ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଟପିଛି। ୨୦୧୬ ମାର୍ଚ୍ଚରେ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୩୪ କୋଟି ଥିବାବେଳେ ୨୦୧୮ ସେପ୍ଟେମ୍ବର ସେପ୍ଟେମ୍ବରରେ ଏହା ୫୬ କୋଟିରେ ପହଞ୍ଚିଛି। ଉପରୋକ୍ତ ସମୟ ମଧ୍ୟରେ ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ୬୫ ପ୍ରତିଶତ ବୃଦ୍ଧି ଘଟିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି। ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ୩୪ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିଲେ। ୨୦୧୭ ମାର୍ଚ୍ଚ ବେଳକୁ ଏମାନଙ୍କ ସଂଖ୍ୟା ୪୨ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଏହି ସଂଖ୍ୟା ୪୯ କୋଟି ରହିଥିଲା। କିନ୍ତୁ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରି ୫୧ କୋଟିରେ ପହଞ୍ଚିଥିଲା। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୬ କୋଟି ଛୁଇଁଛି। ୫୬ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୬୪ ପ୍ରତିଶତ ଅର୍ଥାତ୍ ୩୬ କୋଟି ସହରାଞ୍ଚଳର ହୋଇଥିବାବେଳେ ୩୬ ପ୍ରତିଶତ ବା ୧୯.୪ କୋଟି ଗ୍ରାମାଞ୍ଚଳର ଅଟନ୍ତି। ୫୬ କୋଟିଙ୍କ ମଧ୍ୟରୁ ୫୪ କୋଟି ମୋବାଇଲ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରୁଥିବାବେଳେ ୨ କୋଟି ବ୍ରଡବ୍ୟାଣ୍ଡ୍ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସମୁଦାୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ୬ଟି ରାଜ୍ୟର ଯୋଗଦାନ ୩୬ ପ୍ରତିଶତ ରହିଛି। ସେହି ରାଜ୍ୟ ଗୁଡ଼ିକ ହେଲେ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଏବଂ ମହାରାଷ୍ଟ୍ର।

ସମ୍ବନ୍ଧିତ ଖବର