୪୯୪ କୋଟିର ୬ ନିବେଶ ପ୍ରସ୍ତାବକୁ ମଞ୍ଜୁରି

ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୪୯୩. ୬୨ କୋଟି ଟଙ୍କାର ୬ଟି ନିବେଶ ପ୍ରସ୍ତାବକୁ ଶୁକ୍ରବାର ଦିନ ମଞ୍ଜୁରି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ମଞ୍ଜୁରି ହାସଲ କରିଥିବା ଏହି ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ଧାତବ, ପର୍ଯ୍ୟଟନ, ଇଥାନଲ, ପିଭିସି ପାଇପ୍ ଆଦି କ୍ଷେତ୍ରରେ ରହିଛି।

ଜଟିଆ ଷ୍ଟିଲ୍ ଲିମିଟେଡ ପକ୍ଷରୁ ଯାଜପୁର ଜିଲ୍ଲାର କଳିଙ୍ଗ ନଗରଠାରେ ୧୨୫ କୋଟି ଟଙ୍କା ନିବେଶରେ ଏକ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପ ଅଧୀନରେ ଅଢ଼େଇ ଲକ୍ଷ ଟିଏମ୍‌ଟି ରିବାର୍ ଏବଂ ଅଢ଼େଇ ଲକ୍ଷ ଏମ୍‌ଟିର ଓୟାର ରଡ୍ ମିଲ୍ ସ୍ଥାପନ କରାଯିବ। ଏଥିରେ ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଷଡ଼ଙ୍ଗୀ ମେଟାଲ ୱାର୍କସ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମଧ୍ୟ କଳିଙ୍ଗନଗରଠାରେ ଏକ ଷ୍ଟିଲ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ ହେବ। ୬୫.୩୭ କୋଟି ଟଙ୍କାର ନିବେଶରେ ଏଠାରୁ ଡ୍ରାଇଭଲାଇନ୍ ଏବଂ ଟର୍କ ଟ୍ୟୁବ ଉତ୍ପାଦନ ହେବ। ଉକ୍ତ ପ୍ରକଳ୍ପରେ ୫୬୮ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସୋନପୁରଠାରେ ଜେଆର୍‌ଏସ୍‌ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ହେବାକୁ ଥିବା ୧୦୦ କେଏଲପିଡି ଇଥାନଲ ପ୍ଲାଣ୍ଟ ସହିତ ୨.୫ ମେଗାୱାଟର ପାୱାର ପ୍ଲାଣ୍ଟକୁ ମଞ୍ଜୁରି ମିଳିଛି। ଉକ୍ତ ପ୍ରକଳ୍ପରେ ୧୨୧ କୋଟି ଟଙ୍କା ନିବେଶ ଏବଂ ୧୧୪ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଗଞ୍ଜାମ ଜିଲ୍ଲାର ସୋଲୋମୋ ଦ୍ବୀପ‌ରେ ଏସଏନଏମ ହୋଟେଲ୍ସ ଆଣ୍ଡ୍ ରିସର୍ଟସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏକ ହୋଟେଲ ଓ ରିସର୍ଟ ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ୮୦.୨୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଉକ୍ତ ପ୍ରକଳ୍ପରେ ୧୮୫ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ। ଖୋର୍ଦ୍ଧା ଜିଲ୍ଲାରେ ଡାନିଏଲି କୋରସ ରିଫ୍ରାକ୍ଟରି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ଥାପନ ହେବାକୁ ଥିବା କାର୍ବନ/ଗ୍ରାଫାଇଟ୍ ବ୍ଲକ୍ କଟିଂ ଏବଂ ମେସିନାରି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ୫୧ କୋଟି ଟଙ୍କା ନିବେଶରେ ହେବାକୁ ଥିବା ଏହି ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୧୫୦୦ ଏମ୍‌ଟି ରହିବ ଏବଂ ଏଥିରେ ୧୫୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ କଟକ ଜିଲ୍ଲାର ଟାଙ୍ଗୀ ଠାରେ ଆଶୀର୍ବାଦ ପାଇପ୍ସ ପ୍ରାଇଭେଟ ଲିମିଟେଡ ପ୪ରୁ ଏଚଡିପିଇ ଏବଂ ପିଭିସି ପାଇପ ନିର୍ମାଣ ୟୁନିଟ ନିର୍ମାଣକୁ ମଞ୍ଜୁରି ଦିଆଯାଇଛି। ୫୧ କୋଟି ଟଙ୍କାରେ ହେବାକୁ ଥିବା ଏହି ପ୍ରକଳ୍ପର ଉତ୍ପାଦନ କ୍ଷମତା ୧୮ ହଜାର ଏମଟିପିଏ ରହିବାକୁ ଥିବା‌ବେଳେ ଏଥିରେ ୧୫୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ। ୬ଟି ଯାକ ପ୍ରକଳ୍ପରେ ମୋଟ ୧୩୧୭ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦିଆଯାଇଛି।

ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ମୋନା ଶର୍ମା, ରାଜସ୍ବ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଶକ୍ତି ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂ, ପଞ୍ଜାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଇପିକଲ ଏମଡି ଭୂପିନ୍ଦର ସିଂହ ପୁନିଆଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏସବୁ ପ୍ରକଳ୍ପ ପାଇଁ ବାସ୍ତବରେ କେତେ ଜମି ଏବଂ ଜଳ ଆବଶ୍ୟକ ତାହାର ଆକଳନ କରିବା ଲାଗି ମୁଖ୍ୟ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ତୁରନ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ହ୍ରଦରେ ପର୍ଯ୍ୟଟନର ବିକାଶ ପାଇଁ ଏକ ମାଷ୍ଟର ପ୍ଲାନର ବିକାଶ ପାଇଁ ମୁଖ୍ୟ ସଚିବ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର