା ମୁଦ୍ରା ମୂଲ୍ୟ ୫,୦୧,୪୦୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୭, ୭୦, ୩୧୫ ଲକ୍ଷ କୋଟି ଟଙ୍କ‌େ‌ରେ ପହଞ୍ଚିଛି। ବଜାରରେ ଏବେ ୨, ୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଅଛି। ସେହିପରି କଏନ୍‌ ଭାବେ ୫୦ ପଇସା, ଟଙ୍କିକିଆ, ୨, ୫ ଓ ୧୦ ଟଙ୍କିଆ କଏନ ରହିଛି। ବଜାରରେ ମୋଟ ନୋଟ୍ ମଧ୍ୟରୁ ୮୩.୪ ପ୍ରତିଶତ ହେଉଛି ୫୦୦ ଓ ୨୦୦୦ ଟଙ୍କିଆ। ୫୦୦ ଟଙ୍କିଆ ନୋଟ୍‌ର ଭାଗ ଦ୍ରୁତ ଗତିରେ ବଢ଼ିଛି। ସଂଖ୍ୟା ଦୃଷ୍ଟିରୁ ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ଅଧିକ ରହିଛି। ବଜାରରେ ‌ଯେତିକି ସଂଖ୍ୟକ ନୋଟ୍‌ ପ୍ରଚଳନରେ ରହିଛି ତାହାର ୪୩.୪ ପ୍ରତିଶତ ହେଉଛି ୧୦ ଓ ୧୦୦ ଟଙ୍କିଆ ନୋଟ୍‌। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ଋଣ ପରିମାଣ ଗତ ମାର୍ଚ୍ଚରେ ୯,୯୨,୧୯୨ କୋଟି ଟଙ୍କା ଥିଲା। ୨୦୨୧ ଜାନୁଆରି ସୁଦ୍ଧା ତାହା ୧୧,୦୨,୦୫୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେଥିରୁ ୧୦,୯୬,୫୨୬ କୋଟି ଟଙ୍କା କେବଳ କେନ୍ଦ୍ର ସରକାରଙ୍କୁ ଋଣ ଆକାରରେ ଦିଆଯାଇଛି।

ସମ୍ବନ୍ଧିତ ଖବର