ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ମହିଳାଙ୍କ ମୁଣ୍ଡ କାଟିଲେ ବାପ-ପୁଅ

ଲକ୍ଷ୍ନୌ: ସନ୍ଦେହ କରାଇଲା ଅପରାଧ। ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ମହିଳାଙ୍କ ମୁଣ୍ଡ କାଟିଲେ ବାପ-ପୁଅ। ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। କିଛି ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡ କାଟି ଦିଆଯାଇଥିଲା ଏବଂ ତାଙ୍କ ଆଙ୍ଗୁଠି କାଟି ଧାନ ବିଲରେ ଫିଙ୍ଗି ଦିଆଯାଇଥିଲା। ପ୍ରଥମେ କ‌େହି ବାହାର ଲୋକ ମହିଳାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଥିବା ବିଷୟରେ ପୁଲିସ ଚିନ୍ତା କରୁଥିବା ବେଳେ ୨୪ଘଣ୍ଟା ମଧ୍ୟରେ ପୁଲିସ ପ୍ରକୃତ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଛି। ତଦନ୍ତ ପରେ ଜଣାପଡ଼ିଛି ଯେ, ମହିଳାଙ୍କ ସ୍ୱାମୀ ଏବଂ ପୁଅ ଏହି ହୃଦୟଥରା ଅପରାଧ କରିଛନ୍ତି।

ପୁଲିସର କହିବା ମୁତାବକ, କିଛି ଦିନ ତଳେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଶରୀରରୁ ମୁଣ୍ଡ ଓ ଆଙ୍ଗୁଠିକୁ କାଟି ଅଲଗା କରାଯାଇଥିବା ବେଳେ ମୃତଦେହ ପଡ଼ିଥିବା ସ୍ଥାନଠାରୁ ୫୦ମିଟର ଦୂରରେ ମହିଳାଙ୍କ କଟା ମୁଣ୍ଡ ମିଳିଥିଲା। ଶବ ବ୍ୟବଚ୍ଛେଦ କରାଇବା ପରେ ମହିଳାଙ୍କ ପରିଚୟ ମିଳିଥିଲା। ସେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଥିବା ପହରା ଗାଁର ବାସିନ୍ଦ‌ା ଥିଲେ। ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ସ୍ବାମୀ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଘଟଣା ଦିନ ତାଙ୍କୁ ତାଙ୍କ ସ୍ବାମୀ ଓ ୨ପୁଅ ଏକ ଜନଶୂନ୍ୟ ସ୍ଥାନକୁ ନେଇ ନିର୍ମମ ଭା‌ବେ ହତ୍ୟା କରିଥିଲେ। ଏହା ସହ ପରିଚୟ ଲୁଚାଇବା ପାଇଁ କୁରାଢ଼ୀରେ ବେକ କାଟି ଫିଙ୍ଗି ଦେଇଥିଲେ। ଏବେ ୩ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର