‌ଘୋଡ଼ା ଚଢ଼ି ଖାଦ୍ୟ ‌ଡେଲିଭରି କରୁଥିବା ‘ସ୍ବିଗି ବୟ’କୁ ଖୋଜି ଦେଲେ କମ୍ପାନୀ ଦେବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ନିକଟରେ ସୋସିଆଲ୍‌ ମିଡିଆର ଜଣେ ସ୍ବିଗି ଡେଲିଭରି ବୟଙ୍କ ଫଟୋ ଓ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ଡେଲିଭରି ବୟ ଜଣକ ସ୍ବିଗିର ବକ୍ସକୁ କାନ୍ଧରେ ପକାଇ ଘୋଡ଼ା ଚଢ଼ି ଯାଉଥିବାର ଭାଇରାଲ୍‌ ଭିଡିଓରେ ଦୃଶ୍ୟମାନ ହୋଇଥିଲା। ଏବେ ସେହି ଯୁବକ ଜଣକ କିଏ ବୋଲି ଖୋଜୁଛି କମ୍ପାନୀ। କାରଣ କମ୍ପାନୀକୁ ବି ଜଣାନାହିଁ ଯେ ତାଙ୍କର ଜଣେ କର୍ମଚାରୀ ଏପରି ଅଭିନବ ଉପାୟରେ ଖାଦ୍ୟ ଡେଲିଭରି କରୁଛନ୍ତି ବୋଲି।

ଜୁଲାଇ ୫ ତାରିଖରେ ସ୍ବିଗି ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଉକ୍ତ ଡେଲିଭରି ବୟଙ୍କୁ ଖୋଜିବ‌ା ଅଭିଯାନ ଆରମ୍ଭ କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି କି ଉକ୍ତ ଡେଲିଭରି ବୟ ଜଣକ କିଏ ବୋଲି ଜାଣିବାକୁ ବହୁ ଚେଷ୍ଟା କରିବା ପରେ ବି ଡେଲିଭରି ବୟଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ଏପରି ଅଭିନବ ଉପାୟରେ କମ୍ପାନୀ ପାଇଁ କାମ କରୁଥିବା ଉକ୍ତ କର୍ମଚାରୀ ଜଣକ କିଏ ବୋଲି ଜାଣିବାରେ ବିଫଳ ହେବାରୁ ଏହି ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ତାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରାଯାଇଛି।

ଖାଲି ସେତିକି ନୁହେଁ, ଘୋଡ଼ାରେ ଚଢ଼ି ଖାଦ୍ୟ ଡେଲିଭରି କରୁଥିବା ଉକ୍ତ ଡେଲିଭରି ବୟଙ୍କ ପରିଚୟ ଦେବା ବ୍ୟକ୍ତିଙ୍କୁ କମ୍ପାନୀ ପକ୍ଷରୁ ୫୦୦୦ ଟଙ୍କାର ସ୍ବିଗି ମନି ଦିଆଯିବ ବୋଲି ଉକ୍ତ ପୋଷ୍ଟ୍‌ରେ ଉଲ୍ଲେଖ କରାଯାଇଛି। ଡେଲିଭରି ବୟଙ୍କ ପରିଚୟ ମିଳିବା ପରେ କମ୍ପାନୀ ତାଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି ବୋଲି ଜାଣିବାକୁ ମିଳିଛି।

 

 

ସମ୍ବନ୍ଧିତ ଖବର